ଲଗାଣ ବର୍ଷାରେ ଧସିଲା ଘର, କ୍ଲବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ ପରିବାର

କାଳିଆପାଣି : ଲଗାଣ ବର୍ଷାରେ ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ ରାଁସୋଳ ପଞ୍ଚାୟତ ୨ ନମ୍ବର ୱାର୍ଡ କଲରଙ୍ଗି କୁମାରଡ଼ି ଗାଁର ୨ ଦିନ ମଜୁରିଆ ଗରିବ ଆଦିବାସୀ ପରିବାର ବେଘର‌ହୋଇ ଗାଁର କ୍ଲବ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ମାମୁ-ଭଣଜା ଧନେଶ୍ବର ମୁଣ୍ଡା ଓ ଅଜିତ ମୁଣ୍ଡାଙ୍କ ୪ ବଖରା ଝାଟିମାଟି ଏବଂ ଛଣଛପର ଘର ସଂପୂର୍ଣ୍ଣ ମାଟିରେ ଲୋଟିଯାଇଛି। ଘରେ ଥିବା ଧନେଶ୍ବର, ତାଙ୍କ ପତ୍ନୀ ଲକ୍ଷ୍ମୀ, ଝିଅ ଜେମା, ୨ ପୁଅ ବାପୁନ ଓ ନରୋତ୍ତମ ଏବଂ ଅଜିତ, ତାଙ୍କ ସ୍ତ୍ରୀ ସଂଯୁକ୍ତା, ୨ ପୁଅ ସମ୍ବିତ ଓ ଲଳିତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସବାବପତ୍ର, ଲୁଗାପଟା ଓ ସଞ୍ଚିତ ଖାଦ୍ୟଶସ୍ୟ ସବୁ ମାଟିତଳେ ଚାପି ହୋଇଯାଇଛି। କୌଣସି ସାମଗ୍ରୀ ଉଦ୍ଧାର ହୋଇନଥିବା ୨ ପରିବାର କହିଛନ୍ତି।

ଶ୍ରମିକନେତା ନାରାୟଣ ଚନ୍ଦ୍ର ଧୀର, ସରପଞ୍ଚ କନକଲତା ସର୍ଦ୍ଦାର, ଜଗବନ୍ଧୁ ମହାନ୍ତ, ଲାଲମୋହନ ମୁଣ୍ଡା ପ୍ରମୁଖ ସେମାନଙ୍କ ପାଖରେ ପହଞ୍ଚି ସପ୍ତାହକ ପାଇଁ ଚୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍‌ ଓ ତେଜରାତି ସାମଗ୍ରୀ ପ୍ରଦାନ କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସହାୟତା ମିଳିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨ ପ୍ରଭାବିତ ପରିବାରକୁ ଶୀଘ୍ର କ୍ଷୟକ୍ଷତି ଆକଳନ ପୂର୍ବକ କ୍ଷତିପୂରଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଶ୍ରମିକନେତା ଶ୍ରୀ ଧୀର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର