କେନ୍ଦ୍ରାପଡ଼ା: ପାଞ୍ଚ ମହଲା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ୍‌। ଚକାଚକ ଟାଇଲ୍‌ ସା˚ଗକୁ ଅତ୍ୟାଧୁନିକ ଯନ୍ତ୍ରପାତି। ଉପର ମହଲାକୁ ରୋଗୀ ଯିବା ପାଇଁ ଲାଗିଛି ଲିପ୍‌ଟ ବ୍ୟବସ୍ଥା ବି ଅଛି। ଦୂରରୁ କର୍ପୋରେଟ୍‌ ହସ୍ପିଟାଲ୍‌ ଭଳି ଦିଶୁଥିବା ଏହି ଜିଲ୍ଲା ହସ୍ପିଟାଲ୍‌ରେ କିନ୍ତୁ ରାମ୍ପ୍‌ ସୁବିଧା ନାହିଁ। କିଭଳି ଆଉ କେଉଁ ପରିସ୍ଥିତିରେ ଏହି ନମ୍ଭଶ୍ଚୁମ୍ବି ଅଟ୍ଟାଳିକାର ଡିଜାଇନ୍‌ କରାଗଲା ବେଳେ ଏହି ସର୍ବନିମ୍ନ ବ୍ୟବସ୍ଥାଟି ରଖାଗଲା ନାହିଁ, ତାହା ହସ୍ପିଟାଲ୍‌ କର୍ତୃପକ୍ଷଙ୍କୁ ତାଜୁବ୍‌ କରିଛି। ରାମ୍ପ୍‌ ସୁବିଧା ନ ଥିବାରୁ ରୋଗୀଟିଏ ଉପର ମହଲାକୁ ଯିବା ପାଇଁ ଏକମାତ୍ର ଭରସା ହେଉଛି ଲିପ୍‌ଟ। କିନ୍ତୁ ଯଦି କୌଣସି କାରଣରୁ ଲିପ୍‌ଟ ଅଚଳ ହେଇପଡ଼ିଲା, ତେବେ ରୋଗୀ ଉପର ମହଲାକୁ କିଭଳି ନିଆଯିବ? ଅଗ୍ନିକାଣ୍ତ ଘଟିଲେ ରୋଗୀଙ୍କୁ କିଭଳି ତ୍ବରିତ ବାହାରକୁ ଅଣାଯିବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖୋଦ୍‌ ହସ୍ପିଟାଲ୍‌ କର୍ତୃପକ୍ଷ ବି ଏ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଏପ୍ରକାର ପରିସ୍ଥିତିରେ ଠିକା ସ˚ସ୍ଥା କୋଠା ନିର୍ମାଣ କଲା ବେଳେ ପୂର୍ତ୍ତ ବିଭାଗ-୧ ରାମ୍ପ୍‌ ସୁବିଧା ପ୍ରତି ଦୃଷ୍ଟି ନ ଦେବା ବିଭାଗୀୟ ଯନ୍ତ୍ରୀଙ୍କ ଦୂରଦୃଷ୍ଟିର ଅଭାବକୁ ଦର୍ଶାଉଛି। ଶହେ ଦଶ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଜିଲ୍ଲା ହସ୍ପିଟାଲ୍‌ ସହିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର(ଏମ୍‌ସିଏଚ୍‌) ଏବ˚ ସ˚କ୍ରମଣ ରୋଗ ବିଭାଗ ନିର୍ମାଣ ହୋଇଛି। କିନ୍ତୁ ନା ପାଞ୍ଚ ମହଲା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ୍‌ରେ ରାମ୍ପ୍‌ ଅଛି ନା ତିନି ମହଲା ବିଶିଷ୍ଟ ଏମ୍‌ସିଏଚ୍‌ ବିଲ୍‌ଡି˚ରେ ଅଛି। କେବଳ ସ˚କ୍ରମଣ ରୋଗ ବିଭାଗରେ ରାମ୍ପ୍‌ ରହିଛି। ହେଲେ ଯେଉଁଠି ସବୁଠୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି, ସେଠି ରାମ୍ପ୍‌ ନ ରହିବା ଆଗକୁ ଗୁରୁତର ସମସ୍ୟା ସୃଷ୍ଟି କରିବା ଆଶଙ୍କାକୁ ଜନ୍ମ ଦେଉଛି। ଗତ ଜାନୁଆରି ୯ତାରିଖରେ ଖଡ଼ିଅଙ୍ଗରୁ ଜିଲ୍ଲା ହସ୍ପିଟାଲ୍‌ ଇଚ୍ଛାପୁରର ଶ୍ୟାମଗୁଡ଼ିଆସ୍ଥିତ ନୂଆ କୋଠାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଆସିନଥିଲା। ପୁରୁଣା ମେଡିକାଲ୍‌ରେ ପ୍ରସୂତି ବିଭାଗ କାମ କରୁଥିଲା। କିନ୍ତୁ ଚାରି ଦିନ ତଳୁ ପ୍ରସୂତି ବିଭାଗ ବି ନୂଆ କୋଠାକୁ ସ୍ଥାନାନ୍ତରିତ ହୋଇ ଆସିବା ପରେ ଏବେ କେବଳ ରକ୍ତ ଭଣ୍ତାର ହିଁ ପୁରୁଣା କୋଠାରେ କାର୍ଯ୍ୟ କରୁଛି। ଚିକିତ୍ସା ଜନିତ ସବୁ ବିଭାଗ ନୂଆ କୋଠାରେ କାର୍ଯ୍ୟ କରୁଥିବାରୁ ହଜାର ହଜାର ଲୋକ ଜିଲ୍ଲା ହସ୍ପିଟାଲ୍‌କୁ ଆସୁଛନ୍ତି।

Advertisment

ସୁଦୃଢ଼ ଭିତ୍ତିଭୂମି ସା˚ଗକୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିଲେ ବି ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ଭିତରେ ରୋଗୀ ଚିକିତ୍ସା ଚାଲିଛି। ତଳେ ଆଉଟଡୋର‌୍‌, ପାଥୋଲାବ୍‌ ଚାଲିଥିବା ବେଳେ ଉପର ମହଲାରେ ରୋଗୀଙ୍କ ଆଡମିସନ୍‌ ହେଉଛି। ଉପର ମହଲାକୁ ଯିବା ପାଇଁ ଶିଡ଼ିରେ ଅଥବା ଲିଫ୍ଟରେ ଯିବାର ସୁବିଧା ରହିଛି। କିନ୍ତୁ ଅନେକ ସମୟରେ ଲିଫ୍ଟ ସମସ୍ୟା ଦେଖାଯାଉଥିବାରୁ ଚାଲୁ ନାହିଁ। ବନ୍ଦ ରହୁଛି। ରୋଗୀଙ୍କୁ ଆଟେଣ୍ତାଣ୍ଟ୍‌ମାନେ ଶିଡ଼ିରେ ଧରି କିମ୍ବା ଟେକି ଟେକି ନେଉଥିବା ଦେଖିବାକୁ ମିଳୁଛି। ରାମ୍ପ୍‌ ନ ଥିବାରୁ ସବୁଠୁ ଅଧିକ ନିର୍ଭରଶୀଳ ଲିଫ୍ଟରେ ଉପରେ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ଯଦି ଲିଫ୍ଟ ଅଚଳ ହେଇଯାଏ, ତେବେ ଗୁରୁତର ରୋଗୀଙ୍କୁ ଉପର ମହଲାକୁ କିଭଳି ନିଆଯିବ? ସବୁଠୁ ବଡ଼ ହେଉଛି ଅଗ୍ନିକାଣ୍ତ। କୌଣସି କାରଣରୁ ଯଦି ହସ୍ପିଟାଲ୍‌ରେ ନିଆଁ ଲାଗେ, ତେବେ ରୋଗୀଙ୍କୁ କିଭଳି ବାହାରକୁ ଅଣାଯିବ? ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସବୁ ଚାରି ପାଞ୍ଚ ମହଲା ବିଶିଷ୍ଟ ହସ୍ପିଟାଲ୍‌ରେ ରାମ୍ପ୍‌ ସୁବିଧା କରାଯାଇଥାଏ। କିନ୍ତୁ ତାହା କରାଯାଇନଥିବାରୁ ବିକଳ୍ପ ବ୍ୟବସ୍ଥା କହିଲେ କେବଳ ଶିଡ଼ି ହିଁ ରହିଛି। ଶିଡ଼ିରେ କୌଣସି ରୋଗୀଙ୍କୁ ବେଡ୍‌ରେ ଶୁଆଇ ନିଆଯାଇପାରିବ ନାହିଁ। ଟେକି ଟେକି ନେବାକୁ ପଡ଼ିବ। ଯେଉଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ତ୍ବରିତ ଚିକିତ୍ସା ଦରକାର, ତାଙ୍କୁ ଯଦି ତଳୁ ଟେକି ଟେକି ଶିଡ଼ିରେ ତିନି ଚାରି ମହଲା ନିଆଯାଏ, ତେବେ ରୋଗୀର ଅବସ୍ଥା କ’ଣ ହେଇଥିବ, ତାହା କହିବା ମୁସ୍କିଲ୍‌। ଏପ୍ରକାର ପରିସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ୍‌ରେ କିଭଳି ରାମ୍ପ୍‌ ବ୍ୟବସ୍ଥାକୁ ନଜରଅନ୍ଦାଜ୍‌ କରି ଦିଆଗଲା ଆଉ କାମ ତଦାରଖ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଏଥିପ୍ରତି ଆଖିବୁଜି ଦେଲେ, ତାହା ଆଶ୍ଚର୍ଯ୍ୟଚକିତ କରୁଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ କହିବା କଥା ହେଉଛି, ଯାହା ଡିଜାଇନ୍‌ରେ ଥିଲା, ସେହି ଅନୁସାରେ କାମ ହେଇଛି। ସ˚କ୍ରମଣ ରୋଗ ବିଭାଗରେ କିନ୍ତୁ ରାମ୍ପ୍‌ ରହିଛି। ଏଠାରେ ବି ରହିବାର ଆବଶ୍ୟକତା ରହିଛି।