ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ସାଲେପୁର(ମତ୍ସ୍ୟଜୀବୀ ସାହି) ଏବଂ ପାଟପୁର ପଞ୍ଚାୟତର ବଡବାରିସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟି ୫ଟି ପରିବାରର ୮ ବଖରା ଘର ଜଳିଯାଇଛି। ୪ଟି ଗାଈବାଛୁରୀ ଓ ୨ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨ଟି ଗାଈବାଛୁରୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେହିପରି ବୃଦ୍ଧ ଦଂପତି ନିଆଁରେ ପୋଡିଯାଇ ଆହତ ହୋଇଛନ୍ତି। ମଶାଧୂପରୁ ନିଆଁ ଲାଗି ଏହି ଅଗ୍ନିକାଣ୍ତ ଘଟିଥିବା ଜଣାପଡିଛି। ଗାଈଗୋରୁଙ୍କ ପାଇଁ ଗୁହାଳରେ ମଶାଧୂପ ଲଗା ଯାଇଥିଲା। ନିଆଁ ପ୍ରଥମେ ଗାଈଗୋରୁଙ୍କ ପାଖରେ ପଡିଥିବା ନଡାରେ ଲାଗି ଏହା ଗୁହାଳ ଛଣଛପରକୁ ଉଠି ଯାଇଥିଲା। ରାତି ୩ଟା୨୫ରେ ଖବରପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ତରେ ସାଲେପୁର(ମତ୍ସ୍ୟଜୀବୀ ସାହି) ଗ୍ରାମର ନିିତ୍ୟାନନ୍ଦ ମଲିକ, ଭରତ ମଲିକ ଓ ଚିତରଂଜନ ମଲିକ ୨ବଖରା ଲେଖାଏଁ ଘର, ରବୀନ୍ଦ୍ର ମଲିକ ଏବଂ ବଡବାରିସାହି ଗ୍ରାମର ଛବିନ୍ଦ୍ର ମଲିକଙ୍କ ଗୋଟିଏ ଲେଖାଏଁ ବଖରା ଘର ଜଳି ଯାଇଥିଲା। ନିଆଁରେ ପୋଡିହୋଇ ନିତ୍ୟାନନ୍ଦ ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି।

Advertisment

ଖବରପାଇ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପାଟପୁର ସରପଂଚ ନଗେନ୍ କୁମାର ଦାସ, ସମିତିସଭ୍ୟ ସୁବ୍ରତ କୁମାର ଧଳ, ବ୍ଲକ ଯୁବ ବିଜେଡି ସଭାପତି କ୍ଷିତୀଶ୍ କୁମାର ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ, ବିଜେଡି ନେତା ଅକ୍ଷୟ କୁମାର ସାହୁ, ନିର୍ମଳ ପ୍ରଧାନ ପ୍ରମୁଖ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ଚି ପାଲ ଓ କମ୍ବଳ ପ୍ରଦାନ କରିବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ସ୍ମୃତିରେଖା ପହି ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଖାଦ୍ୟ ସାମଗ୍ରୀ ଓ ପାଲ ପ୍ରଦାନ କରିଥିଲେ। ତହସିଲ ପକ୍ଷରୁ ସାଲେପୁର ଆରଆଇ ରଂଜନ କୁମାର ବିଶ୍ବାଳ ପଲିଥିନ୍ ପ୍ରଦାନ କରିବା ସହ କ୍ଷୟକ୍ଷତିର ଆକଳନ କରିଥିଲେ।

ଘର ପୋଡ଼ିଗଲା

ଦଶରଥପୁର : ଶୁକ୍ରବାର ବିଳମ୍ବିତ ରାତିରେ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ବଜରାପାଟା ଗ୍ରାମର ଧୀରେନ୍ଦ୍ର ଦାସଙ୍କ ଏକ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଘରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଧୀରେନ୍ଦ୍ରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।