ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଶିକ୍ଷାନୁଷ୍ଠାନ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ପ୍ରତି ପ୍ରଶାସନର ଅବହେଳା ଚରମ ସୀମାରେ ପହଞ୍ଚିଛି। କରୋନାକୁ ଆଳ କରି ଗଲା ୨ ବର୍ଷ ହେଲା କଲେଜର ଦୁଇ ହଷ୍ଟେଲ୍କୁ ପ୍ରଶାସନ ମାଡି ବସିଛି। ପ୍ରଶାସନର ଏଭଳି ସ୍ବେଚ୍ଛାଚାରିତାକୁ ନେଇ ଅସନ୍ତୋଷ ତେଜିଛି। ଏପଟେ ଦୁଇ ହଷ୍ଟେଲ୍କୁ କୋଭିଡ୍ ସେଣ୍ଟର ଭାବେ ବ୍ୟବହାର ବେଳେ ବିଦ୍ୟୁତ୍ ବିଲ୍ ୨ ଲକ୍ଷ ୯୮ ହଜାର ଟଙ୍କା ହୋଇଛି। ଏହି ବିଲ୍ ପଇଠ କରିବାକୁ ପ୍ରଶାସନ ଭୁଲି ଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ହଷ୍ଟେଲ୍ ଝରକା ତାଡ଼ି ଦୁର୍ବୃତ୍ତ ଏହା ଭିତରେ ଥିବା ସାମଗ୍ରୀ ଲୁଟି ନେଇଛନ୍ତି। କରୋନା ବେଳେ ଜିଲ୍ଲା ପ୍ରଶାସନ ଓବିସି(ପଛୁଆ ବର୍ଗ) ଓ ସାଧାରଣ ଛାତ୍ରଙ୍କ ପାଇଁ ନିର୍ମିତ ଛାତ୍ରାବାସକୁ କୋଭିଡ୍ ସେଣ୍ଟର ଭାବେ ବ୍ୟବହାର କରିଥିଲା। କରୋନା ପ୍ରକୋପ ଥମିଥିବା ବେଳେ ୨ ବର୍ଷ ହେଲା ଜିଲ୍ଲା ପ୍ରଶାସନ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଜରିଆରେ ଏହି ହଷ୍ଟେଲ୍ ଦୁଇଟିରେ ତାଲା ପକାଇ ରଖିଛି। ଦୁଇବର୍ଷ ଭିତରେ ଦୁଇ ହଷ୍ଟେଲରେ କୌଣସି ରକ୍ଷଣାବେକ୍ଷଣ କାମ ହୋଇନାହିଁ। ଝରକାଗୁଡିକରେ ଏବେ ଊଇ ଲାଗି ଗଲାଣି। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ସାଧାରଣ ବର୍ଗ ହଷ୍ଟେଲ ଝରକା ତାଡି ଗତ ମାର୍ଚ୍ଚ ମାସ ୧୯ ତାରିଖ ଦିନ ବାସନକୁସନ ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। କରୋନା ପାଇଁ ପ୍ରଶାସନ ପକାଇଥିବା ଖଟ ଓ ଆସବାବପତ୍ର ନେଇଯାଇଥିବା ବେଳେ ଏହି ହଷ୍ଟେଲକୁ ତାଲା ପକାଇ କାହିଁକି ପୌରପରିଷଦ ରଖିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଚୋରି ଘଟଣାକୁ ନେଇ ସେହିମାସ ୨୧ ତାରିଖ ଦିନ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଭାକର ରାଉତ ପଟ୍ଟାମୁଣ୍ଡାଇ ପୌରପରିଷଦ ଓ ଥାନାକୁ ଜଣାଇଥିଲେ। ହେଲେ, ଏହାର ତଦନ୍ତ ହେଲାନି ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି। ଅନ୍ୟପଟେ ଝରକା ଭାଙ୍ଗିବା ଯୋଗୁ ଏହି ଘରେ ଅସାମାଜିକ ଯୁବକଙ୍କ ଆଡ୍ଡା ମଧ୍ୟ ଜମିବାରେ ଲାଗିଛି।
ସେହିପରି ହଷ୍ଟେଲ ତାଲା ପଡିବାର ସୁଯୋଗ ନେଇ ଦାୟିତ୍ବରେ ଥିବା ପୌରପରିଷଦର କର୍ମଚାରୀ ଆକ୍ବାଗାର୍ଡ, ଦାମୀ ଫ୍ୟାନ୍ ଓ ଏସିକୁ ଖୋଲି ନେଇଥିବା ଜଣାପଡିଛି। ଏହି ଦୁଇ ହଷ୍ଟେଲର ବିଦ୍ୟୁତ୍ ବିଲ୍ ବାବଦକୁ ୨ ଲକ୍ଷ ୯୮ ହଜାର ଟଙ୍କା ପଇଠ ହୋଇନାହିଁ। କଲେଜ୍ କର୍ତ୍ତୃପକ୍ଷ ମୁଣ୍ଡରେ ହାତଦେଇ ବସିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଏହି ବିଲ୍ ପଇଠ କରିବାକୁ ନାଁ ଧରୁନି। ଏହି ବିଲ୍ ପଇଠ ପାଇଁ କଲେଜ ଅଧ୍ୟକ୍ଷ ପ୍ରଫେସର ଶ୍ରୀ ରାଉତ କେନ୍ଦ୍ରାପଡା ଏଡିଏମଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏବେ କଲେଜ ଖୋଲିଛି। ଆଗାମୀ ଶିକ୍ଷା ବର୍ଷରେ ଯେଉଁ ପିଲା ହଷ୍ଟେଲରେ ଆଡମିସ୍ନ କରିବେ ସେମାନେ କିପରି ହଷ୍ଟେଲରେ ରହିବେ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେଠାରୁ ଏହି ଦୁଇ ହଷ୍ଟେଲକୁ କଲେଜକୁ ହସ୍ତାନ୍ତର ନ କଲେ ଆଗାମୀ ଶିକ୍ଷା ବର୍ଷ ଭିତରେ ଏଠାରେ ପିଲା ରହିବା ସମ୍ଭବପର ନୁହେଁ ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ କହିଛନ୍ତି।