ଆଠଗଡ଼କୁ ଦେଇଥିଲେ ସ୍ବତନ୍ତ୍ର ପରିଚୟ; ଜନନାୟକ ଜାନକୀବଲ୍ଲଭଙ୍କ ସ୍ମୃତିରକ୍ଷା ପାଇଁ ହେଉନି ଉଦ୍ୟମ

ଆଠଗଡ଼: ସ୍ବାଧୀନତା ପରଠାରୁ ଗଡ଼ଜାତ ଅଞ୍ଚଳ ଆଠଗଡ଼ରେ ଅନେକ ରାଜନେତା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଅଶୀ ଦଶକରେ ହିଁ ଆଠଗଡ଼ ଅଞ୍ଚଳର ସାମୂହିକ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ତତ୍କାଳୀନ ବିଧାୟକ ରସାନନ୍ଦ ସାହୁଙ୍କ ଇସ୍ତଫା ଦେବା ପରେ ଅନୁଷ୍ଠିତ ଉପନିର୍ବାଚନରେ ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ଜାନକୀବଲ୍ଲଭ ପଟ୍ଟନାୟକ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ଏହାପରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ଜାନକୀବଲ୍ଲଭ ଆଠଗଡ଼ରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ। ଏକାଧାରରେ ଜଣେ ସାମ୍ବାଦିକ, ଗାଳ୍ପିକ, ଲେଖକ, ସମାଲୋଚକ, ଅନୁବାଦକ, ଜାତୀୟସ୍ତରର ରାଜନେତା ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଜନନେତା ଜାନକୀବଲ୍ଲଭଙ୍କ ସ୍ମୃତିରକ୍ଷା ପାଇଁ ଆଠଗଡ଼ରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ରଶାସନ କିମ୍ବା କଂଗ୍ରେସ ଦଳ ପକ୍ଷରୁ ଏଠାରେ ତାଙ୍କର ପ୍ରତିମୂର୍ତ୍ତିଟିଏ ସ୍ଥାପନ କରାଯାଇ ନାହିଁ।

Sambad

ପ୍ରକାଶଥାଉ କି, ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ଜାନକୀବଲ୍ଲଭ ଆଠଗଡ଼ର ବିବିଧ ଉନ୍ନତି ପାଇଁ ପଦକ୍ଷେପ ନେଇଥିଲେ। କୃଷିପ୍ରଧାନ ଅଞ୍ଚଳ ଆଠଗଡ଼ରେ କୃଷି ଓ କୃଷକଙ୍କର ଉନ୍ନତି ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଦୁଗ୍ଧଚାଷୀଙ୍କ ପାଇଁ ଓମ୍‌ଫେଡ୍‌ ଶୀତଳୀକରଣ ଭଣ୍ଡାର ସେଥିମଧ୍ୟରୁ ଅନ୍ୟତମ। ସେହିପରି ବିଭିନ୍ନ ଅଞ୍ଚଳକୁ ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ, ମୁଣ୍ଡଳି ସେତୁ ନିର୍ମାଣ କରାଯାଇଥିଲା। ମୁଣ୍ଡଳି ସେତୁ ନିର୍ମାଣ ପରେ ଆଠଗଡ଼ରୁ କଟକ ଓ ଭୁବନେଶ୍ୱରକୁ ଦୂରତା କମି ଯାଇଥିଲା।

Sambad

ଆଠଗଡ଼ରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଏବଂ ଅତ୍ୟାଧୁନିକ ଷ୍ଟାଡ଼ିଅମ୍‌ ପ୍ରତିଷ୍ଠାର ଶ୍ରେୟ ମଧ୍ୟ ତାଙ୍କୁ ଯାଇଥାଏ। ୧୯୮୧ ମସିହାରେ ରାଜ୍ୟ ସରକାର ଇଡ୍‌କୋ ମାଧ୍ୟମରେ ଆଠଗଡ଼ ଅଞ୍ଚଳରେ ଶିଳ୍ପ ପାଇଁ ଜମି ଯୋଗାଇ ଦେଇଥିଲେ। ଏଥିଯୋଗୁଁ ଆଠଗଡ଼ ବ୍ଲକ୍‌ର ଖୁଣ୍ଟୁଣୀରେ ଏକାଧିକ ଶିଳ୍ପ କାରଖାନା ଗଢ଼ି ଉଠିଥିଲା। ଏହି କାରଖାନାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ହଜାର ଲୋକ ନିଯୁକ୍ତି ପାଇଥିଲେ।

ଏହାଛଡ଼ା ତିଗିରିଆର ନୂଆପାଟଣାରେ ସ୍ପିନିଂ ମିଲ୍‌, ଆଠଗଡ଼ରେ ମା’ ବାଉତୀ ପାୱାରଲୁମ୍‌, ଦୋରଡ଼ରେ ସୂତା ରଙ୍ଗ କାରାଖାନା ପ୍ରତିଷ୍ଠା କରି ଜାନକୀବଲ୍ଲଭ ଆଠଗଡ଼ ଅଞ୍ଚଳବାସୀଙ୍କ ସାମୂହିକ ଉନ୍ନତି ପାଇଁ ପଦକ୍ଷେପ ନେଇଥିଲେ। ୧୯୮୪ ଅକ୍ଟୋବର ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ କରକମଳରେ ତିଗିରିଆ ନୂଆପାଟଣାରେ ଜଗନ୍ନାଥ ସ୍ପିନିଂ ମିଲ୍‌ ଉଦ୍‌ଘାଟନ କରାଯାଇଥିଲା। ଏଠାରେ ୧୨୨୬ଜଣ ନିଯୁକ୍ତି ପାଇଥିଲେ। ଏହି କମ୍ପାନି ୨୦୦୫ ଜାନୁଆରି ମାସ ପର୍ଯ୍ୟନ୍ତ ଚାଲଥିଲା। ଏହାପରେ ପରିଚାଳନା ତ୍ରୁଟି ଯୋଗୁଁ ତାହା ବନ୍ଦ ରହିଛି। କର୍ମଚାରୀମାନେ ଭିଆର୍‌ଏସ୍‌ ନେଇସାରିଲେଣି। ସେହିପରି ମା’ ବାଉତୀ ପାୱାରଲୁମ୍‌ରେ ୧୬୬ଜଣ ନିଯୁକ୍ତି ପାଇଥିଲେ। ୧୯୯୫ରୁ ଏହି ପାୱାର ଲୁମ୍‌ ମଧ୍ୟ ବନ୍ଦ ପଡ଼ିଛି। ବନ୍ଦ ହୋଇଯାଇଥିବା ଏହି କଳକାରଖାନାର ପୁନଃ କାର୍ଯ୍ୟକ୍ଷମ ସହିତ ଜନନେତା ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର