କରୋନା ସନ୍ତୁଳି ଦେଇଛି ହୋଟେଲ୍ ବ୍ୟବସାୟ, ଅନଲାଇନ ବରାଦ ଓ ପାର୍ସଲରୁ ଉଠୁନି ଲାଭ

ଭଞ୍ଜନଗର: ଦୂର ଦୂରାନ୍ତରୁ ତଥା ସ୍ଥାନୀୟ ଲୋକଙ୍କ ମୁହଁକୁ ସୁସ୍ବାଦୁ ଆହାର ଯୋଗାଇବା ପାଇଁ ଖୋଲିଥିବା ହୋଟେଲ୍ ବ୍ୟବସାୟୀମାନଙ୍କ ବର୍ତ୍ତମାନ ଅବସ୍ଥା ଦୟନୀୟ ଆଡକୁ ମୁହାଁଇଲାଣି। ଗତବର୍ଷ ଠାରୁ କରୋନା ପାଇଁ କଟକଣା ପର୍ଯ୍ୟାୟ କ୍ରମେ ହେଟେଲ୍ ବ୍ୟବସାୟଙ୍କ ମାନ୍ଦା କରିଦେଇଛି। ଗୋଟିଏ ସ୍ଥାନରେ ବସି ଖାଇବା ଦ୍ବାରା ସଂକ୍ରମଣ ବ୍ୟାପିବାର ଅଧିକ ସମ୍ଭାବନା ରହିଥିବାରୁ କଟକଣା କୋହଳ ହେଲା ପରେ ମଧ୍ୟ ହୋଟେଲ୍ ଖୋଲିବା ପାଇଁ ପ୍ରଶାସନ ଅନୁମତି ଦେଉନାହିଁ।

ପ୍ରଥମ ଲହରରେ ଦୀର୍ଘ ୬-୭ ମାସ ବେପାର ବନ୍ଦ ରହିଥିବା ବେଳେ ସଂକ୍ରମଣ ହ୍ରାସ ପରେ ଅଣ୍ଟା ସଳଖିବାରେ ଲାଗିଥିଲେ। ପୁଣି ମହାମାରୀର ଦ୍ବିତୀୟ ଲହର ପାଦୁର୍ଭାବରେ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଆଗକୁ ତୃତୀୟ ଲହର ପାଇଁ ସଜାଗ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ନିଜର ଜୀବନକୁ ନେଇ ମନରେ ଭୟ ସଞ୍ଚାରିଥିଲେ ମଧ୍ୟ ଜୀବିକାକୁ ନେଇ ଚିନ୍ତାରେ ପଡିଛନ୍ତି। କାହିଁକିନା ହୋଟେଲ୍ ବ୍ୟବସାୟରେ ମାଲିକମାନଙ୍କ ପରିବାର ସମେତ ହେଟେଲରେ କାମ କରୁଥିବା ଅନେକ ଲୋକଙ୍କ ପରିବାର ପ୍ରତିପୋଷଣ ଜଡିତ ହୋଇ ରହିଥାଏ।

ଦକ୍ଷିଣ ଓଡ଼ିଶାର ଖାଇବା କଥା ଉଠିଲେ ଯାହର ହେଲେ ମଧ୍ୟ ପାଟିରୁ ପାଣି ଆସିଯାଇଥାଏ। ଜଳଖିଆ ଠାରୁ ଆରମ୍ଭ କରି ଭୋଜନ ପର୍ଯ୍ୟନ୍ତ ହୋଟେଲ୍ ଖାଇବା ଉପରେ ଏଠାରେ ସ୍ବତନ୍ତ୍ର ସ୍ଥାନ ରହିଛି। ବର୍ତ୍ତମାନ ସେହି ସ୍ବାଦ ଆଉ ମିଳିପାରୁନାହିଁ। କଟକଣା ପାଇଁ ଛୋଟରୁ ବଡ଼ ସବୁ ହୋଟେଲ୍ ବନ୍ଦ ହୋଇ ଯାଇଥିବା ଯୋଗୁ ଘର ଭଡା ଠାରୁ ଅନ୍ୟାନ ଖର୍ଚ୍ଚ କେଉଁଠୁ ଭରଣା କରିବେ ସେ ଚିନ୍ତା ଏବେ ଘାରିଛି। ହୋଟେଲ୍ ବନ୍ଦ ଯୋଗୁ କର୍ମଚାରୀମାନେ ଗାଁ ମୁହାଁ ହୋଇଥିବା ବେଳେ ସେଠାରେ ମଧ୍ୟ କିଛି କାମ ମିଳୁନି।

ବେରୋଜଗାର ସାଙ୍ଗକୁ ପରିବାର ଚଳାଇବା ଚଡକ ସଦୃଶ ପାଲଟିଛି। ରୋଷେୟା, ସହଯୋଗୀ,ପରିବା କଟାଳି,ଆମିଷ ବ୍ୟବସାୟୀ ପ୍ରମୁ୍ଖ ସମସ୍ତେ ରୋଜଗାର ହରାଇଛନ୍ତି। ଶତାଧିକ ଶ୍ରମିକ ବର୍ତ୍ତମାନ ରୋଜଗାର ପାଇଁ ବିକଳ୍ପ ପନ୍ଥା ଖୋଜିଲେଣି। ଆଗକୁ ଏହି ବ୍ୟବସାୟ ଉପରେ ନିର୍ଭର କରି ପରିବାର କିଭଳି ଚଳାଇବେ ଓ ବଞ୍ଚିବେ ସେନେଇ ପ୍ରମାଦ ଗଣିଲେଣି। ଏଭଳି ଭାବେ ଭଞ୍ଜନଗର ତଥା ଆଖପାଖ ଅଞ୍ଚଳରେ ଲକ୍ଷାଧିକ ଟଙ୍କା ବିନିଯୋଗ କରି ହୋଟେଲ୍ ବ୍ୟବସାୟୀରୁ ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। କଟକଣା କୋହଳ ପରେ ବଜାର ଖୋଲିବା ସହ ବିଭିନ୍ନ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରାଇବାକୁ ସରକାର ଚେଷ୍ଟା କରୁଛନ୍ତି। ହୋଟେଲ୍ ବ୍ୟବସାୟ ମଧ୍ୟ କେବେ ସ୍ବାଭାବିକ ସ୍ଥିତିକୁ ଫେରିବ ତାକୁ ଅପେକ୍ଷା କରି ରହିଛନ୍ତି।

ଗତ ୧୭ ତାରିଖରୁ କଟକଣାକୁ ଆଂଶିକ କୋହଳ କରାଯାଇଥିବା ବେଳେ ହେଟେଲ୍ ବ୍ୟବସାୟକୁ ସଂପୂର୍ଣ୍ଣ ଅନୁମତି ମିଳିପାରିନାହିଁ। ଦୋକାନ ବଜାର ସକାଳ ୭ ଟାରୁ ଅପାରାହ୍ନ ୫ ଟା ଯାଏଁ ଖୋଲିବାକୁ ଅନୁମତି ମିଳିଥିବା ବଳେ ହୋେଟେଲ୍ ବ୍ୟବସାୟୀ ମାନେ ଗ୍ରାମକ ମାନଙ୍କୁ ହେଟେଲରେ ବସାଇ ଖାଇବାକୁ ଦେଇପାରିବେ ନାହିଁ ବୋଲି ନିୟମ ଜାରି କରାଯାଇଛି।

ଅନ୍ଲାଇନ୍ ଦ୍ବାରା ଖାଦ୍ୟ ବରାଦ ଦେଲେ ହୋଟେଲ୍ ବ୍ୟବସାୟୀ ଘରେ ପହଁଞ୍ଚାଇବା ବ୍ୟବସ୍ଥା କରିବେ ନଚେତ୍ ପାର୍ସଲ ଦେଇପାରିବେ ବୋଲି କଟକଣା ଜାରି ରହିଛି। ଯାହା ଫଳରେ କିଛି ବଡ଼ ହୋଟେଲ୍ ହୋମ୍ ଡେଲିଭରି ବ୍ୟବସ୍ଥା ଗ୍ରହଣ କରିଛନ୍ତି। କିନ୍ତୁ ଆବଶ୍ୟକ ପରିମାଣର ବରାଦ ଆସୁନାହିଁ। କେବଳ ପାର୍ସଲ ବ୍ୟବସ୍ଥାରେ ଛୋଟ ଛୋଟ ହୋଟେଲ୍ ଗୁଡ଼ିକରେ ସମ୍ଭବ ହେଉନଥିବାରୁ ଅନେକ ବ୍ୟବସାୟୀ ହୋ୍ଟେଲ ସଂପୂର୍ଣ୍ଣ ବନ୍ଦ ରଖିଛନ୍ତି। ଅନ୍ୟ ପକ୍ଷରେ ସାହି ଗଳିକନ୍ଦିରେ ଏହାର ସୁଯୋଗ ନେଇ ଅନେକ ବ୍ୟକ୍ତି ଘର ସମ୍ମୁଖରେ ଛୋଟ ମୋଟ ହୋଟେଲ୍ ଖୋଲି ବ୍ୟବସାୟ ଜାରି ରଖିଛନ୍ତି। ସେହି ସ୍ଥାନ ଗୁଡ଼ିକରେ ପ୍ରଶାସନ ନଜର ଆଡୁଆଳରେ ରହୁଥିବାରୁ ସେଠାରେ ପ୍ରବଳ ଭିଡ଼ ପରିଲିକ୍ଷିତ ହେଉଛି।

ସମ୍ବନ୍ଧିତ ଖବର