ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା: କେବଳ ଜରୁରୀକାଳୀନ ସ୍ଥିତିରେ ସରକାରୀ ହସ୍ପିଟାଲ୍ ପସନ୍ଦ

ଖୋର୍ଦ୍ଧା: ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ ଚିକିତ୍ସାଳୟରେ ଯେପରି ଏନେଇ କୌଣସି ଅବ୍ୟବସ୍ଥା ନହୁଏ ସେନେଇ ସରକାର ମଧ୍ୟ ନିୟମିତ ଭାବେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଅନ୍ୟ ଜିଲ୍ଲା ଠାରୁ ଅପେକ୍ଷାକୃତ ଅଧିକ ସଂଖ୍ୟକ ଡାକ୍ତର, ସରକାରୀ ଚିକିତ୍ସାଳୟରେ ଉନ୍ନତ ଭିତ୍ତିଭୂମି ରହିଛି । କିନ୍ତୁ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜିଲ୍ଲାୱାରୀ ସ୍ୱାସ୍ଥ୍ୟସେବା ସମ୍ପର୍କିତ ରିପୋର୍ଟରେ ଏକ ଭିନ୍ନ କଥା ଜଣାପଡ଼ିଛି । ସାଧାରଣ ଅବସ୍ଥାରେ ଗର୍ଭଜନିତ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଘରୋଇ ହସ୍ପିଟାଲ୍ ଲୋକଙ୍କ ପସନ୍ଦ ଥିବା ବେଳେ ଆପତକାଳୀନ ପରିସ୍ଥିତିରେ କିନ୍ତୁ ସରକାରୀ ଚିକିତ୍ସାଳୟ ହିଁ ଭରସାର ମାଧ୍ୟମ ହୋଇଛି ।

ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ବର୍ଷ ପାଇଁ ପ୍ରକାଶିତ ପାରିବାରିକ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟରେ ଜିଲ୍ଲାରେ ବିଶେଷତଃ ସହରାଂଚଳର ଗର୍ଭବତୀ ମହିଳା ସରକାରୀ ଚିକିତ୍ସାଳୟରୁ ମୁହଁ ଫେରାଉଛନ୍ତି । ତେବେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ଚିକିତ୍ସାଳୟ ହିଁ ପ୍ରମୁଖ ମାଧ୍ୟମ ହୋଇରହିଛି । ତଥ୍ୟାନୁସାରେ, ଏପ୍ରିଲ ଠାରୁ ଡିସେମ୍ବର ମଧ୍ୟରେ, ସରକାରୀ ଚିକିତ୍ସାଳୟରେ ୧୮,୭୧୩ଜଣ ମହିଳାଙ୍କ ପ୍ରସବ ହୋଇଥିଲା । ୨୦୧୮-୧୯ରେ ଏହା ୧୮,୫୨୮ ରହିଥିଲା । ତେବେ ଘରୋଇ ହସ୍ପିଟାଲରେ ୨୦୧୮-୧୯ରେ ଏହି ସଂଖ୍ୟା ୮୨୯୯ ଥିବା ବେଳେ ୨୦୧୯-୨୦ରେ ବୃଦ୍ଧି ପାଇ ୧୧,୪୯୬କୁ ପହଂଚିଥିଲା । ମୋଟାମୋଟି ଭାବେ, ଘରୋଇ ହସ୍ପିଟାଲରେ ପ୍ରସବ ଅନୁପାତ ୨୦୧୮-୧୯ରେ ୩୦.୯ ପ୍ରତିଶତ ରହିଥିବା ବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇ ୩୮.୧ ପ୍ରତିଶତରେ ପହଂଚିଛି । ସେହିଭଳି, ସେହିବର୍ଷ ନଭେମ୍ବର ସୁଦ୍ଧା ୪୦୭୫ଜଣ ମହିଳାଙ୍କ ପ୍ରସବକାଳୀନ ଅସ୍ତ୍ରୋପଚାର ହୋଇଥିଲା । ଏହା ମଧ୍ୟରୁ ୧୩୪୧ଟି ସରକାରୀ ଚିକିତ୍ସାଳୟରେ ହୋଇଥିବା ବେଳେ ୨୭୩୪ଟି ଘରୋଇ ହସ୍ପିଟାଲରେ ହୋଇଥିଲା । ତେବେ ଜରୁରୀକାଳୀନ ପରିସ୍ଥିତିରେ, ଗ୍ରାମାଂଚଳରେ ସରକାରୀ ଚିକିତ୍ସାଳୟ ଉପରେ ଲୋକ ଅଧିକ ନିର୍ଭର କରିଛନ୍ତି । ଅପରପକ୍ଷରେ, ଗର୍ଭପାତ ପାଇଁ ଘରୋଇ ଚିକିତ୍ସାଳୟ ଠାରୁ ସରକାରୀ ଚିକିତ୍ସାଳୟ ଉପରେ ଅଧିକ ଆସ୍ଥା ପ୍ରକଟ କରିଛନ୍ତି ।

ସେହି ସମୟରେ ମୋଟ ୧୫୦୫ଟି ଗର୍ଭପାତ ହୋଇଥିବାବେଳେ ଏହା ମଧ୍ୟରୁ ୧୪୯୬ଟି ସରକାରୀ ଚିକିତ୍ସାଳୟରେ ଓ ୯ଟି ଘରୋଇ ହସ୍ପିଟାଲରେ ହୋଇଥିଲା । ଯଦିଓ ସାଧାରଣ ଅବସ୍ଥାରେ ଗର୍ଭବତୀ ମହିଳା ଘରୋଇ ହସପିଟାଲକୁ ଅଧିକ ପସନ୍ଦ କରୁଥିବା ବେଳେ ଅନ୍ତଃସ୍ରାବ, ରକ୍ତହୀନତା, ସେପ୍ସିସ ଆଦି ପରିସ୍ଥିତିରେ ସରକାରୀ ଚିକିତ୍ସାଳୟ ଅଧିକ ନିର୍ଭରଯୋଗ୍ୟ ସାବ୍ୟସ୍ତ ହୋଇଛି । ଏହି ସମୟରେ, ୨୬୫୦ ଜଣ ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଏହା ମଧ୍ୟରୁ ୧୯୪୫ଜଣ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ୭୦୫ଜଣ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଅପରପକ୍ଷରେ, ତଥ୍ୟରୁ ଆଉ ଏକ କଥା ସ୍ପଷ୍ଟ ହୋଇଛି, ଯଦିଓ ଗର୍ଭବତୀ ମହିଳାଙ୍କ ରକ୍ତହୀନତା, ରକ୍ତଚାପ ଆଦି ରୋଗର ମାତ୍ରା ୨୦୧୮-୧୯ ଠାରୁ ସାମାନ୍ୟ ହ୍ରାସ ପାଇଛି । ଏହାସହ କମ୍ ଓଜନ ବିଶିଷ୍ଟ ନବଜାତଙ୍କ ସଂଖ୍ୟା ମଧ୍ୟ ଅନେକ ପରିମାଣରେ ହ୍ରାସ ପାଇଛି । ତେବେ, ଘରେ ପ୍ରସବ ସଂଖ୍ୟା ୨୦୧୮-୧୯ ଠାରୁ ୨୦୧୯-୨୦ରେ ପ୍ରାୟ ୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଘରେ ସୁରକ୍ଷିତ ପ୍ରସବ ପାଇଁ ଧାଈ, ଏଏନ୍ସିଙ୍କ ଉପସ୍ଥିତି ମଧ୍ୟ ହ୍ରାସ ପାଇଛି । ୨୦୧୮-୧୯ରେ ଘରେ ପ୍ରସବ ସମୟରେ ଧାଈ, ଏଏନ୍ସିଙ୍କ ଉପସ୍ଥିତି ୨୨ ପ୍ରତିଶତ ଥିବା ବେଳେ ୨୦୧୯-୨୦ରେ ଏହା ୧୯ପ୍ରତିଶତକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର