ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତାଗିଦ୍ କାମ କରୁନାହିଁ, ହଷ୍ଟେଲ ପାଇଁ ଇଟା ଖଣ୍ଡେ ପଡ଼ିଲାନି

ଜଗତସିଂହପୁର ଟାଉନ୍: କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ସରିଛି। କିନ୍ତୁ ଜଗତସିଂହପୁର ବ୍ଲକ୍ ଶାଳଜଙ୍ଗରେ ୫ ବର୍ଷ ତଳେ ନିର୍ମିତ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲଟିଏ ନାହିଁ। ଜିଲ୍ଲାର ପ୍ରଥମ ଆଦର୍ଶ ବିଦ୍ୟାଳୟ ହୋଇଥିବାରୁ ଦୂର ଦୂରାନ୍ତରୁ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଦିନ ଯିବା ଆସିବା ଯନ୍ତ୍ରଣା ଭୋଗୁଛନ୍ତି। ସ୍କୁଲ ଯାଇ ଫେରିବା ବେଳକୁ ସନ୍ଧ୍ୟା ହୋଇଯାଉଛି। ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର ହଷ୍ଟେଲ ଓ ପାଚେରି ନିର୍ମାଣ ସମୀକ୍ଷା କରିବା ୪୦ ଦିନ ବିତିଲାଣି। ସେପ୍ଟେମ୍ବର ୧୭ ସୁଦ୍ଧା କାମ ଶେଷ କରିବାକୁ ତାଗିଦ୍‌ କରିଥିଲେ। କିନ୍ତୁ ଏଯାଏଁ ଇଟା ଖଣ୍ଡେ ପଡ଼ି ନାହିଁ। ସୂଚନା ଅନୁସାରେ, ୨୦୧୮ରେ ଜଗତସିଂହପୁର ବ୍ଲକର ଶାଳିଜଙ୍ଗରେ ଏହି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରା ଯାଇଥିଲା। ଏଥର ସେଠାରୁ ପ୍ରଥମ ବ୍ୟାଚ୍ ମାଟ୍ରିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଖୋଲାଯାଇ ଆଡମିସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ପାଠ ପଢ଼ା ଛାଡ଼ିଦେଲେ ଅନ୍ୟ ଭିତ୍ତିଭୂମି ଅବହେଳିତ ଅବସ୍ଥାରେ ରହିଛି। ଜଣେ ଛାତ୍ରୀଙ୍କ କହିବା ଅନୁସାରେ, ସେ ପ୍ରତ୍ୟେକ ଦିନ ରାହାମାରୁ ଦୈନିକ ୮୦ କିଲୋମିଟର ଯିବାଆସିବା କରିବାକୁ ପଡ଼ୁଛି। ସକାଳ ସାଢ଼େ ୭ଟା ସୁଦ୍ଧା ସ୍କୁଲ ପାଇଁ ପ୍ରସ୍ତୁତ ହୁଏ। ସ୍କୁଲ ଛୁଟି ହେବା ପରେ ଘରେ ପହଞ୍ଚିବା ବେଳକୁ ସଂଧ୍ୟା ସାଢ଼େ ୬ଟା। ଏତିକିରେ ପ୍ରାୟ ୧୧ ଘଣ୍ଟା ସମୟ ବିତିଯାଏ।

ଅଧିକ ଦୂରରୁ ଆସୁଥିବା ପିଲାଙ୍କୁ ୧୨ ଘଣ୍ଟା ବି ଲାଗିଯାଏ। ସ୍କୁଲରୁ ଫେରି ହୋମ୍ ଵାର୍କ କରିବାକୁ ସମୟ ହୁଏ ନାହିଁ। କେବଳ ହଷ୍ଟେଲ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଏହା ଦ୍ବାରା ସମୟ ଓ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ା ଅତ୍ୟନ୍ତ ଉଚ୍ଚକୋଟିର। ଯଦି ହଷ୍ଟେଲ ସୁବିଧା ମିଳିବ ତେବେ ଏହା ଜିଲ୍ଲାର ଶ୍ରେଷ୍ଠ ସ୍କୁଲ ହୋଇପାରିବ। ପିଲା ହଷ୍ଟେଲରେ ରହି ଭଲ ପାଠ ପଢ଼ିପାରିବେ। ଦୂର ପିଲାଙ୍କ ପାଇଁ ଗାଡ଼ି ଭଡ଼ା ବାବଦରେ ମାସକୁ ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ଖାଲି ସେତିକି ନୁହେଁ ତରିକୁନ୍ଦ ଆଡ଼ୁ ଆସୁଥିବା ପିଲାମାନଙ୍କୁ ଦୁଇଟି ଗାଡ଼ି ବଦଳାଇବାକୁ ପଡ଼େ। ବସରେ ଜଗତସିଂହରୁ ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରୁ ଅନ୍ୟ ଏକ ଗାଡ଼ିରେ ସ୍କୁଲ ପର୍ଯ୍ୟନ୍ତ ଯିବା ଆସିବା କରନ୍ତି। ଅଧିକାଂଶ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାରରୁ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ବାଧୁଛି। ଏପରିକି ହଷ୍ଟେଲ ଓ ପରିବହନ ସମସ୍ୟାରୁ ଏଠାରୁ ଟିସି ନେଇ ଅନ୍ୟତ୍ର ପାଠ ପଢ଼ିବାକୁ ଚାଲିଯାଉଥିବା ଅନ୍ୟ ଏକ ଚିନ୍ତାର କାରଣ। ପାଚେରି କାମ ଓ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ଶେଷ ହୋଇ ସାରିଛି। କିନ୍ତୁ କାମ ଆଗେଇ ନାହିଁ। ବିଦ୍ୟାଳୟର ଡାହାଣ ପାର୍ଶ୍ବ କୋଣରେ ପାଚେରିର ଗୋଟିଏ ଅଂଶ ଭାଙ୍ଗିଯାଇଛି। ଭାଙ୍ଗି ଯାଇଥିବା ସ୍ଥାନର ପାଖରେ ପାଚେରିର ଆଉ ଗୋଟିଏ ଅଂଶ ଦବି ଫାଟ ସୃଷ୍ଟି ଫଳରେ ତାହା ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଛି। ସ୍କୁଲର ପଛ ପାର୍ଶ୍ବ ରଙ୍ଗ ଛା଼ଡ଼ିଯିବା ସହ କେତେକ ଜାଗାରେ ପ୍ଲାଷ୍ଟର ଖସିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର