ରାଉରକେଲା: ସ୍ଥାନୀୟ ଏକ ବେସରକାରୀ ହସପିଟାଲରେ ବିଜୁ ହେଲ୍‌ଥ କାର୍ଡଧାରୀ ରୋଗୀ ୪ ଦିନ ହେଲା ଚିକିତ୍ସିତ ହୋଇପାରୁନଥିଲେ। ଏନେଇ ‘ସମ୍ବାଦ’ରେ ଗତକାଲି ପ୍ରକାଶିତ ହେବାପରେ ହସପିଟାଲ କର୍ତୃପକ୍ଷଙ୍କ ତତ୍ପରତା ଦେଖିବାକୁ ମିଳିଛି। ‌ରୋଗୀମାନଙ୍କୁ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ଅର୍ଥୋପେଡିକ୍‌ ୱାର୍ଡ‌ରେ ଥିବା ସମସ୍ତ ୪ ଜଣ ରୋଗୀଙ୍କର ଆଜି ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଗୋଡ଼, ହାତ, କାନ୍ଧ ଆଦି ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ରୋଗୀମାନଙ୍କର ଆସନ୍ତାକାଲି ଅସ୍ତ୍ରୋପଚାର କରାଯିବ। ତେବେ ଆଉ ଜଣେ ରୋଗୀର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହେବାକୁ ବେଶ୍‌ କିଛି ସମୟ ଲାଗିବ। କାରଣ ସେ ଜଣେ ହୃଦ୍‌ରୋଗୀ। ଏଣୁ ଅସ୍ତ୍ରୋପଚାର ସମୟରେ ଜଟିଳତା ଦେଖାଦେବାର ଆଶଙ୍କା ଥିବାରୁ ଏନେଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଉକ୍ତ ରୋଗୀଙ୍କର ଚିକିତ୍ସା କରିବାକୁ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇ ରୋଗୀମାନଙ୍କ ସୂତ୍ରରୁ ଜଣାପଡ଼ିଛି।

Advertisment

ବାରମ୍ବାର କାକୁତିମିନତି ହେବା ସତ୍ତ୍ବେ ଚିକିତ୍ସାରୁ ବଞ୍ଚିତ ହୋଇଥିବା ରୋଗୀମାନେ ଗଣମାଧ୍ୟମରେ ମୁହଁ ଖୋଲିଥିବାରୁ ସେମାନଙ୍କୁ ହସପିଟାଲ କର୍ତୃପକ୍ଷଙ୍କ ନାଲି ଆଖି ଦେଖିବାକୁ ମିଳିଥିଲା। ହସପିଟାଲ କର୍ତୃପକ୍ଷ କୁଆଡ଼େ ସଂପୃକ୍ତ ରୋଗୀମାନଙ୍କ ପାଖରେ ପହଞ୍ଚିଯାଇଥିଲେ। ଗଣମାଧ୍ୟମ ସମ୍ମୁଖରେ କାହିଁକି ମୁହଁ ଖୋଲୁଛ କହି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ। ବେଶ୍‌ କିଛି ସମୟଧରି ରୋଗୀମାନଙ୍କୁ ତୁହାକୁତୁହା ପ୍ରଶ୍ନ କରିବାପରେ ସେମାନଙ୍କୁ ବୁଝାସୁଝା ଆରମ୍ଭ କରିଥିଲେ। ଶେଷରେ ଆଜି କୋଡ୍‌ ଆସିଯାଇଥିବାରୁ ଚିକିତ୍ସା ସେବା ଆରମ୍ଭ କରାଯାଇଥିବା କହିଥିଲେ। ତେବେ ଏଥର ମଧ୍ୟ କୋଡ୍‌ ବିଳମ୍ବ ବାହାନା କରି ନିଜକୁ ଦୋଷମୁକ୍ତ କରିବାକୁ ଭୁଲିନଥିଲେ। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ମସ୍ନିକାନୀ ସମେତ ସେ ଅଞ୍ଚଳର ୪ ଜଣ ରୋଗୀ ଗତ ଗୁରୁବାର ଓ ଶୁକ୍ରବାର ଦିନ ରାଉରକେଲା ସ୍ଥିତ ଏହି ବେସରକାରୀ ହସପିଟାଲରେ ରେଫର୍‌ ହୋଇ ଆସିଥିଲେ। ସେମାନେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ‌୍ କାର୍ଡ ଧରି ଏଠାରେ ଭର୍ତ୍ତି ହୋଇଥିଲେ। ସମସ୍ତ ଚିକିତ୍ସା ସେବା ସଂପୂର୍ଣ୍ଣ ମାଗଣା ଥିଲେ ସୁଦ୍ଧା ରୋଗୀମାନଙ୍କଠାରୁ ଡାକ୍ତରୀ ପରାମର୍ଶ ଓ ପରୀକ୍ଷା ନିରୀକ୍ଷା ଫି’ ବାବଦକୁ ୩ ଶହ ଟଙ୍କା ଲେଖାଏଁ ନିଆଯାଇଥିଲା। କିନ୍ତୁ ଭର୍ତ୍ତି ହେବାର ୪/୫ ଦିନ ବିତିଯାଇଥିଲେ ସୁଦ୍ଧା, ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇପାରିନଥିଲା। ଏମିତିକି ଜଣେ ରୋଗୀଙ୍କର କ୍ଷତରେ ପୁଜ ବାହାରୁଥିବା ବି ଦେଖିବାକୁ ମିଳିଥିଲା।ଭୁବନେଶ୍ବରରୁ କୋଡ୍‌ ଆସିନଥିବାରୁ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁନଥିବା କହି କର୍ତୃପକ୍ଷ ଭୁଆଁ ବୁଲାଇ ଚାଲିଥିଲେ। ବିଳମ୍ବ ହେଉ ପଛେ, ନିଜର ଭାବମୂର୍ତ୍ତି ଅକ୍ଷୂର୍ଣ୍ଣ ରଖିବାକୁ ହସପିଟାଲ କର୍ତୃପକ୍ଷ ରାତିଅଧିଆ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।