ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରର ସରକାରୀ ମହିଳା ମହାବିଦ୍ୟାଳୟରେ ନାହିଁ ଛାତ୍ରୀ ନିବାସ। ଏହି ମହାବିଦ୍ୟାଳୟରେ ଶତକଡା ୭୦ ପ୍ରତିଶତ ଛାତ୍ରୀ ଜୟପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଗାଁ ତଥା କୋଣ ଅନୁକୋଣରୁ ଆସି ପାଠ ପଢୁଥିବା ବେଳେ ଛାତ୍ରୀ ନିବାସ ନ ଥିବାରୁ ଅଭିଭାବକ ଓ ଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଭଡା ଘର ନେଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରୀ। ଏଥିରୁ ବର୍ତ୍ତିବା ପାଇଁ ଛାତ୍ରୀ ମାନେ ସହରର ବିଭିନ୍ନ ମଲ କିମ୍ବା ପେଟ୍ରୋଲ ପମ୍ପରେ ପାର୍ଟଟାଇମ୍ କାମ କରି ପଢ଼ୁଛନ୍ତି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ସହରର ସରକାରୀ ମହିଳା ମହାବିଦ୍ୟାଳୟରେ ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, ବୈପାରୀଗୁଡା, କୁନ୍ଦ୍ରା, କୋଟପାଡ ବ୍ଲକ ସହ ପଡୋଶୀ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଓ ମାତିଲି ବ୍ଲକ ଅଂଚଳର ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ଛାତ୍ରୀ ନିର୍ଭର କରନ୍ତି। ଗ୍ରାମାଂଚଳରୁ ଆସୁଥିବା ପ୍ରାୟ ୭୦ ପ୍ରତିଶତ ବହୁ ଅନୂସୂଚିତ ଜାତି ଓଜନଜାତି ଏବଂ ପଛୁଆ ବର୍ଗର ଗରିବ ଶ୍ରେଣୀର ଛାତ୍ରୀ ମାନେ ଏହି ମହାବିଦ୍ୟାଳୟରେ ପଢ଼ୁଛନ୍ତି। ମହିଳା ମହାବିଦ୍ୟାଳୟ ମଧ୍ୟରେ ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଦ୍ବାରା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରାଯାଇଥିଲେ ହେଁ ଏଥିରୁ ପାଣି ଗଳିବା ସହ ବିପଦସଂକୁଳ ଅବସ୍ଥାରେ ରହିଛି।
ତେଣୁ ଏଠାରେ ଛାତ୍ରୀଙ୍କୁ ଛାତ୍ରୀନିବାସରେ ରଖିବାକୁ କଲେଜ କତ୍ତୃର୍ପକ୍ଷ ସାହସ ଦେଖାଇ ନାହାନ୍ତି। ଛାତ୍ରୀ ନିବାସ ନଥିବାରୁ ଭଡ଼ା ଘର ନେଇ ରହି ପଢ଼ୁଛନ୍ତି। ସହରରେ ଭଡ଼ା ଘରର ଭଡ଼ା ମହଙ୍ଗା ସହ ଦରଦାମ ଅଧିକା ଥିବା ବେଳେ ଖର୍ଚ୍ଚାନ୍ତ ଅଧିକା ହେବା ସହ ଏମାନେ ଚଳିବା ବି ବହୁତ ମୁସ୍କିଲ ହେଉଛି। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବହୁ ଛାତ୍ରୀ ସହରର ମଲ, ପେଟ୍ରୋଲ ଟାଙ୍କି, ପୁଲିସ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର ଆଦିରେ କାମ କରି ପାଠ ପଢ଼ୁଛନ୍ତି। ତେବେ ବହୁ ସମୟରେ ଅସୁରକ୍ଷିତ ଭାବେ ରହୁଥିବା ବହୁ ଅଭିଭାବକ ଓ କିଛି ଛାତ୍ରୀ ବି କହିଛନ୍ତି। ନିମ୍ନମାନର ନିର୍ମାଣ ହୋଇଥିବା ଏବଂ ବିପଦସଂକୁଳ ଥିବାରୁ ଅଘଟଣକୁ ନିମନ୍ତ୍ରଣ ଦେଇ ଛାତ୍ରୀ ମାନଙ୍କୁ ଆଇଟିଡିଏ ଛାତ୍ରୀନିବାସରେ ରଖିବା ଠିକ୍ ନୁହେଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେ ଏସଂପର୍କରେ ଜାଣିବା ପରେ ସଂପ୍ରତି ନୂଆ ଛାତ୍ରୀନିବାସର ନିର୍ମାଣଜାରୀ ରହିଛି ବୋଲି କହିଛନ୍ତି ବିଧାୟକ। ଅଳ୍ପ କିଛିଦିନ ମଧ୍ୟରେ ଏହାର ନିର୍ମାଣ ସରିଲେ ଏହି ଛାତ୍ରୀନିବାସରେ ଛାତ୍ରୀ ମାନେ ରହିବେ ବୋଲି କହିଛନ୍ତି ବିଧାୟକ।