ଗୋଠଛଡ଼ା ଦନ୍ତା ଭାଙ୍ଗିଲା ଘର, ଦମ୍ପତି ଆହତ

ବାଂଶପାଳ: ଗୋଠଛଡ଼ା ଦନ୍ତା ଗତକାଲି ରାତିରେ ବାଂଶପାଳ ବ୍ଲକ୍ ଅନ୍ତର୍ଗତ ନୂଆସାହିରେ ପଶି ଉତ୍ପାତ କରିବା ସହିତ ରାଫେଲ କେର୍କେଟାଙ୍କ ଘର ଭାଙ୍ଗି ‌ ଦେଇଛି। ଏଥିରେ ତାଙ୍କ ପୁଅବୋହୂ ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କୁ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ସେମାନେ ଚିକିତ୍ସିତ ହେଉଛନ୍ତି।

ବାଂଶପାଳ ବ୍ଲକ ବିଜେପି ରେଞ୍ଜର କାଳିଆଡିହି, ନୂଆସହି, ପଣସୁଆଁ ଆଦି ଅଞ୍ଚଳକୁ ଗୋଠ ଛଡା ଦନ୍ତା ଲେଉଟିବା ସହିତ ଆତଙ୍କ ଖେଳାଇଛି। ବିଜେପି ରେଞ୍ଜର କରାଳପସି ବିଟ ଅଂଚଳରେ ଗୋଟିଏ ପଲରେ ୯ ଟିକିଆ, ଅନ୍ୟ ଏକ ପଲରେ ୩ ଟିକିଆ ହାତୀ ପଲ ଘୂରି ବୁଲୁଛନ୍ତି। ମାତ୍ର ଗୋଠ ଛଡ଼ା ଦନ୍ତାଟି ହିଂସ୍ର ହୋଇ ଘୂରିବୁଲୁଛି। ଦିନ ବେଳା ନିକଟସ୍ଥ ଚା ବାଗାନ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁକୁ ପଶି ଆସୁଛି। କେତେ ବେଳେ ଘର ଭାଙ୍ଗୁଛି ତ ଆଉ କେତେ ବେଳେ ଲୋକଙ୍କୁ ଆକ୍ରମଣ କରୁଛି। ଫଳରେ ଲୋକେ ଭୟଭୀତ ହୋଇ ରାତିରେ ଘରେ ସୁରକ୍ଷିତ ମଣୁ ନାହାନ୍ତି। ବନବିଭାଗ ହାତୀକୁ ନିୟମିତ ଟ୍ରାକ କରି ଘୋଡାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହେଉଛି।

ଗତକାଲି ରାତିରେ ନୂଆସାହିର ରାଫେଲ କେର୍କେଟାଙ୍କ ପରିବାର ଘରେ ଶୋଇଥିବା ବେଳେ ଦନ୍ତାଟି ରାଫେଲଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଥିଲା। ହାତୀଟି କାନ୍ଥ ଭାଙ୍ଗି ଦେବା ବେଳେ ଘର ଭିତରେ ଶୋଇଥିବା ରାଫେଲଙ୍କ ପୁଅ ପ୍ରକାଶ କେର୍କେଟା ଓ ତାଙ୍କ ସ୍ତ୍ରୀ ଆରତି କେର୍କେଟାଙ୍କ ଉପରେ କାନ୍ଥ ପଡିଯାଇଥିଲା। ପ୍ରକାଶଙ୍କ ଆଖି ଓ ଦେହରେ ମାଡ ହୋଇଥିଲା। ସେ ଗୁରୁତର ହୋଇ ଯାଇଥିଲେ। ସ୍ତ୍ରୀ ଆରତୀ ମଧ୍ୟ ଆହତ ହୋଇଥିଲେ। ସୌଭାଗ୍ୟ ବଶତଃ ତାଙ୍କ ଛୋଟ ଛୁଆଟି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ବନପାଳ ଶରତ ପଟ୍ଟନାୟକ, ବନରକ୍ଷୀ ସାଧବ ଦାସ, ମଧୁସ୍ମିତା ଦୋରା ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଦ୍ବୟଙ୍କୁ ଉଦ୍ଧାର କରି ୧୦୮ ଆମୁଲାନ୍ସ ଯୋଗେ ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରକାଶ ଓ ସ୍ତ୍ରୀ ଆରତୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଦୁହେଁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଦନ୍ତା ହାତୀଟି ପ୍ରତ୍ୟେକ ଦିନ ଗାଁମାନଙ୍କରେ ପଶି ବିଭିନ୍ନ କ୍ଷୟକ୍ଷତି ଘଟାଉଥିବାରୁ ଅଂଚଳବାସୀ ଅତିଷ୍ଠ ହେଇପଡିଲେଣି। ତୁରନ୍ତ ବନବିଭାଗ ହାତୀଙ୍କୁ ଘଉଡାଇବା ସହିତ କ୍ଷତି ଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର