ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ହେଉଛି ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତମ ଡାକ୍ତରଖାନା। ପୂର୍ବରୁ ଉକ୍ତ ଡାକ୍ତରଖାନା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛି। ତେବେ ବର୍ତ୍ତମାନ ଉକ୍ତ ସ୍ୱାସ୍ଥକେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୭୦ ପ୍ରତିଶତ ପ୍ରସୂତି ମହିଳାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଫଳରେ ପ୍ରସୂତି ଓ ତାଙ୍କ ପରିବାର ଅଧିକ ହଇରାଣ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହା ବ୍ୟତିତ ଡ୍ୟୁଟି ସମୟରେ ମଧ୍ୟ ଡାକ୍ତରଖାନାର ଡାକ୍ତରମାନେ ନିଜ କ୍ଲିନିକ ଓ ବସାରେ ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ହସ୍ପିଟାଲକୁ ବିଳମ୍ବରେ ଡ୍ୟୁଟି ଆସୁଥିବାର ମଧ୍ୟ ଦେଖିବାକୁ ମିଳେ। ସବୁଠାରୁ ଦୁଃଖର ବିଷୟ ଯେ ଉକ୍ତ ଚିକିତ୍ସାଳୟରେ ଚକ୍ଷୁ ରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ, ଅସ୍ଥିସଲ୍ୟ ବିଶେଷଜ୍ଞ ପ୍ରଭୃତି ଭଲ ଡାକ୍ତର ନିଯୁକ୍ତ ନଥିବାରୁ ସାଧାରଣ ରୋଗୀଙ୍କ ବାରିପଦା ଯିବାକୁ ପଡୁଛି। ତେବେ ବାମନଘାଟୀ ଅଞ୍ଚଳ ହେଉଛି ଖଣି ଖାଦାନ ପ୍ରଭାବିତ ଓ ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ।
ଏଣୁ ଅଧିକାଂଶ ଲୋକ କିଡନୀ ରୋଗରେ ପିଡୀତ। ତେବେ ଉକ୍ତ ଡାକ୍ତରକାନାରେ ଡାଇଲେସିସ୍ ବ୍ୟବସ୍ଥା ନଥିବାରୁ ଅଞ୍ଚଳବାସୀ ହୋଇରାଣ ହୋଇ ବାରିପଦା, କଟକ, ଟାଟା ନଗର ପ୍ରଭୃତି ସ୍ଥାନକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ତେବେ ଗତ ୪ ସେପ୍ଟେମ୍ବରରେ ଆମର ରାଜ୍ୟର ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ମେଡିକାଲର ଆଇପିଡି ଗୃହ ଉଦଘାଟନ କରିଥିଲେ। ଉପଖଣ୍ଡବାସୀ ଖୁସି ହେଲେ ଯେ ବର୍ତ୍ତମାନ ରୋଗୀଙ୍କୁ ନୂତନ ଆଇପିଡି ଗୃହରେ ଉତ୍ତମ ଚିକିତ୍ସ୍ୟା ମିଳିବ, ଆଉ ଚଟଣାରେ ଶୋଇ ଚିକିତ୍ସ୍ୟା ହେବାକୁ ପଡିବ ନାହିଁ। କିନ୍ତୁ ଉଦଘାଟନ ହେବାର ସପ୍ତାହେ ନହେଉଣୁ ନୂତନ ଗୃହରେ ପ୍ରାୟ ୭୦ ପ୍ରତିଶତ ରୋଗୀ ଶଯ୍ୟା ବଦଳରେ ଚଟାଣରେ ଶୋଇ ଚିକିତ୍ସ୍ୟା ହେଉଥିବା ଦେଖିବାକୁ ମିଳୁଛି। ତେବେ ହସ୍ପିଟାଲର ଦୂରାବସ୍ଥା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା। ଏଣୁ ଉପଖଣ୍ଡ ଚିକିତ୍ସାଳୟରେ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବା ସହିତ ଖାଲି ପଡିଥିବା ଡାକ୍ତର ନିଯୁକ୍ତ ଯଥାଶିଘ୍ର କରାଯାଉ ବୋଲି ଉପଖଣ୍ଡବାସୀ ଦାବି କରିଛନ୍ତି।