ସୁଧୁରୁନି ଜିଲ୍ଲା ହସ୍ପିଟାଲ୍‌ର ସ୍ବାସ୍ଥ୍ୟସେବା, ମିଳୁନି ବେଡ୍‌; ତଳେ ଗଡ଼ୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସୁଧୁରିବାର ନାଁ ଧରୁନାହିଁ। କେତେବେଳେ କାନ୍ଥରୁ ଟାଇଲ୍‌ ଖସି ଚିକିତ୍ସାଧୀନ ପ୍ରସୂତି ରୋଗୀ ଆହତ ହେଉଛନ୍ତି ତ’ କେତେବେଳେ ବେଡ୍‌ରୁ ପଟ୍ଟା ହୁଗୁଳିଯିବାରୁ ମା’ ସହ ଅସୁସ୍ଥ ସାତ ମାସର ଶିଶୁକନ୍ୟା ତଳେ ପଡ଼ି ଅଳ୍ପକେ ବର୍ତ୍ତି ଯାଉଛନ୍ତି। ଏ ସବୁ ଅଘଟଣକୁ ନେଇ ଚର୍ଚ୍ଚାରେ ରହୁଥିବା ଜିଲ୍ଲା ଚିକିତ୍ସାଳୟର ଏବେ ଆଉ ଏକ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସାମ୍ନାକୁ ଆସୁଛି। ରୋଗୀଙ୍କୁ ବେଡ୍‌ ମିଳୁନାହିଁ। ଦିନ ଦିନ ଧରି ତଳେ ବେଡସିଟ୍‌ ପାରି ତଳେ ଗଡ଼ୁଥିବା ଅବସ୍ଥାରେ ଚିକିତ୍ସା ଚାଲିଛି। ମେଡିସିନ୍‌ ବିଭାଗର ମହିଳା ଵାର୍ଡରେ ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ପାଇଖାନା ଘର ଅବସ୍ଥା ଏତେ ଶୋଚନୀୟ ଯେ ଭିତରକୁ ଯିବା କଷ୍ଟକର ହୋଇପଡ଼ୁଛି। ଭିତରେ ନା’ ବାଲ୍‌ଟି ଅଛି ନା’ ମଗ। ଉତ୍କଟ ଗନ୍ଧରେ ନାକ ଫାଟି ପଡ଼ୁଥିବା ବେଳେ ଶୌଚ ହେବା ପାଇଁ ରୋଗୀ ଓ ତାର ଆଟେଣ୍ତାଣ୍ଟ୍‌ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗୋଟିଏପଟେ ରୋଗୀଙ୍କୁ ବେଡ୍‌ ମିଳୁନଥିବା ବେଳେ ଅନ୍ୟପଟେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପରିସ୍ଥିତିକୁ ଆହୁରି ଜଟିଳ କରିଦେଲାଣି। ଏଭଳି ସ୍ଥିତିରେ ଶ୍ୟାମଗୁଡ଼ିଆରେ ହୋଇଥିବା ନୂଆ ବିଲ୍‌ଡି˚କୁ ମୁଖ୍ୟ ହସ୍ପିଟାଲ୍‌ ସ୍ଥାନାନ୍ତର ହେବାକୁ ଆଉ କେତେ କାଳ ଲାଗିବ, ତାକୁ ନେଇ ପ୍ରଶ୍ନ ଉଠିଲାଣି। ଇଚ୍ଛାପୁର ନିକଟ ଶ୍ୟାମଗୁଡ଼ିଆରେ ଜିଲ୍ଲା ହସ୍ପିଟାଲ୍‌ ପାଇଁ ନୂଆ କୋଠା ନିର୍ମାଣ ସରିଛି। ହେଲେ ଆବଶ୍ୟକ ସରଞ୍ଜାମ ନ ଥିବାରୁ ସେଠାକୁ ହସ୍ପିଟାଲ୍‌ ସ୍ଥାନାନ୍ତର ହେଇପାରୁନାହିଁ। କଣ୍ଟ ପରେ କଣ୍ଟ ପୂରୁଛି ପଛେ, କିନ୍ତୁ ନୂଆ କୋଠାରେ ହସ୍ପିଟାଲ୍‌ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହେବା ଏଯାଏ ସମ୍ଭବ ହେଇପାରିଲା ନାହିଁ। ଏ ପ୍ରକାର ପରିସ୍ଥିତିରେ ବର୍ତ୍ତମାନ ଚାଲିଥିବା ଜିଲ୍ଲା ହସ୍ପିଟାଲ୍‌ରେ ଯେଉଁଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦୟନୀୟ ଚିତ୍ରସବୁ ଦେଖିବାକୁ ମିଳୁଛି, ତାହା ଆଚମ୍ବିତ କରୁଛି। ଗତ ମେ’ ୩୦ତାରିଖରେ କାନ୍ଥରୁ ଟାଇଲ୍‌ ଜଣେ ପ୍ରସୂତି ରୋଗୀଙ୍କ ଉପରକୁ ଖସି ପଡ଼ିବାରୁ ସେ ଆହତ ହେବା ଘଟଣା ସାମ୍ନାକୁ ଆସିଥିଲା।

ଏହାପରେ ପରେ ଗତ ଜୁଲାଇ ୨୮ରେ ଅନୁରୂପ ଆଉ ଏକ ଅଘଟଣ ଘଟିଥିଲା। ବେଡ୍‌ରୁ ପଟ୍ଟା ହୁଗୁଳି ଯିବାରୁ ତଳେ ପଡ଼ି ରାଜକନିକା ଅଞ୍ଚଳର ଜଣେ ସାତ ମାସର ଶିଶୁ କନ୍ୟା ସହ ମା’ ଅଳ୍ପକେ ବର୍ତ୍ତି ଯାଇଥିଲେ। ମହିଳାଙ୍କ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଥିଲା। ହେଲେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବର ସହ ନେବା ପରିବର୍ତ୍ତେ ଅତ୍ୟନ୍ତ ହାଲୁକା ଭାବେ ନେବା ସହିତ ବେଡ୍‌ରେ ୪ଜଣ ବସିବାରୁ ଏଭଳି ପରିସ୍ଥିତି ହେଲା ବୋଲି ସଫେଇ ଦେଇ ନିଜ ମୁଣ୍ତରୁ ଦୋଷ ଝାଡ଼ି ଦେଇଥିଲେ। ତେବେ ଏବେ ମହିଳା ଵାର୍ଡରୁ ଯେଉଁ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି, ତାହା ହସ୍ପିଟାଲ୍‌ର ଦୁର୍ବଳ ସ୍ବାସ୍ଥ୍ୟସେବାକୁ ପୁଣି ଥରେ ପଦାରେ ପକାଇ ଦେଇଛି। ଏଠାରେ ବେଡ୍‌ ଅଭାବରୁ ରୋଗୀଙ୍କୁ ଦିନ ଦିନ ଧରି ତଳେ ଗଡ଼ୁଛନ୍ତି। ଏପରିକି ବାହାର ବାରଣ୍ତାରେ ବି ଅନେକ ରୋଗୀ ଶୋଇଥିବା ଦେଖିବାକୁ ମିଳିଛି। ତେବେ ବେଡ୍‌ ନ ମିଳିବାଠୁ ବଳି ଯାଉଛି ପରିମଳ ସମସ୍ୟା ଜନିତ ଯନ୍ତ୍ରଣା। ଉତ୍କଟ ଗନ୍ଧରେ ପାଇଖାନା ଘର ଫାଟି ପଡ଼ୁଥିବା ବେଳେ ବାଲ୍‌ଟି, ମଗ ଅଭାବରୁ ଶୌଚ ହେବାରେ ରୋଗୀ ଓ ତାର ଆଟେଣ୍ତାଣ୍ଟ୍‌ ସମସ୍ୟାରେ ପଡ଼ୁଛନ୍ତି। ମନକରପୁରର ବାସନ୍ତୀ ଦାସଙ୍କ କହିବାନୁଯାୟୀ ଗତକାଲି ଦିନ ୩ଟା ବେଳୁ ଆସିଲୁଣି। ଏଯାଏ ବେଡ୍‌ ମିଳିଲା ନାହିଁ। ସେହିପରି ଓସ୍ତପୁରର ଇଲା ମହାନ୍ତି, ମହାକାଳପଡ଼ାର ସୌରବାଳା ରାଉତ ବି ବେଡ୍‌ ଅଭାବରୁ ତଳେ ଶୋଇଛନ୍ତି। ତଳେ ଶୋଇଥିବାରୁ କାହାର ସାଲାଇନ୍ ବେଡ୍‌ ବାଡ଼ାରେ ତ’ କାହାର ଝରକା ଗ୍ରିଲ୍‌ରେ ବନ୍ଧା ଯାଇଥିବା ଦେଖିବାକୁ ମିଳୁଛି। ଏହା ସୂଚାଇ ଦେଉଛି ଯେ ଜିଲ୍ଲା ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟସେବା କେତେ ଜଟିଳ ରୂପ ଧାରଣ କରି ସାରିଲାଣି। ଯେଉଁ ଅନୁପାତରେ ରୋଗୀ ଭର୍ତ୍ତି ହେଉଛନ୍ତି, ସେହି ଅନୁଯାୟୀ ହସ୍ପିଟାଲ୍‌ରେ ବେଡ୍‌ ନାହିଁ। ଫଳରେ ରୋଗୀ ତଳେ ଶୋଇବାକୁ ବାଧୢ ହେଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଯଦିଓ ଶାମଗୁଡ଼ିଆରେ ନୂଆ କୋଠା ନିର୍ମାଣ ହେଲା, କିନ୍ତୁ ସେଠାକୁ ସ୍ଥାନାନ୍ତର ହେବା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସ୍ବାସ୍ଥ୍ୟ ସେବାରେ ପରିବର୍ତ୍ତନ ଆସୁନାହିଁ।

ସମ୍ବନ୍ଧିତ ଖବର