କେନ୍ଦ୍ରାପଡ଼ା: ୨୦୨୧, ଫେବ୍ରୁଆରି ୧ତାରିଖ। କଟକ ସନ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ତ ଘଟିଲା। ଅଳ୍ପକେ ରୋଗୀ ଓ ସେମାନଙ୍କ ଆଟେଣ୍ତାଣ୍ଟ୍‌ ବର୍ତ୍ତିଗଲେ। ପ୍ରଶାସନ ଅଗ୍ନି ନିରାପତ୍ତା ଆଇନ ଉଲ୍ଲ˚ଘନ ଦର୍ଶାଇ ଏହି ଘରୋଇ ହସ୍ପିଟାଲ୍‌କୁ ବନ୍ଦ କରିଦେଇଛି। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁରୂପ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଖିଲାପ ହୋଇଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ସା˚ଘାତିକ କଥା ହେଉଛି, ବିନା ଅନୁମତିରେ ହସ୍ପିଟାଲ୍‌ ଓପିଡି କାନ୍ଥରେ କାଠ ପ୍ଲାଏ ଲଗାଯାଇଛି। ଆବଶ୍ୟକତା ନ ଥାଇ ବି ମାର୍ବଲ୍‌ କାନ୍ଥରେ ପ୍ଲାଏ ଝୁଲାଯାଇ ସରକାର‌୍‌ କା ମାଲ୍‌ ଦରିୟା ମେ ଡାଲ୍‌ ନୀତିରେ କେବଳ ଲକ୍ଷାଧିକ ଟଙ୍କା ଅପବ୍ୟୟ କରାଯାଇଛି ତା’ ନୁହେଁ; ସର୍ବନିମ୍ନ ନିରାପତ୍ତା ବ୍ୟବସ୍ଥା ରଖା ନ ଯାଇ ଅଗ୍ନିକାଣ୍ତ ବିପଦକୁ ଅଧିକ ବଢ଼ାଇ ଦିଆଯାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେବଳ ସେତିକି ନୁହେଁ, ମେଡିକାଲ୍‌ରେ ଯେତିକି ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା କଥା, ସେତିକି ନ ଥିବା ଖୋଦ୍‌ କେନ୍ଦ୍ରାପଡ଼ା ସହ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ କହିଛନ୍ତି। ଏଭଳି ସ୍ଥିତିରେ ଯଦି ସର୍ଟସର୍କିଟ୍‌ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ପ୍ଲାଏରେ ଲାଗିଯାଏ, ତେବେ ସେଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠୁଛି।
ସାଧାରଣତଃ ସରକାରୀ ହସ୍ପିଟାଲ୍‌ କାନ୍ଥରେ କାଠ ପ୍ଲାଏ ଲଗାଯିବା ଦେଖିବାକୁ ମିଳି ନ ଥାଏ।

Advertisment

publive-image Sambad

ଅଗ୍ନି ନିରାପତ୍ତା ଦୃଷ୍ଟିକୋଣରୁ କାନ୍ଥରେ ମାର୍ବଲ୍‌ ମରାଯାଇଥାଏ। ଏଇଥିପାଇଁ ଯେ ଯଦି କୌଣସି କାରଣରୁ ଅଗ୍ନିକାଣ୍ତ ଘଟେ, ତେବେ ମାର୍ବଲ୍‌ କାନ୍ଥ ଯୋଗୁ ନିଆଁ ସହଜେ ବ୍ୟାପି ନ ଥାଏ। ମାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ସ˚ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମେଡିକାଲ୍‌ ଓପିଡିରେ ମାର୍ବଲ୍‌ ଚକାଚକ୍‌ ଥିବ କାନ୍ଥରେ ପାଖାପାଖି ୫୦୦ମିଟର‌୍‌ ଯାଏ କାଠ ପ୍ଲାଏ ମାରି ଦିଆଯାଇଛି, ଯାହାର ଆଦୌ ଆବଶ୍ୟକତା ନ ଥିବା ଭଳି ମନେ ହେଉଛି। ନିକଟରେ ସର୍ଟସର୍କିଟ୍‌ ଯୋଗୁ ଭୟାବହ ଅଗ୍ନିକାଣ୍ତ ଘଟି କଟକ ସନ୍‌ ହସ୍ପିଟାଲ୍‌ ଛାରଖାର‌୍‌ ହେଇଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ, ଓପିଡି କାନ୍ଥରେ ଲାଗିଥିବା ମାର୍ବଲ୍‌ ଆଦୌ ଖରାପ ହୋଇନଥିବା ବେଳେ ଏମିତି କି ଆବଶ୍ୟକତା ପଡ଼ିଲା ଯେ ଏନ୍‌ଆର‌୍‌ଏଚ୍‌ଏମ୍‌ ଅର୍ଥରେ ପ୍ଲାଏ ଝୁଲାଇ ପ୍ରତ୍ୟକ୍ଷ ଭାବେ ନିଆଁ ବିପଦକୁ ବଢ଼ାଇ ଦିଆଗଲା। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ୫୦୦ମିଟର ଯାଏ କାନ୍ଥରେ ପ୍ଲାଏ ମରାଯାଇଛି, ସେଠାରେ ନିଆଁକୁ ଆୟତ୍ତ ପାଇଁ ପାୟାର‌୍‌ ସିଲିଣ୍ତର‌୍‌ଟିଏ ବି ନାହିଁ। ବର˚ ଅତି ବିପଜ୍ଜନକ ଭାବେ ପ୍ଲାଏ କାଟି ଇଲେକ୍ଟ୍ରି ବୋର୍ଡ ବସାଯାଇ ସର୍ଟସର୍କିଟ୍‌ ବିପଦକୁ ବଢ଼ାଇ ଦିଆଯାଇଛି। ଏପରି ପରିସ୍ଥିତିରେ ପ୍ରତିଦିନ ଓପିଡିକୁ ଶହ ଶହ ରୋଗୀ ଆସୁଛନ୍ତି। ସେମାନଙ୍କ ସହିତ ଆଟେଣ୍ତାଣ୍ଟ୍‌ ବି। କିନ୍ତୁ କର୍ତୃପକ୍ଷ ହାତ ଚିକ୍କଣ ପାଇଁ ମାର୍ବଲ୍‌ କାନ୍ଥରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ଲାଏ ଝୁଲାଇ ବିପଦକୁ ଡାକି ଆଣିଥିଲେ ହେଁ, ସର୍ବନିମ୍ନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ରହିବା ପରୋକ୍ଷରେ ରୋଗୀଙ୍କ ଜୀବନ ସହ ଖେଳ ବୋଲି ଆଲୋଚନା ହେଉଛି।

ସେପଟେ ଅଗ୍ନିଶମ ଅଧିକାରୀ ଶ୍ରୀ ଟୁଡୁଙ୍କ କହିବା କଥା ହେଉଛି, ସାଧାରଣତଃ ମେଡିକାଲ୍‌ରେ କାଠ ଜିନିଷକୁ ବାରଣ କରାଯାଇଥାଏ। ଏସିରୁ ସର୍ଟସର୍କିଟ୍‌ ଆଶଙ୍କା ଅଧିକ ରହୁଥିବାରୁ କାଠ ଜିନିଷ ରହିଲେ ନିଆଁ ଆୟତ୍ତ କରିବା କଷ୍ଟକର ହୋଇପଡେ଼। ଶ୍ୟାମଗୁଡ଼ିଆରେ ଚାଲିଥିବା ନୂଆ କୋଠାକୁ ମେଡିକାଲ୍‌ ସ୍ଥାନାନ୍ତର ହେବାକୁ ଥିବାରୁ ଏଠାରେ ଯେତିକି ନିରାପତ୍ତା ବ୍ୟବସ୍ଥା ରହିବା କଥା, ସେତିକି ନାହିଁ। ଏଠି ପ୍ରଶ୍ନ ଉଠୁଛି ଯେ ଯଦି ସର୍ଟସର୍କିଟ୍‌ କାରଣରୁ ସନ୍‌ ହସ୍ପିଟାଲ୍‌ରେ ଛାରଖାର ହେଇଗଲା, ତେବେ ଆଦୌ ନିରାପତ୍ତା ବ୍ୟବସ୍ଥା ନ ଥାଇ ପ୍ଲାଏରେ ଶୋଭିତ ଓପିଡିରେ ନିଆଁ ଲାଗିଲେ ପରିଣାମ କେତେ ଭୟଙ୍କର ହେବ, ତାହା ଆକଳନ କରିବା ମୁସ୍କିଲ୍‌। ଏଭଳି ସ୍ଥିତିରେ ଅପରିଣାମଦର୍ଶି ନିଷ୍ପତ୍ତି ନେଇଥିବା କର୍ତୃପକ୍ଷ କେବେ ହେଜିବେ ଆଉ ସ୍ବାସ୍ଥ୍ୟସେବା ଭଳି ଏକ ସମ୍ବେଦନଶୀଳ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ, ତାରି ଉପରେ ସଭିଙ୍କ ନଜର ରହିଛି।