ରାଉରକେଲା: ଆଲୋକ ଓ ଖୁସିର ପର୍ବ ଦୀପାବଳି ରାଉରକେଲାର ଏକ ପରିବାର ପାଇଁ ଦୁଃଖ ଆଣି ଦେଇଛି। ଦୀପ ନିଆଁରେ ଜଳି ଯାଇଛି ଘର। ପୁରୁଷୋତ୍ତମ ସାମଲ ନିଆଁରେ ପୋଡି ଯାଇଥିବା ବେଳେ ପାଞ୍ଚ ମାସରେ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏମିତି ଘଟଣା ଘଟିଛି ବାସନ୍ତୀ କଲୋନି ଡିଇ -୧୮୮ରେ। ଗୁରୁତର ପୁରୁଷୋତ୍ତମଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୁରୁଷୋତ୍ତମ, ପତ୍ନୀ, ପୁଅ ପପୁ, ବୋହୁ ଘରେ ଦୀପାବଳି ମନାଉଥିଲେ। ପପୁଙ୍କ ପାଞ୍ଚ ମାସର ଶିଶୁ ଅନ୍ୟ ଘରେ ଶୋଇଥିଲେ । ଦାଣ୍ଡ ଘରେ ଲାଗି ଥିବା ଦୀପ ନିଆଁ ଲୁଗାରେ ଲାଗି ଯାଇଥିଲା। ଫଳରେ ନିଆଁ ଦାଣ୍ଡ ଘରୁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ନିଆଁ ଲିଭାଇବାକୁ ଚେଷ୍ଟା କରି ପୁରୁଷୋତ୍ତମଙ୍କ ଦୁଇ ଗୋଡ ଜଳି ଯାଇଥିଲା। ଅନ୍ୟ ଘରକୁ ନିଆଁ ବ୍ୟାପୁଥିବା ଦେଖି ପଡୋଶୀ ଝରକା ଭାଙ୍ଗି ଶୋଇଥିବା ଅବସ୍ଥାରେ ଶିଶୁକୁ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/RKL-3.jpg)