ରାଉରକେଲା: ହୋଟେଲରେ ଜୁଆଖେଳ ଚାଲିଛି। ଦେହ ବେପାର ଚାଲିଥିବାର ବି ଅଭିଯୋଗ ହେଉଛି। ବିଗତ ଦିନରେ ଏଭଳି ଏକାଧିକ ବେଆଇନ କାର୍ଯ୍ୟକଳାପ ନେଇ ଅଭିଯୋଗ ହେଉଛି। ଜୁଆଡ଼ି, ଦେହ ବ୍ୟବସାୟରେ ଜଡ଼ିତ ବ୍ୟକ୍ତିବିଶେଷ ଧରାପଡ଼ି ଜେଲ୍ ଯାଉଛନ୍ତି, କିନ୍ତୁ ଏବେ ବି ଅନୈତିକ କାର୍ଯ୍ୟକଳାପରେ ଶତ ପ୍ରତିଶତ ଅଙ୍କୁଶ ଲାଗିପାରୁନି। ହୋଟେଲ ମାଲିକଙ୍କ ରୋଜଗାର ଲୋଭ ସାଙ୍ଗକୁ ପୁଲିସର ଦୂରଦୃଷ୍ଟିର ଅଭାବ ଯୋଗୁ ଏଥିରେ ସୁଧାର ଆସୁନି।
ସ୍ମାର୍ଟସିଟିରେ ଏକାଧିକ ହୋଟେଲ ରହିଥିବାବେଳେ ହାତଗଣତି କିଛି ହୋଟେଲ ସବୁ ନିମୟର ଖୋଲା ଉଲ୍ଲଂଘନ କରି ଅନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛନ୍ତି। ରୋଜଗାର ଲୋଭରେ କଲେଜ ଛାତ୍ରଛାତ୍ରୀଙ୍କୁ ସହଜରେ ହୋଟେଲ୍ ରୁମ୍ ଯୋଗାଇ ଦେଉଛନ୍ତି।
ନିୟମାନୁଯାୟୀ ହୋଟେଲ୍କୁ ଆସୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆଧାରକାର୍ଡ ତଥା ଅନ୍ୟାନ୍ୟ ପରିଚୟପତ୍ର ନିଆଯାଉନି। ମନଇଚ୍ଛା ୨/୩ ଘଣ୍ଟା ହିସାବରେ ରୁମ୍ ଦିଆଯାଉଛି। ଯାହାଦ୍ବାରା ନିୟମିତ ବ୍ୟବଧାନରେ ଅନେକ ଅନୈତିକ ଘଟଣା ନଜରକୁ ଆସୁଛି।
ଗତ ସେପ୍ଟେମ୍ବର ମାସରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ରେଳଷ୍ଟେସନ ଅଞ୍ଚଳର ଏକ ହୋଟେଲ୍ରୁ ଜଳନ୍ତା ଉଦ୍ଧାର କରାଯାଇଥିଲା। ଦିନକପରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ସେ ଜଣେ ପୁରୁଷ ବନ୍ଧୁଙ୍କ ସହ ହୋଟେଲ୍କୁ ଯାଇଥିଲେ। ତାଙ୍କର ପୁରୁଷ ବନ୍ଧୁ ହିଁ ରୁମ୍ ସଂରକ୍ଷିତ କରିଥିଲେ। ସେହିଭଳି ଗତ ଜୁଲାଇ ମାସରେ ବଣାଇ ଅଞ୍ଚଳର ଜଣେ ଯୁବତୀ ହୋଟେଲ୍ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୁଇଜଣ ଦିନମଜୁରିଆ ଯୁବତୀଙ୍କୁ କାମ ପାଇଁ ଯିବା ବାହାନାରେ ଭୁଲାଇ ଆଣି ରେଳଷ୍ଟେସନ ଅଞ୍ଚଳର ଏକ ହୋଟେଲରେ ରଖିଥିଲେ। ସେଠାରେ ଦୁଇଦିନ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଏହି ଘଟଣାରେ ମଧ୍ୟ ହୋଟେଲ ମାଲିକ ରୁମ୍ ଦେବା ସମୟରେ ନିୟମର ପାଳନ କରି ନ ଥିଲେ। କିଛିଦିନ ପୂର୍ବେ ସ୍ଥାନୀୟ ହୁଡ୍ଦଙ୍ଗ୍ ବାର୍ ଭିତରେ ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଥିଲେ। ନିଶାରେ ଚୁର୍ ଜଣେ ଅଭିଯୁକ୍ତ ନାବାଳିକାଙ୍କୁ ଅସଦାଚରଣ କରିଥିବାବେଳେ ସେହି ରାତିରେ ନାବାଳିକା ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମର ମଧ୍ୟ ଶିକାର ହୋଇଥିଲେ। ପ୍ରେମୀଯୁଗଳଙ୍କଠାରୁ ଆରମ୍ଭକରି ଜୁଆଡ଼ି ପର୍ଯ୍ୟନ୍ତ, ସମସ୍ତଙ୍କର ସୁରକ୍ଷିତ ଠିକଣା ପାଲଟିଛି ହୋଟେଲ୍।
ଏଠାରେ ଚାଲିଥିବା ଜୁଆ ଖେଳରେ ରାଉରକେଲା ସମେତ ରାଜଗାଙ୍ଗପୁର, ବୀରମିତ୍ରପୁର, ବେଦବ୍ୟାସ, ଫର୍ଟିଲାଇଜର, ବନ୍ଧମୁଣ୍ଡା, କୁଆରମୁଣ୍ଡା ଆଦି ଅଞ୍ଚଳରୁ ଜୁଆଡ଼ି ସାମିଲ ହେଉଛନ୍ତି।
୨୦୨୨ ଡିସେମ୍ବର ୧୧ ତାରିଖରେ ରଘୁନାଥପାଲି ପୁଲିସ ଏକ ହୋଟେଲରୁ ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୧୩ ଲକ୍ଷ ଟଙ୍କା, କାର୍, ମୋଟର୍ସାଇକଲ୍ ଜବତ କରିଥିଲା। ସେହିଭଳି ୨୦୨୨ ଜୁଲାଇ ୧୪ ତାରିଖରେ ଉଦିତନଗର ପୁଲିସ ଏକ ହୋଟେଲରେ ଚାଲିଥିବା ଦେହ ବ୍ୟବସାୟ ଉପରୁ ପରଦା ଉଠାଇ ହୋଟେଲ ମାଲିକଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଥିଲା।
ଅଧିକ ପଢ଼ନ୍ତୁ: ଓୟୁଏଟିକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବ: ଉପମୁଖ୍ୟମନ୍ତ୍ରୀ
୨୦୨୦ ମସିହା ଡିସେମ୍ବର ୧୮ ତାରିଖରେ ସ୍ଥାନୀୟ ଏକ ହୋଟେଲରେ ପୁଲିସ ଚଢ଼ଉ କରି ୧୨ ଜଣ ଜୁଆଡ଼ିଙ୍କୁ ଗିରଫ କରିବାସହ ନଗଦ ଟଙ୍କା ୨ଟି କାର୍, ୫ଟି ବାଇକ୍, ୧୫ଟି ମୋବାଇଲ ଫୋନ ଆଦି ଜବତ କରିଥିଲା। ବହୁବର୍ଷ ହେଲା ହୋଟେଲ୍ରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବାବେଳେ ପୁଲିସ୍ ପକ୍ଷରୁ ନିୟମିତ ଯାଞ୍ଚ ବା ଚଢ଼ଉ କରାଯାଉନି। ପୁଲିସ ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟିଦେଇ ବେପରୁଆ ହୋଟେଲ୍ ମାଲିକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହେଉଛି।
ଅଧିକ ପଢ଼ନ୍ତୁ: ଯେଉଁ ଦେଶର ସେନା ତମ ପାଇଁ ପ୍ରାଣବଳୀ ଦେଇଥିଲା ସେ ଏବେ ଶତ୍ରୁ : ତସଲିମା