ଅସୁରେଶ୍ବର ୪ ନମ୍ବର ୱାର୍ଡ ଭୋଟ୍‌ଗ୍ରହଣ କେନ୍ଦ୍ର ବିବାଦ, ଘର ମାଲିକ ଡାକ୍ତରଖାନା ଯାଇଥିଲା ବେଳେ ଦଖଲ କଲା ପ୍ରଶାସନ!

ନିଶ୍ଚିନ୍ତକୋଇଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଅସୁରେଶ୍ବର ୪ ନମ୍ବର ୱାର୍ଡର ଭୋଟ୍‌ଗ୍ରହଣ କେନ୍ଦ୍ରକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ପ୍ରଶାସନ ଜେସିବି ମେସିନ୍‌ ସହାୟତାରେ ଉକ୍ତ ସ୍ଥାନ ଦଖଲକୁ ନେଇଛି। ତେବେ ପ୍ରଶାସନର ନୋଟିସ୍‌ ପରେ ମାନସିକ ଚାପ ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ବୃଦ୍ଧ ଘର ମାଲିକାଣୀ ଚନି ବିବି ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲା ବେଳେ ପ୍ରଶାସନ ମୁଖ୍ୟ ଫାଟକ ଭାଙ୍ଗି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହା ଦେଖି ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି। ଅନ୍ୟପଟେ, ନୋଟିସ୍‌ ସତ୍ତ୍ବେ ଘର କାଗଜପତ୍ର ଦେଖାଇ ନ ପାରିବାରୁ ପ୍ରଶାସନ ଉଚ୍ଛେଦ କରିଥିବା ବିଡିଓ କର୍ଣ୍ଣଦେବ ସମାଦ୍ଦାର କହିଛନ୍ତି। ପ୍ରକାଶଥାଉ କି, ଅସୁରେଶ୍ବର ପଞ୍ଚାୟତ ଭାରିଗୋଳସ୍ଥିତ ଭାଗବତପୁର ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ଦ କରାଯାଇ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ନିର୍ବାଚନ ସମୟରେ ଉକ୍ତ ବିଦ୍ୟାଳୟରେ ଭୋଟ୍‌ଗ୍ରହଣ କେନ୍ଦ୍ର ହୋଇଥିଲା। ଚଳିତ ନିର୍ବାଚନରେ ମଧ୍ୟ ସେଠାରେ ବୁଥ୍‌ ହୋଇଛି।

ତେବେ ସ୍କୁଲ୍‌କୁ ଜବରଦଖଲ କରାଯାଇଥିବା ଦର୍ଶାଇ ଚନୀ ବିବିଙ୍କ ପୁଅ ଗୋବିନ୍ଦ ରାୟଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ ନୋଟିସ୍‌ (ପତ୍ର ସଂଖ୍ୟା-୫୨୭; ତା୦୮/୦୨/୨୦୨୨) ଦେବା ସହ ଭୋଟ୍‌ଗ୍ରହଣ କେନ୍ଦ୍ର ପାଇଁ ସ୍କୁଲ୍‌ ମୁଖ୍ୟ ଫାଟକ ଖୋଲି ଅଧିକାରୀଙ୍କ ନିକଟରେ ଚାବି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଚିଠି ପାଇବା ପରେ ଭାଗବତପୁର ଗ୍ରାମର ସ୍ବର୍ଗତ ଗୌରାଙ୍ଗ ରାୟଙ୍କ ପତ୍ନୀ ଚନୀ ବିବି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ସ୍କୁଲ୍‌ଟି ତାଙ୍କ ବ୍ୟକ୍ତିଗତ ଜମିରେ ହୋଇଥିବା ଏବଂ ସେ ମୌଖିକ ଭାବେ ସ୍କୁଲ୍‌ ପାଇଁ ଜମି ଦେଇଥିବା କହିଥିଲେ। ପିଲା ନ ଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯାଇଥିଲା। ଏହାପରେ ସେ ଉକ୍ତ ଜମି ତାଙ୍କର ବୋଲି ଦର୍ଶାଇ କଟକସ୍ଥିତ ସିଭିଲ୍‌ ଜଜ୍‌ ସିନିୟର୍‌ ଡିଭିଜନ୍‌ଙ୍କ ଅଦାଲତରେ ଏକ ମାମଲା (ଟାଇଟେଲ୍ ସୁଟ୍-୨୨୫/୨୦୦୧) ରୁଜୁ କରିଥିଲେ। କୋର୍ଟ ରାୟ ତାଙ୍କ ସପକ୍ଷରେ ଯାଇଥିଲା।

ଅଦାଲତଙ୍କ ଉକ୍ତ ନିର୍ଦ୍ଦେଶ ମୁତାବକ ବ୍ଲକ୍‌ ଶିକ୍ଷାଧିକାରୀ ସ୍କୁଲ୍‌ଗୃହ ତାଙ୍କୁ ହସ୍ତାନ୍ତର କରିଥିଲେ ବୋଲି ଚନୀ ବିବି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ଲିଖିତ ଭାବେ ବିଡିଓଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ଅବଗତ କରିଥିଲେ ବୋଲି ଚନୀ ବିବି କହିଛନ୍ତି। ଅପରପକ୍ଷରେ ବିଡିଓଙ୍କ ଚିଠି ପରେ ୮୦ ବର୍ଷ ବୟସ୍କା ବୃଦ୍ଧା ଚନୀ ବିବି ମାନସିକ ଚାପରେ ପଡ଼ିଥିଲେ। ଉଚ୍ଚ ରକ୍ତଚାପ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିବାରୁ ଆଜି ପୁଅମାନଙ୍କ ସହ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ। ସେଠାରୁ ଫେରିବା ପରେ ଘର ମୁଖ୍ୟ ଫାଟକକୁ ତହସିଲ ପ୍ରଶାସନ ପୁଲିସ୍‌ ଫୋର୍ସ ସହ ଆସି ଭାଙ୍ଗି ଦେଇଥିବା ଏବଂ ଘର ତାଲା ଭାଙ୍ଗି ପ୍ରଶାସନ ଚାବି ପକାଇ ଦେଇଥିବା ସେ ଦେଖିଥିଲେ। ଏହା ବିରୋଧରେ ଅଦାଲତଙ୍କ ଆଶ୍ରୟ ନିଆଯିବ ବୋଲି ଚନୀ ବିବି ଓ ତାଙ୍କ ପରିବାର କହିଛନ୍ତି। ଏହି ଘଟଣା ପରେ ବୃଦ୍ଧା ଚନୀ ବିବିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ନିଶ୍ଚନ୍ତକୋଇଲି ବିଡିଓ ତଥା ତହସିଲଦାର କର୍ଣ୍ଣଦେବ ସମାଦ୍ଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେଠାରେ ପୂର୍ବରୁ ଭୋଟ୍‌ଗ୍ରହଣ କେନ୍ଦ୍ର କରାଯାଇଥିଲା। ଚଳିତ ନିର୍ବାଚନରେ ମଧ୍ୟ ଭୋଟ୍‌ଗ୍ରହଣ କେନ୍ଦ୍ର ହୋଇଛି। କିନ୍ତୁ ଉକ୍ତ ଘର ତାଲା ପକାଇ ରଖାଯାଇଥିଲା। ପ୍ରଶାସନ ପକ୍ଷରୁ ଚିଠି ଦିଆଯାଇଥିଲେ ମଧ୍ୟ ଘର ତାଙ୍କର ବୋଲି କୋର୍ଟର କୌଣସି କାଗଜପତ୍ର ସେ ଦେଖାଇପାରି ନ ଥିଲେ। ଫଳରେ ଭୋଟ୍‌ଗ୍ରହଣ କେନ୍ଦ୍ର ନିମନ୍ତେ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ବିଡିଓ କହିଛନ୍ତି।

ସମ୍ବନ୍ଧିତ ଖବର