ଡେରାବିଶ: ଆବଶ୍ୟକ ୧୬। ଅଛନ୍ତି ମାତ୍ର ୩ । ଏଥିରୁ ବୁଝା ପଡ଼ୁଥିବ ରୋଗୀସେବା କେମିତି ଚାଲିଛି। ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏମିତି ସମସ୍ୟା ଦେଖାଦେଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୧୯୭୦ ଦଶକରେ ଡେରାବିଶ ବ୍ଲକ୍ ଅଂଚଳର କେତେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମ କ୍ରମେ ଚାଟରାଚକଡା ପଂଚାୟତର ଛତାଠାରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଦେଇ ଜାତୀୟ ରାଜପଥ ନିର୍ମାଣ ହେବା ପରେ ଏହାର ଗୁରୁତ୍ବ ବଢି ଯାଇଥିଲା। ଫଳରେ ସରକାର ୧୯୯୦ ଦଶକରେ ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସହିତ ଏହାର ଭିତ୍ତିଭୂମିର ବିକାଶ କରିଥିଲେ। ୧୮ ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଜଣେ ଲେଖାଏ ଭେଷଜ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ, ମହିଳା ଓ ପ୍ରସୂତି ବିଶେଷଜ୍ଞ, ଅସ୍ଥି ଶଲ୍ୟ ବିଶେଷଜ୍ଞ ଓ ସର୍ଜରି ବିଶେଷଜ୍ଞ ଡାକ୍ତର ସମେତ ମୋଟ ୧୬ଟି ଡାକ୍ତର ପଦବି ସୃଷ୍ଟି କରାଯାଇଥିଲା।
ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତାପ୍ରାପ୍ତିଠାରୁ ଏଯାବତ କେବେ ମଧ୍ୟ ସମସ୍ତ ଡାକ୍ତର ପଦବି ପୂରଣ କରାଯାଇ ନାହିଁ। ଏପରିକି ବିଭିନ୍ନ ସମୟରେ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଛଡା ଅନ୍ୟ କୌଣସି ବିଶେଷଜ୍ଞ ଡାକ୍ତର ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇନଥିବାରୁ ଅଂଚଳବାସୀ ଚିକିତ୍ସା ସେବା ପାଇବାରୁ ବଂଚିତ ହୋଇ ଆସିଛନ୍ତି। ଅପରପକ୍ଷରେ ଗତ କିଛି ମାସ ତଳୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକାରୀ ଦାୟିତ୍ବରେ ରହିଥିବା ଜଣେ ମହିଳା ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ସମେତ ଅନ୍ୟ ୫ଜଣ ଏମବିବିଏସ ଡାକ୍ତର ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ୩ଜଣ ଡାକ୍ତର ଉଚ୍ଚତର ଶିକ୍ଷା ପାଇଁ ଚାଲିଯିବାରୁ ଏବେ ଜଣେ ଏମ୍ବିବିଏସ ଓ ଜଣେ ଦନ୍ତ ଚିକିତ୍ସକଙ୍କ ଭରସାରେ ଏହି ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସେହିପରି ଲାବୋରେଟୋରି କର୍ମଚାରୀଙ୍କ ଖାମଖିଆଲି ନୀତି ପାଇଁ ବିଭିନ୍ନ ସମୟରେ ରୋଗୀମାନେ ପରୀକ୍ଷାନିରୀକ୍ଷା ପାଇଁ ସମସ୍ୟାରେ ପଡୁଥିବା ମଧ୍ୟ ଜଣାପଡ଼ିଛି। ଏକ୍ସରେ ଓ ଇସିଜି ମେସିନ ଲଗାଇବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ତୁରନ୍ତ ଦୃଷ୍ଟି ଦେବା ଉଚିତ ଏବଂ ଏହାର ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦରକାର।
- କରୁଣାକର କର, ଗୋଲରାହାଟ, ଡେରାବିଶ
ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବୀ ସମସ୍ୟା ଏହାର ପ୍ରତିଷ୍ଠା ଦିବସରୁ ଲାଗି ରହିଛି। ଫଳରେ ଚିକିତ୍ସା ସେବା ପାଇବାରେ ଅଂଚଳବାସୀମାନେ ସର୍ବଦା ବଂଚିତ ହୋଇ ଆସିଛନ୍ତି। ସେହିପରି ଆଧୁନିକ ଚିକିତ୍ସା ସେବାକାରୀ ଯନ୍ତ୍ରାଂଶ ନ ଥିବାରୁ ଏଠାକୁ ଆସୁଥିବା ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି। ସରକାର ତୁରନ୍ତ ଏହି ଡାକ୍ତରଖାନାର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଡାକ୍ତର ପଦବିକୁ ପୂରଣ କରିବା ଜରୁରି।
- ଅକ୍ଷୟ କୁମାର ମିଶ୍ର, ଚାଟରାଚକଡା
ଚିକିତ୍ସା ସେବା ପାଇବା ନିମନ୍ତେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ହଜାର ହଜାର ଅଂଚଳବାସୀ ନିର୍ଭର କରୁଥିବା ବେଳେ ଏହାର ବିପର୍ଯ୍ୟସ୍ତ ଅବସ୍ଥା ଅଂଚଳବାସୀଙ୍କୁ ନିରାଶ କରିଛି। ସରକାର ତୁରନ୍ତ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେବା ସହିତ ଏହି ଡାକ୍ତରଖାନାର ଆଧୁନିକୀକରଣ କରିବା ଦରକାର
-ତ୍ରିଲୋଚନ ରାଉତ, ପ୍ରାକ୍ତନ ସରପଂଚ, ଗୋଲରାହାଟ
ଡାକ୍ତର ପଦବି ଖାଲି ପଡ଼ିଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ସମସ୍ୟା ଦେଇ ଗତି କରୁଛି। ରୋଗୀମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି। ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ପ୍ରତିକାର କରିବା ଜରୁରି ହୋଇ ପଡ଼ୁଛି।
-ମହେନ୍ଦ୍ର କୁମାର ସିଂହ,
ପୂର୍ବତନ ସରପଞ୍ଚ, ଲକ୍ଷ୍ମୀନାରାୟଣପୁର
ସର୍ବଦା ନାହିଁ ନାହିଁରେ ଚାଲିଛି ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଥିଯୋଗୁ ରୋଗୀମାନେ ନାନା ସମସ୍ୟାରେ ପଡ଼ୁଛନ୍ତି। ତୁରନ୍ତ ବିଶେଷଜ୍ଞ ଡାକ୍ତର ପଦବି ପୂରଣ ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭାଗ ପଦକ୍ଷେପ ଗ୍ରହଣ କରିବା ଜରୁରି।
-ନିରଞ୍ଜନ କର
ସମିତିସଭ୍ୟ, ଚାଟରାଚକଡା