ବାଲିଅନ୍ତା ପୋଖରୀ କୂଳ ସାହିରେ ଅଗ୍ନିକାଣ୍ଡ; ୨ ଗାଈ ଜୀବନ୍ତ ଦଗ୍ଧ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ପୋଖରୀକୂଳ ସାହି ଗ୍ରାମରେ ଆଜି ସଂଧ୍ୟା‌ ସାଢ଼େ ୬ଟା ବେଳେ ନିଆଁ ଲାଗି ଜୟୀରାମ ବେହେରା ଓ କୁନିଆ ବେହେରାଙ୍କର ଦୁଇ ବଖରା ଚାଳଘର ପୋଡ଼ି ପାଉଁସ ହୋଇଯାଇଛି। ଗୁହାଳ ଭିତରୁ ଜୟୀରାମ ବେହେରାଙ୍କର ଦୁଇଟି ଦୁଧିଆଳି ଗାଈ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।‌ ଏଥିସହିତ ଉଭୟ ଗୋ ପାଳକଙ୍କର ଘରେ ଗଚ୍ଛିତ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକ ବାଲିଅନ୍ତା ଦମକଳ କେନ୍ଦ୍ରକୁ ଫୋନକରି ଜଣାଇଥିଲେ। ଖବର ପାଇ ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିସାରିଥିଲେ।

କ୍ଷତାକ୍ତ ଗାଈ ଦ୍ବୟକୁ ଚିକିତ୍ସା କରିବା ନେଇ ଜୟୀରାମ ସରକଣା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଫୋନକରି ଜଣାଇଥିଲେ। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପ୍ରାଣୀ ଚିକିତ୍ସିକ ସେଠାରେ ପହଞ୍ଚିନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ମଶାଙ୍କ ଲାଗି ଦିଆଯାଇଥିବା ଧୁଆଁରୁ ଅଗ୍ନିକାଣ୍ଡ ବ୍ୟାପିଥିବା ଜଣାପଡ଼ିଛି। ଗୁରୁତର ଆହତ ଗାଈ ଦୁଇଟିଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ପ୍ରାଣୀ ସଂପଦ ବିକାଶ ବିଭାଗ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର