ଜୟପୁର: ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବାକୁ ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଗ୍ରାଧିକାର ଦେଇ ଆସୁଛନ୍ତି। ତେବେ ଯେଉଁ ଅନୁପାତ‌ର ଛାତ୍ରୀ ଛାତ୍ରୀନିବାସରେ ରହିବାକୁ ଆବେଦନ କରୁଛନ୍ତି ସେଥିରୁ ମାତ୍ର ଏକ ଚତୁର୍ଥାଂଶ ପିଲା ହିଁ ଛାତ୍ରୀନିବାସରେ ସ୍ଥାନ ପାଉଛନ୍ତି। ବଳକା ପିଲା ଭଡ଼ା ଘର ନେଇ ରହୁଛନ୍ତି। ଏହି ଛାତ୍ରୀମାନେ ବାହାରେ ଅସୁରକ୍ଷିତ ଅବସ୍ଥାରେ ରହୁଥିବା ବହୁ ଅବିଭାବକ ମାନେ କହିଛନ୍ତି। ସଂପ୍ରତି ବୈପାରୀଗୁଡା ଅଂଚଳର ଜୈନେକା ଛାତ୍ରୀ ବି ଏଭଳି ଅସୁରକ୍ଷାର ସାମ୍ନା କରି ସଂପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛି। ସୂଚନା ମୁତାବକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଯୁକ୍ତ ଦୁଇରୁ ଆରମ୍ଭ କରି ସ୍ନାତକ, ସ୍ନାତକୋତ୍ତର ପଢ଼ିବା ସମ୍ମାନ ବୋଧ ଅନୁଭବ କରୁଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକ। ‌ଏହାସହ ରାଜ୍ୟର କୋଣ ଅନୁକୋଣର ପିଲା ଏଠାରେ ବିଇଡି ପଢ଼ିବାକୁ ନାଁ ଲେଖାଇଛନ୍ତି। ୬ହଜାର ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ବେଳେ ଏଥିରୁ ୩ହଜାର ୫୦୦ଜଣ ଛାତ୍ରୀ ପଢ଼ୁଥିବା ସୂଚନା ମିଳିଛି।

Advertisment

ତେବେ ଏଥିରୁ ଏକ ହଜାର ଛାତ୍ରୀ ଜୟପୁର ସହର ସମେତ ଜୟପୁର ବ୍ଲକ, ବୋରିଗୁମ୍ମା, ବୈପାରୀଗୁଡା ଓ କୁନ୍ଦ୍ରାବ୍ଲକର ଛାତ୍ରଛାତ୍ରୀ ଯିବା ଆସିବା କରି ପଢ଼ୁଛନ୍ତି। ବଳକା ୨୫୦୦ଛାତ୍ରୀ ରହିବା ପାଇଁ ଏଠାରେ ସେତେବଡ଼ ଛାତ୍ରୀନିବାସ ନାହିଁ। ତେବେ ଏଠାରେ ଥିବା ୪ଟି ଛାତ୍ରୀ ନିବାସରେ ୪୦୦ଜଣ ଛାତ୍ରୀ ରହି ଆସୁଛନ୍ତି। ଗୋଟିଏ ଛାତ୍ରୀନିବାସର ଅବସ୍ଥା ଜରାଜୀର୍ଣ୍ଣ ଥିବାରୁ ତାକୁ ବନ୍ଦ କରିବାକୁ ଜିଲ୍ଲାପାଳ ଗସ୍ତ ସମୟରେ ନିର୍ଦ୍ଦେଶ ଦେଇଥିଲେ। ତା’ପର ଠାରୁ ସେହି ଛାତ୍ରୀନିବାସ ବନ୍ଦ ହେବା ପରେ ସେଠାରେ ରହୁଥିବା ୫୦ଛାତ୍ରୀ ବି ଛାତ୍ରୀନିବାସ ପାଇବାରୁ ବଂଚିତ ହୋଇଛନ୍ତି। ୪୦୦ଛାତ୍ରୀ ରହିବା ପାଇଁ ସଂପ୍ରତି ୪ଟି ଛାତ୍ରୀନିବାସ ଚାଳିଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ଡଃ. ଗୋପାଳ ହାଲଦାର। ନୂଆରେ ଆଉ ଗୋଟିଏ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ପାଇଁ ଜିଲ୍ଲାପାଳ ଓ ଜୟପୁର ବିଧାୟକ ପୂର୍ତ୍ତବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ତ୍ତବିଭାଗବି ସଂପ୍ରତି ଛାତ୍ରୀ ନିବାସ ନିର୍ମାଣ ପାଇଁ ସ୍ଥାନ ମାପଚୁପ କରିଥିଲେ।

ତେବେ ଜମି କମ୍ ପଢ଼ୁଥିବାରୁ ଏହାକୁ ନେଇ ନୂଆ ଯୋଜନା କରୁଛନ୍ତି ବୋଲି କହିଛନ୍ତି ରେଜିଷ୍ଟ୍ରାର। ଏଠାରେ ୩ଟି ଅନୂସୂଚିତ ଜାତି ଓ ଜନଜାତି ଛାତ୍ରୀନିବାସ ରହିଥିବା ବେଳେ ଗୋଟିଏ ସାଧାରଣ ରହିଛି। ଯୁକ୍ତଦୁଇ, ସ୍ନାତକ, ସ୍ନାତକ‌ୋତ୍ତର ଆଦି ପଢ଼ୁଥିବା ପିଲାଙ୍କୁ ସଂରକ୍ଷଣ ବର୍ଗ ଅନୁପାତରେ ରଖାଯାଉଛି ବୋଲି କହିଛନ୍ତି ରେଜିଷ୍ଟ୍ରାର। ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ ନିର୍ମାଣ ସରିଲେ ଏବଂ ଯୁକ୍ତଦୁଇ ହାୟରସେକଣ୍ଡରୀ ସ୍କୁଲ ବିଶ୍ବବିଦ୍ୟାଳୟରୁ ହ ଅଲଗା ହେଲେ କିଛି ମାତ୍ରାରେ ସମସ୍ୟା ଦୁର ହୋଇ ପାରିବ ବୋଲି କହିଛନ୍ତି ରେଜିଷ୍ଟ୍ରାର। ଅପରପକ୍ଷରେ ଛାତ୍ରୀ ମାନେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ଅଗ୍ରାଧିକାର ଦେଇ ଆସିବା ପରେ ଏଠାରେ ଛାତ୍ରୀନିବାସ ନ ମିଳିବା ପରେ ସହରରରେ ଭଡ଼ା ଘର ନେଇ ରହୁଛନ୍ତି। ଏମାନଙ୍କର ଅଯଥା ଖର୍ଚ୍ଚ ବଢ଼ିବା ସହ ଅଭିବାଭକ ମାନେ ମଧ୍ୟ ଏମାନଙ୍କ ସୁରକ୍ଷାକୁ ନେଇ ସବୁ ବେଳେ ଚିନ୍ତାରେ ରହୁଛନ୍ତି। ଯୁକ୍ତଦୁଇ ଛାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା ପରେ ଗତ ଦୁଇଦିନ ହେବ ବାହାରେ ରହୁଥିବା ଛାତ୍ରୀ ମାନଙ୍କର ଅଭିବାଭକ ମାନେ ସେମାନଙ୍କ ଝିଅ ମାନଙ୍କୁ ଦେଖା କରିବାକୁ ଆସୁଥିବା ବି ଦେଖିବାକୁ ମିଳିଛି। ରାଜ୍ୟସରକାର ଓ କେନ୍ଦ୍ର ସରକାର ଝିଅଙ୍କ ପାଠ ପଢ଼ା ପାଇଁ ବିଭିନ୍ନ ଯୋଜନା କରୁଥିବା କହୁଥିବାବେଳେ ଏତେ ସଂଖ୍ୟକ ଛାତ୍ରୀ ମାନେ ପଢ଼ୁଥିବା ବେଳେ ସେମାନଙ୍କ ପାଇଁ ଛାତ୍ରୀନିବାସ ଖଣ୍ଡିକ ସ୍ଥାପନ କରିବା ଆବଶ୍ୟକ କାହିଁକି ମନେ କରୁନାହାନ୍ତି ବୋଲି ଅଭିଭାବକ ମହଲରେ ଉଠିଛି ପ୍ରଶ୍ନ।