ନିଆଳି ଡାକ୍ତରଖାନା: ବିକଳ୍ପ ବ୍ୟବସ୍ଥା ନ କରି ଭାଙ୍ଗିଦେଲେ କୋଠା, ୩୦ ସ୍ଥାନରେ ୪ ଶଯ୍ୟାରେ ଚଳୁଛି କାମ

ନିଆଳି: ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହୁ ପ୍ରତୀକ୍ଷିତ ମଡ଼ର୍ଣ୍ଣ ମାଟର୍‌ନିଟି ସେଣ୍ଟର୍‌ (ଆଧୁନିକ ପ୍ରସୂତି କେନ୍ଦ୍ର) ନିର୍ମାଣ ପାଇଁ ମୁଖ୍ୟ କୋଠାକୁ ଭାଙ୍ଗି ଦିଆଯାଇଛି। କିନ୍ତୁ, ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ରୋଗୀସେବା ପ୍ରଭାବିତ ହୋଇଛି। ଏ ନେଇ ରୋଗୀ ଓ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ନିଆଳି ଡାକ୍ତରଖାନା ଉପରେ ନିଆଳି ବ୍ଲକ୍‌ ସମେତ ବାଲିଅନ୍ତା, ବାଲିପାଟଣା, ଚାରିଛକ, ନିମାପଡ଼ା ଆଦି ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପ୍ରତିଦିନ ୩୦୦ରୁ ଅଧିକ ରୋଗୀ ଆସୁଛନ୍ତି। ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆଧୁନିକ ପ୍ରସୂତି କେନ୍ଦ୍ର ନିର୍ମାଣ ପାଇଁ ସରକାର ଯୋଜନା କରିଥିଲେ। ଏଥିପାଇଁ ୬ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଅର୍ଥରେ ପ୍ରସୂତି ଓ ଶିଶୁଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟ ରୋଗ ବିଭାଗ ପାଇଁ ଗୃହ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ୩ବର୍ଷ ଭିତରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ପାଇଁ ଦୁଇମାସ ତଳେ ଡାକ୍ତରଖାନାର ପୁରୁଣା କୋଠା ଭାଙ୍ଗି ଦିଆଯାଇଛି। ଏଥିସହ ୧୫ଦିନ ତଳେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ, ବିକଳ୍ପ ବ୍ୟବସ୍ଥା କରା ନ ଯାଇ କୋଠା ଭାଙ୍ଗି ଦିଆଯିବାରୁ ଏବେ ରୋଗୀସେବାରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି। ଭଙ୍ଗା ଯାଇଥିବା କୋଠାରେ ଜରୁରୀକାଳୀନ ୱାର୍ଡ ସହ ପ୍ରସୂତି ବିଭାଗ, ଅଂଶୁଘାତ ରୋଗୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ, ଚକ୍ଷୁ ବିଭାଗ, ନିରାମୟ କେନ୍ଦ୍ର ଆଦି ରହିଥିଲା। ସେଠାରେ ଥିବା ଜରୁରୀକାଳୀନ ବିଭାଗ ଓ ପ୍ରସୂତି ବିଭାଗରେ ୩୦ରୁ ଅଧିକ ଶଯ୍ୟା ରହିଥିଲା। ବର୍ତ୍ତମାନ ଦୁଇଟି ଛୋଟ କୋଠରୀରେ ୨ଟି ଲେଖାଏ ୪ଟି ଶଯ୍ୟାରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ୱାର୍ଡକୁ ୨ରୁ ଅଧିକ ରୋଗୀ ଆସିଲେ ବାରଣ୍ଡାରେ ପଡ଼ି ରହୁଛନ୍ତି। ଅଂଶୁଘାତ ପୀଡ଼ିତଙ୍କ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସେହିପରି କୋମଳମତି ଶିଶୁମାନେ ଟିକା ଓ ପୋଲିଓ ବୁନ୍ଦା ନେବା ପାଇଁ ଡହଡହ ଖରାରେ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଅପେକ୍ଷା କରି ରହୁଛନ୍ତି।

କେବଳ ସେତିକି ନୁହେଁ, ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଶତାଧିକ ରୋଗୀଙ୍କୁ ପ୍ରତିଦିନ କେବଳ ଜଣେ ଡାକ୍ତର କ୍ବାର୍ଟର୍ସ ବାରଣ୍ଡାରେ ଚିକିତ୍ସା କରୁଥିବା ଜଣାପଡ଼ିଛି। ଏ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ରୋଗୀସେବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ପରେ ଚିକିତ୍ସାଳୟର କୋଠା ଭଙ୍ଗା ଯାଇଥିଲେ ଏଭଳି ଅବ୍ୟବସ୍ଥା ହୋଇ ନ ଥା’ନ୍ତା ବୋଲି ଜିଲ୍ଲା କଂଗ୍ରେସ ଉପସଭାପତି ଶଶୀକାନ୍ତ ଲେଙ୍କା କହିଛନ୍ତି। ଏଥିଯୋଗୁଁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ସୁବିଧା ନିମନ୍ତେ ତୁରନ୍ତ ଆବଶ୍ୟକ ଶଯ୍ୟା ସହ ଅନ୍ୟ ଜରୁରୀକାଳୀନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରାଯାଇଛି। ଏହି ଅବ୍ୟବସ୍ଥା ନ ସୁଧୁରିଲେ କଂଗ୍ରେସ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ଉପସଭାପତି ଶ୍ରୀ ଲେଙ୍କା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ନିଆଳି ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଏସ୍‌. ନବୀନଙ୍କୁ ପଚାରିବାରୁ ଜରୁରୀକାଳୀନ ୱାର୍ଡ ଓ ପ୍ରସୂତି ୱାର୍ଡର ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର