ଭଦ୍ରକ: ନିର୍ବାଚନ ପରେ ନିର୍ବାଚନ ଯାଉଛି। ନେତାଙ୍କ ପରେ ନେତା ନିର୍ବାଚିତ ହେଉଛନ୍ତି। ମାତ୍ର ନେତା ଓ ସରକାର ଦେଉଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇଛି। ଭଦ୍ରକ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରୁ ଏହା ସ୍ପଷ୍ଟ ହୋଇଛି। ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ନୂତନ ଭାବେ ମହିଳା ଓ ଶିଶୁ ଡାକ୍ତରଖାନା ନିର୍ମାଣ କରାଯାଇଛି। ମାତ୍ର ଏଇ ଡାକ୍ତରଖାନା ଷଡଯନ୍ତ୍ରର ଚକ୍ରବ୍ୟୁହରେ ପଡିଯିବାରୁ ଉଦଘାଟନ ହୋଇପାରୁନାହିଁ। ଏହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର କିଛି ନିର୍ବାଚିତ ଲୋକପ୍ରତିନିଧିଙ୍କର ସିଧାସଳଖ ହାତ ରହୁଥିବାରୁ ସେମାନେ ଏହାକୁ ବିଭିନ୍ନ ବାଟରେ ଟାଳି ଦେବାକୁ ଯୋଜନା କରୁଛନ୍ତି। ଏଇ ନୂତନ ମେଡିକାଲ ୨୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଖାଲି ପଡିଛି। ଭଦ୍ରକର ପୁରୁଣା ମେଡିକାଲରୁ ମୋହ ତୁଟାଇ ପାରୁ ନାହାନ୍ତି ଚକ୍ରାନ୍ତକାରୀ ଗୋଷ୍ଠୀ। ପୁରୁଣା କ୍ୟାମ୍ପସରେ ମେଡିକାଲ ରଖିବା ପାଇଁ ଭିତିରି ଭାବେ ଲାଞ୍ଚ କାରବାର ମଧ୍ୟ ଚାଲିଛି।
ସହର ମଧ୍ୟରୁ ଏଇ ମେଡିକାଲକୁ ଉଠାଇ ନେଲେ କିଛି ମେଡିସିନି ବ୍ୟବସାୟୀ, କିଛି କ୍ଲିନି୍କ ଖୋଲି ବସିଥିବା ଡାକ୍ତର, ପାଖୋଲ୍ୟାବ ମାଲିକ ଓ କିଛି ନର୍ସିଂହୋମ ମାଲିକଙ୍କର ବେପାର ଠପ୍ ହୋଇଯିବାର ସମ୍ଭାବନା ରହିଥିବା ବେଳେ ସେମାନେ ମଧ୍ୟ ଭଦ୍ରକର ମହିଳା ଓ ଶିଶୁ ମେଡିକାଲ ଗେଲପୁର ମୌଜାକୁ ଏତେ ଶୀଘ୍ର ନଯାଉ ବୋଲି ଭିତିରି ଭାବେ ଚକ୍ରାନ୍ତ କରିଛନ୍ତି। ଏହିସବୁ ଚକ୍ରାନ୍ତକାରୀ ଗୋଷ୍ଠୀଙ୍କୁ ସୁହାଇଲା ଭଳି କାର୍ଯ୍ୟ ମଧ୍ୟ କରୁଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମୁଖିଆ କୁହାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ଏହି ନୂତନ ମେଡିକାଲ ଗେଲପୁର ମୌଜାକୁ ସ୍ଥାନାନ୍ତର ହେଉ ଏଥଇପାଇଁ ଆଦୌ ଆନ୍ତରିକତା ନଥିବା ପରି ଲାଗୁଛି। ନିର୍ମାଣ କାର୍ଯ୍ୟ ଶେଷ ହୋଇ ମେଡିକାଲକୁ ଖାଲି ରଖାଯାଇଥିବା ବେଳେ ଏଣେ ପୁରୁଣା ମେଡିକାଲରେ ମହିଳା ଓ ଶିଶୁ ମାନେ ବାରଣ୍ଡାରେ ପଡି ଅତି ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଭଦ୍ରକ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଏଇ କରୁଣ ଚିତ୍ର ସମ୍ପର୍କରେ ଆମ ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଅଦୌ ଚିନ୍ତା ନାହିଁ। ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ନିଜ ଟିକଟ କିଭଳି ରହିବ। ପୁଣି ଟଙ୍କା ବାଣ୍ଟି କିଭଳି ନିର୍ବାଚନ ଜିତି ଆସିବାକୁ ହେବେ ସେଇ ଚିନ୍ତାରେ ଏବେ ରହିଛନ୍ତି। ଭଦ୍ରକର ବିକାଶ କଥା ଏହି ନେତାମାନେ କେବେ ଚନ୍ତା ମଧ୍ୟ କରନ୍ତି ନାହିଁ। ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବାରୁ ସୁବିଧା ଯୋଗାଇ ପାରୁ ନଥିବା ଏହିପରି ଲୋକ ପ୍ରତିନିଧିଙ୍କ ଠାରୁ ସାଧାରଣ ଲୋକ ଆଉ କଣ ବା ଆଶା କରିବେ। ତେଣୁ ଭଦ୍ରକୀ ନେତାଙ୍କ ଉପରୁ ଜିଲ୍ଲାର ସାଧାରଣ ଲୋକ ଆସ୍ଥା ତୁଟାଇ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଗଠନ ହେବାର ଏହା ଭିତରେ ୨୮ବର୍ଷ ପୂରଣ ହୋଇଛି। ମାତ୍ର ଜିଲ୍ଲାର ବିକାଶ ଯେଉଁ ତିମିରକୁ ସେଇ ତିମିରରେ ରହିଛି । ବିଶେଷକରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲାକୁ ଅଣାଦେଖା କରାଯାଉଛି। ଜିଲ୍ଲାବାସୀ ଦୀର୍ଘ ୧୨ ବର୍ଷ ଧରି ମେଡିକାଲ କଲେଜ ଦାବିକରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର କେହି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଆନ୍ତରିକତା ପ୍ରକାଶ କଲେ ନାହିଁ। ଜିଲ୍ଲାର ନିର୍ବାଚତ ଲୋକ ପ୍ରତିନିଧିମାନେ ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଏଇ ପ୍ରମୁଖ ପ୍ରସଙ୍ଗକୁ ନେଇ ଦାବି ଉଠାଇ ପାରିଲେ ନାହିଁ। ବିଧାନସଭା ହେଉ କି ଲୋକସଭା କେଉଁଠି ଭଦ୍ରକ ମେଡିକାଲ କଲେଜକୁ ନେଇ ଆଉ ସ୍ବର ଉଠିଲା ନାହିଁ। ଯେଉଁ ସ୍ବର ଉଠିଥିଲା। ତାହା ମଧ୍ୟ ଚପାଇ ଦିଆଗଲା।
ଶାସକ ଦଳର ନେତା ହୁଅନ୍ତୁ କି ବିରୋଧୀ ଦଳର ନେତା କେହି ଏଇ ପ୍ରସଙ୍ଗ ଉଠାଉ ନାହାନ୍ତି। ଯେଉଁ ସାମାଜିକ ଅନୁଷ୍ଠାନ ଗୁଡିକ ଭଦ୍ରକର ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ ମେଡିକାଲ କଲେଜ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରୁଥିଲେ। ସେମାନେ ମଧ୍ୟ ନୀରବି ଗଲେ। କେବଳ ମେଡିକାଲ କଲେଜ ପ୍ରସଙ୍ଗ ନୁହେଁ, ସରକାର ଗେଲପୁର ମୌଜାରେ ୧୦୦ ଶଯ୍ୟା ବିଶିଷ୍ଟ ମହିଳା ଓ ଶିଶୁ ମେଡିକାଲ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ। ଏଇ ଅନୁଦାନ ରାଶିରେ ଗେଲପୁରରେ ମହିଳା ଓ ଶିଶୁ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଛି। ଏହାର କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଯାଇଥିଲେ ମଧ୍ୟ ଏହାକୁ ଉଦ୍ଘାଟନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗ ଏଇ ଉଦଘାଟନ ପ୍ରକ୍ରିୟାକୁ ଗଡାଇ ଚାଲିବା ପଛରେ ଭିତିରି ରହସ୍ୟ ରହିଛି। ପୁରୁଣା ମେଡିକାଲରୁ ନୂତନ ମେଡିକାଲକୁ ଯିବା ପାଇଁ ମନ ବଳାଉ ନାହାନ୍ତି କିଛି କର୍ମଚାରୀ। ପୁରୁଣା ମେଡିକାଲରେ ପ୍ୟାଚ ପକା କାମ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି। ନୂଆ ବିଲଡିଂକୁ ଉଠିଗଲେ ଡାକ୍ତରଖାନା ପୁରୁଣା କୋଠାରେ ପ୍ୟାଚ ପକା କାମ କରି ସରକାରୀ ଅନୁଦାନ ଲୁଟ୍ କରିବାର ଆଦବ କାଇଦା ସବୁ ବନ୍ଦ ହୋଇଯିବ। ଭଦ୍ରକ ମେଡିକାଲକୁ ଉନ୍ନତିକରଣ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଏଇ ବାଟରେ ଚଳୁ କରାଯାଉଛି। ଯେଉଁଥି ପାଇଁ ନୂଆ ବିଲିଡିଂକୁ ଡାକ୍ତରଖାନା ଉଠାଇବାକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟକୁ ବିଳମ୍ବ କରାଯାଉଛି ବୋଲି ଭଦ୍ରକରେ ଚର୍ଚ୍ଚା ଏବେ ଜୋର ଧରିଛି। କେବଳ ସେତିକି ନୁହେଁ, ଭଦ୍ରକ ମେଡିକାଲରେ ରିପାରିଂ ବାବଦରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଛି। ତାହାର ଭିଜିଲାନସ୍ ତଦନ୍ତ କରାଯାଉ ବୋଲି ମଧ୍ୟ ଭଦ୍ରକର ନାଗରିକ ସମାଜ ଦାବି କରିଛି। ଭଦ୍ରକ ମେଡିକାଲ ର ରିପାରିଂ କାର୍ଯ୍ୟରେ ଦାୟିତ୍ବରେଥିବା ଯନ୍ତ୍ରୀ ଓ ଠିକାଦାରଙ୍କର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ଏମାନଙ୍କ ଉପରେ ଭିଜିଲାନ୍ସ ଚଢଉ କରାଯିବାକୁ ମଧ୍ୟ ଦାବି କରାଯାଇଛି। ନିମ୍ନ ମାନର କାର୍ଯ୍ୟ କରାଯାଇ କିଭଳି ଭାବେ ସରକାରୀ ଟଙ୍କାକୁ ଚଳୁ କରାଯାଉଛି। ତାହାର ଏକ ବଳିଷ୍ଠ ଉଦାହରଣ ହେଉଛି ଭଦ୍ରକ ଜିଲ୍ଲା ମେଡିକାଲ। ନୂତନ ମେଡିକାଲକୁ ନଯିବା ପାଇଁ ଯେଉଁମାନେ ଏଇ ପକ୍ରିୟାକୁ ବିଳମ୍ବିତ କରୁଛନ୍ତି। ସେମାନଙ୍କ ପକେଟକୁ ଆଉ ପୁରୁଣା କୋଠାର ରିପାରିଂ ଟଙ୍କା ଯାଇ ପାରିବ ନାହିଁ। କିନ୍ତୁ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାର ନୂତନ ଭାବେ ନିର୍ମାଣ କରାଯାଇଥିବା ମହିଳା ଓ ଶିଶୁ ଡାକ୍ତରଖାନାକୁ ଉଦଘାଟନ ପାଇଁ ପ୍ରସ୍ତୁତ ହେଉଥିଲେ।। ଏଭଳି ସୂଚନା ସେତେବେଳେ ଜିଲ୍ଲାବାସୀଙ୍କୁ ମିଳିଥିଲା। ପଞ୍ଚାୟତ ନିର୍ବାଚନ ଶେଷ ହେଲା। ମାତ୍ର ସରକାର ଏଇ ପ୍ରସଙ୍ଗେରେ ନୀରବ ରହିଗଲେ।
ଏହି ନୂତନ ମେଡିକାଲ ଉଦ୍ଘାଟନ ସଂପର୍କରେ ଭଦ୍ରକ ସିଡିଏମଓ ଡଃ. ସନ୍ତୋଷ କୁମାର ପାତ୍ର ସେତେବେଳେ କହିଲେ ଆଉ କିଛି କାମ ବାକି ରହିଯାଇଛି। ସେଇ କାମ ଶେଷ ହୋଇଗଲେ ଖୁବ୍ କମ୍ ଦିନ ଭିତରେ ଗେଲପୁରରେ ଏଇ ନୂତନ ମେଡିକାଲ କାର୍ଯ୍ୟକାରୀ ହେବ। ସିଡିଏମଓଙ୍କର ଏଇ ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟି ଯାଇଛି। ପଞ୍ଚାୟତ ନିର୍ବାଚନ ଶେଷ ହୋଇ ପୌର ନିର୍ବାଚନ ଶେଷ ହୋଇଛି। ପୁଣି ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହେଉଛନ୍ତି। ମାତ୍ର ଭଦ୍ରକର ନୂତନ ମହିଳା ଓ ଶିଶୁ ମେଡିକାଲ କିଭଳି ଚାଲିବ। ସେ କଥା କେହି ପଚାରୁ ନାହାନ୍ତି। ନୂତନ ମେଡିକାଲ ପାଇଁ ଡାକ୍ତର, ନର୍ସ ଓ କର୍ମଚାରୀ ନିୟୋଜିତ କେବେ କରାଯିବ। ଭଦ୍ରକ ମେଡିକାଲରେ ଅବଶ୍ୟକ ଡାକ୍ତରଙ୍କର ଅଭାବ ରହିଥିବା ବେଳେ ନର୍ସ ଓ ଫାର୍ମାସିଷ୍ଟ ଷ୍ଟାଫଙ୍କର ଅଭାବ ରହିଛି। ଏଇ କାରଣରୁ ମଧ୍ୟ ମହିଳା ଓ ଶିଶୁ ମେଡିକାଲକୁ ଉଦ୍ଘାଟନ ପାଇଁ ତାରିଖ ଘୁଞ୍ଚା ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସରକାର ମେଡିକାଲ ଉଦଘାଟନ କରିବାର ଆନ୍ତରିକତା ପ୍ରକାଶ କରୁନଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ ଗଣ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ସୂଚନା ମିଳିଛି। କେବଳ ମହିଳା ଶିଶୁ ଡାକରଖାନାର ପ୍ରସଙ୍ଗ ନୁହେଁ। ସରକାର ଏଇ କ୍ୟାମ୍ପସରେ ଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରିବା ପାଇଁ ୧୦୩ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ଏଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୩୦୦ ଶଯ୍ୟାର ମେଡିକାଲ ନିର୍ମାଣ ହେବ। ୮୦ ହଜାର ବର୍ଗଫୁଟରେ ୪ ଟି ବିଲଡିଂ ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ କାମ ଆରମ୍ଭ ହୋଇଛି। ଏଇ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲିଛି। ୧୯୯୩ ମସିହାରେ ରାଜ୍ୟରେ ଯେଉଁ ସବୁ ନୂଆ ଜିଲ୍ଲା ଗଠନ ହୋଇଥିଲା। ସେଇସବୁ ଜିଲ୍ଲାରେ ନୂତନ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ନୂଆ ଜାଗାରେ ନିର୍ମାଣ ହୋଇ ଲୋକଙ୍କୁ ସ୍ବାସ୍ଥ୍ୟ ସେବାର ଯୋଗାଇ ଦିଆଯାଉଥିବା ବେଳେ ଭଦ୍ରକ ଜିଲ୍ଲା ବହୁ ପଛରେ ପଡିଛି। ଜିଲ୍ଲାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ସ୍ବାସ୍ଥ୍ୟସେବାକ୍ଷେତ୍ରରେ ଜିଲ୍ଲା ବହୁ ପଛକୁ ଠେଲି ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଏଇ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ପଦକ୍ଷେପ ନେବେ ବୋଲି ଜିଲ୍ଲାବାସୀ ଆଶା ପୋଷଣ କରିଛନ୍ତି। ଯାହା ଭଦ୍ରକର ନିର୍ବାଚିତ ଲୋକ ପ୍ରତିନିଧିମାନେ କରି ପାରୁନାହାନ୍ତି। ତାହା ଜିଲ୍ଲାପାଳ କରି ଦେଖାଇବେ ବୋଲି ଜିଲ୍ଲାବାସୀ ଆଶା ପୋଷଣ କରିଛନ୍ତି।