କେନ୍ଦ୍ରାପଡ଼ା କଲେଜରେ ଜିଲ୍ଲା ପ୍ରଶାସନର ମନମାନି, କୋଭିଡ୍‌ ଆଳରେ ଛାତ୍ରୀନିବାସ ବି କବ୍‌ଜା

ରହିବାକୁ ବିଦ୍ୟାର୍ଥୀ ଦହଗଞ୍ଜ; ଅଧ୍ୟକ୍ଷଙ୍କ ଚିଠିକୁ ବି ହେୟଜ୍ଞାନ

କେନ୍ଦ୍ରାପଡ଼ା: କେବଳ ବାଣିଜ୍ୟ ବ୍ଲକ୍‌ ନୁହେଁ; ଶହେ ଶଯ୍ୟାବିଶିଷ୍ଟ ଏକ ଛାତ୍ରୀନିବାସ (ଗାର୍ଲସ୍‌ ହଷ୍ଟେଲ୍‌)କୁ ବି ଜିଲ୍ଲା ପ୍ରଶାସନ ମାଡ଼ି ବସି ରଖିଛି। ଗଲା ପ୍ରାୟ ବର୍ଷେ ହେବ ଏହି ହଷ୍ଟେଲ୍‌କୁ ପ୍ରଶାସନ ତାଲା ମାରି ରଖିଥିବାରୁ ଛାତ୍ରୀମାନେ ରହିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକତାଠାରୁ ଅଧିକ ଛାତ୍ରୀ ଖୁନ୍ଦାଖୁନ୍ଦି ହେଇ ଅନ୍ୟ ହଷ୍ଟେଲ୍‌ରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଥଚ, କରୋନାକୁ ଗଣ୍ଠି କରି ପ୍ରଶାସନ ହଷ୍ଟେଲ୍‌ ଛାଡ଼ିବାର ନାଁ ଧରୁନାହିଁ। କରୋନା ସ˚କ୍ରମଣ ଖସି ସ୍ଥିତି ସ୍ବାଭାବିକ ହେବା ପରେ ବି ଯଦି ଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ହଷ୍ଟେଲ୍‌ ମେଡିକାଲ୍‌ ଉପକରଣରେ ଭର୍ତ୍ତି ହୋଇ ରହିବ ଆଉ ହଷ୍ଟେଲ୍‌ ଫି’ ଦେଇ ଛାତ୍ରୀମାନେ ଏହାର ସୁବିଧା ପାଇପାରିବେ ନାହିଁ; ତା’ହେଲେ ଧରିନେବାକୁ ପଡ଼ିବ ଯେ ପିଲାମାନଙ୍କ ଭବିଷ୍ୟତ ପ୍ରତି ଜିଲ୍ଲା ପ୍ରଶାସନର ସାମାନ୍ୟତମ ଖାତିର‌୍‌ ନାହିଁ।

ପ୍ରଶାସନର ଏଭଳି ମନମାନି ତଥା ବେପରୁଆ ଆଭିମୁଖ୍ୟ ବିରୋଧରେ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ବେଳେ ଆଗକୁ ଏହା ଆନ୍ଦୋଳନର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। କରୋନା ବେଳଠୁ ପ୍ରଶାସନ ବାଣିଜ୍ୟ ବ୍ଲକ୍‌କୁ ଯେମିତି ଅକ୍ତିଆର କରି ନେଇଥିଲା, ଠିକ୍‌ ସେମିତି ଏହି ହଷ୍ଟେଲ୍‌କୁ ବି ନେଇଯାଇଛି। କରୋନାର ଦ୍ବିତୀୟ ଲହରଠୁ ପ୍ରଶାସନ ହଷ୍ଟେଲ୍‌ରେ ତାଲା ମାରି ରଖିଛି ଯେ ଖାଲି କରିବାର ନାଁ ଧରୁନାହିଁ। ୨୦୨୧ମସିହାରେ ଏହି ନବ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ଲୋକାର୍ପିତ ହୋଇଥିଲା। ଦଳିତ ବର୍ଗର ଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ଏହି ହଷ୍ଟେଲ୍‌ କିନ୍ତୁ ଏଯାଏ ପିଲାଙ୍କ କାମରେ ଆସିପାରିଲା ନାହିଁ। ଗଲା ପ୍ରାୟ ବର୍ଷେ ହେବ ପ୍ରଶାସନ ଏହି ହଷ୍ଟେଲ୍‌ରେ ଅକ୍ସିଜେନ୍‌ ସିଲିଣ୍ତର‌୍‌ଠୁ ବେଡ୍‌, ଗଦି ଏବ˚ ଅନ୍ୟାନ୍ୟ ମେଡିକାଲ୍‌ ଉପକରଣ ଭର୍ତ୍ତି କରି ତାଲା ମାରି ରଖିଛି। କରୋନା ଦ୍ବିତୀୟ ଲହର ବେଳେ ଏହି ହଷ୍ଟେଲ୍‌କୁ କୋଭିଡ୍‌ ହସ୍ପିଟାଲ୍‌ରେ ପରିଣତ କରାଯାଇଥିଲା। ସ˚କ୍ରମିତ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ଏଠାରେ ଯୋଗାଇ ଦିଆଯାଉଥିଲା। କିନ୍ତୁ ଇତିମଧ୍ୟରେ କରୋନାର ଦ୍ବିତୀୟ ଯାଇ ତୃତୀୟ ଲହର ବି ଗଲାଣି, କିନ୍ତୁ ପ୍ରଶାସନ ହଷ୍ଟେଲ୍‌ ନ ଛାଡ଼ିବା ଉଦ୍‌ବେଗର ବିଷୟ ହୋଇଛି। ତେଣେ ଛାତ୍ରୀମାନେ ରହିବା ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା ନ କହିବା ଭଲ।

ଯେହେତୁ ରହିବା ପାଇଁ ଫି’ ଦେଇଛନ୍ତି, ତେଣୁ କର୍ତ୍ତୃପକ୍ଷ ଅନ୍ୟ ହଷ୍ଟେଲ୍‌ରେ ପିଲାଙ୍କୁ କଷ୍ଟେମଷ୍ଟେ ଥଇଥାନ କରି କାମ ଚଳେଇ ନେଉଛନ୍ତି। କିନ୍ତୁ ସମସ୍ୟା ହେଉଛି, ହଷ୍ଟେଲ୍‌ ରୁମ୍‌ରେ ଆବଶ୍ୟକତାଠାରୁ ଅଧିକ ରଖାଯାଇଥିବାରୁ ପିଲାମାନଙ୍କ ରହଣୀଠୁ ପାଠପଢ଼ା ଯାଏ ସବୁକିଛି ବ୍ୟାହତ ହେଉଛି। ଖୋଦ୍‌ କିଛି ଛାତ୍ରୀ ଏ ସ˚କ୍ରାନ୍ତରେ ଅଭିଯୋଗ କରିବା ସହିତ ପ୍ରଶାସନ ତୁରନ୍ତ ହଷ୍ଟେଲ୍‌ ଖାଲି କରିବାକୁ ଦାବି କରିଛନ୍ତି। ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ରୁମ୍‌ରେ ୪ ଜଣ ରହିବା କଥା, ସେଠି ଆମେ ୬ ଜଣ ରହୁଛୁ। ଚଳପ୍ରଚଳ କରିବାଠୁ ଖାଦ୍ୟପେୟ, ପାଠପଢ଼ା ଯାଏ ସବୁଥିରେ ସମସ୍ୟା ହେଉଛି। ନୂଆ ହଷ୍ଟେଲ୍‌ ଆବଣ୍ଟନ ହେଲେ ଅନ୍ତତଃପକ୍ଷେ ଏହି ସମସ୍ୟା ଦୂର ହୋଇଯା’ନ୍ତା। କିନ୍ତୁ କରୋନା ପ୍ରଭାବ କମି ସବୁକିଛି ସ୍ବାଭାବିକ ହେବା ପରେ ବି ପ୍ରଶାସନ କାହିଁକି ଆମ ହଷ୍ଟେଲ୍‌କୁ ମାଡ଼ି ବସି ରଖିଛି ବୋଲି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

ସେପଟେ କଲେଜ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ ପିଲାମାନେ ହଷ୍ଟେଲ୍‌ ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସ˚କ୍ରାନ୍ତରେ ଏକାଧିକବାର ପ୍ରଶାସନକୁ ଜଣାଇଛି। ହଷ୍ଟେଲ୍‌ ଖାଲି କରିବାକୁ ଅନୁରୋଧ କରିଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ସବୁକିଛି ସ୍ବାଭାବିକ ହେବା ପରେ ଯେତେବେଳେ ସ୍କୁଲ୍‌, କଲେଜ ଖୋଲିଗଲାଣି, ସେତେବେଳେ ପ୍ରଶାସନ କରୋନାକୁ ଆଳ କରି କାହିଁକି ହଷ୍ଟେଲ୍‌କୁ ମାଡ଼ି ବସି ରଖିଛି, ତାହା ବୁଝାପଡ଼ୁନାହିଁ। କେନ୍ଦ୍ରାପଡ଼ାର ଯୁବ ଓଡ଼ିଆ ଆଇଏଏସ୍‌ ଜିଲ୍ଲାପାଳଙ୍କୁ କ’ଣ ପିଲାମାନଙ୍କ ଏହି ସମସ୍ୟା ବିଚଳିତ କରୁନାହିଁ? ହଷ୍ଟେଲ୍‌ ସୁବିଧା ଥାଇ ବି ପିଲାମାନେ କ’ଣ ରହିବା ପାଇଁ ଏମିତି ଦହଗଞ୍ଜ ହେବେ? ବାରମ୍ବାର ଅନୁରୋଧ କରାଯିବା ପରେ ବି ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବ ନାହିଁ, ତା’ହେଲେ କଲେଜ କର୍ତ୍ତୃପକ୍ଷ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନ ଉଠୁଛି। ଯେହେତୁ ଛାତ୍ରୀମାନଙ୍କ ବୃହତ୍ତର ସ୍ବାର୍ଥ ସହିତ ଏହି ପ୍ରସଙ୍ଗ ଜଡ଼ିତ ହୋଇ ରହିଛି, ତେଣୁ ବିଳମ୍ବରେ ହେଲେ ମଧୢ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଉଛି ନା’ ଆଖି ବୁଜି ଦେଉଛି, ତାହା ଏବେ ଦେଖିବାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର