ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ଫାଷ୍ଟ ରେଫରାଲ ୟୁନିଟ ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ମାସରେ ୫-ଟି ଯୋଜନାରେ ‘‘ଆମ ହସ୍ପିଟାଲ’’ଯୋଜନାରେ ଅର୍ନ୍ତଭୁକ୍ତ କରିଥିଲେ। ୭କୋଟି ୩୬ଲକ୍ଷ ଟଙ୍କାର ଅନୁଦାନ ବି ଦେଇଥିଲେ। ଗତ ଏପ୍ରିଲ ୨୪ତାରିଖ ଦିନ ଜିଲ୍ଲାସ୍ବାସ୍ଥ୍ୟ ସମିତି ବୈଠକରେ ଆସନ୍ତା ଅଗଷ୍ଟ ୧୫ସୁଦ୍ଧା ୭ମହଲା ଡାକ୍ତରଖାନା ଏବଂ ସେପ୍ଟମ୍ବର ସୁଦ୍ଦା ଆମ ହସ୍ପିଟାଲ ଯୋଜନାର କାମ ସାରିବାକୁ ନିର୍ଦ୍ଦେଶ ବି ଦେଇଥିଲେ। ନିର୍ଦ୍ଦେଶନାମା ସରିବାକୁ ଆଉ ୩୩ଦିନ ବାକି ରହିଥିବା ବେଳେ ସଂପ୍ରତି ବହୁ ନିର୍ମାଣ କାମ ବାକି ରହିଛି। ପ୍ରକାଶଯୋଗ୍ୟ, ରାଜ୍ୟସରକାର ଅନୁସଙ୍ଗିକ ଭିତ୍ତିଭୁମିର ସୁଧାର ଆଣିବା ପାଇଁ ୪କୋଟି ୮୫ଲକ୍ଷ, ରୋଗୀଙ୍କ ମୌଳିକ ଏବଂ ଅତ୍ୟନ୍ତ ଜରୁରୀ ସେବା ଓ ସୁବିଧା ଯୋଗାଇବା ପାଇଁ କୋଟିଏ ୨୦ଲକ୍ଷ ୨୦ହଜାର, ତ୍ବରିତ ସେବା ପ୍ରଦାନ କରିବା ପାଇଁ ୯୭ଲକ୍ଷ , ଗୁଣାତ୍ମକ ସେବା ଯୋଗାଇବା ପାଇଁ ୧୦ଲକ୍ଷ ଏଭଳି ୭କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ଲକ୍ଷ୍ୟ ରହିଛି।

Advertisment

ଏହି ଅନୁଦାନରେ ରୂପାନ୍ତର କାର୍ଯ୍ୟ ମଧ୍ୟରେ ଚିକିତ୍ସାଳୟର ମରାମତି, ସାଜସଜ୍ଜା, ପୁରୁଷ ମହିଳା ଓ ଭିନ୍ନକ୍ଷମମାନଙ୍କ ପାଇଁ ଶୌଚାଳୟ, ଉନ୍ନତ କିସମର ବଗିଚା, ଚତୁର୍ଦ୍ଦିଗ ଆବଦ୍ଧ ପାଇଁ ପ୍ରାଚୀର, ପାୱାର ବ୍ୟାକଅପ୍, ସୋଲାର ଲାଇଟ୍, ଯାନବାହାନ ପାର୍କିଂ ବ୍ୟବସ୍ଥା, ମୁଖ୍ୟ ଦ୍ୱାର ଉନ୍ନତିକରଣ, ମେଡିକାଲ ପରିସର ଆଲୋକୀକରଣ, ଟ୍ରାନ୍ସଫରମର ସ୍ଥାପନ, ବର୍ଜ୍ୟବସ୍ତୁ ଭିତ୍ତିଭୂମିର ସୁଦୃଢୀକରଣ, ପରିସରରେ ଗରମ ଓ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଲୁଗା ଶୁଖାଇବା ପାଇଁ ସ୍ୱତନ୍ତ୍ର ସ୍ଥାନ ସହ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଆଦି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ମିଳିଛି । ଯେ କୌଣସି ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନାକୁ ଆସିଲେ ସୁବିଧାରେ ବିଭିନ୍ନ ୱାର୍ଡ, ଡାକ୍ତରଙ୍କ ନିକଟକୁ ଯିବା ପାଇଁ ସୁବ୍ୟବସ୍ଥିତ କରି ସାଇନ୍ ବୋର୍ଡ ଗୁଡିକ ଲଗାଯିବ।

ସଂପ୍ରତି ଡାକ୍ତରଖାନା ପରିସରରେ ସାଇନ୍ ବୋର୍ଡ ଗୁଡିକ ଲଗା ଯିବା ଆରମ୍ଭ ହୋଇଥିବା ବେଳେ ବର୍ହିଃବିଭାଗର ସଂପ୍ରସାରଣ କାମ ବି ଜାରି ରହିଛି। ସେଭଳି କିଛି ୱାର୍ଡର ଛୋଟ ବଡ ପୁନଃରୁଦ୍ଧାର ସହ ଭାଗ ଭାଗ କରାଯିବା ପ୍ରକ୍ରିୟା ବି ଜାରି ରହିଛି ବୋଲି କହିଛନ୍ତି ଏସଡିଓ ସୋମନାଥ ତ୍ରିପାଠୀ। ଜିଲ୍ଲାପାଳ ଦେଇଥିବା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏହା ସରିବା ନାଁ ନେଉ ନଥିବା ବେଳେ ଧିରେ ସୁସ୍ଥେ ଯେଭଳି ଚାଲିଛି ତାହା ସରିବାକୁ ଆଉ କେତେ ସମୟ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ସରକାର କରିଥିବା ଯୋଜନା ଏଭଳି ସ୍ଥିତିରେ କେତେ ଦୂର ସଫଳ ହେବ ତାହା ସମୟ କହିବ।