ସୁନ୍ଦରଗଡ଼: ସୁନ୍ଦରଗଡ଼-ଲେଫ୍ରିପଡ଼ା ରାସ୍ତା ଇବନଦୀ ଉପରେ ନିର୍ମାଣାଧୀନ ଦ୍ବିତୀୟ ସେତୁର ସଂଯୋଗ (ଆପ୍ରୋଚରୋଡ୍ ) ରାସ୍ତା ପାଇଁ ଅଧିଗ୍ରହଣ ହେବାକୁ ଥିବା ଜମିରେ ମାସେ ହେଲା ବଡ଼ ବଡ଼ କୋଠା ସବୁ ତିଆରି ଚାଲିଛି। କୋଟି କୋଟି ସରକାରୀ କ୍ଷତିପୂରଣ ହାତେଇ ନେବାକୁ ସୁନ୍ଦରଗଡ଼ ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଏସବୁ କୋଠା ତିଆରି କରୁଥିବା ଅଭିଯୋଗ ରହିଛି। ଏ ସମ୍ପର୍କିତ ଖବର ସମ୍ବାଦରେ ବାରମ୍ବାର ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନର ନିରବତା ନେଇ ପ୍ରଶ୍ନ ଉଠାଇଥିଲା। ଏହା ପରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଭୂ-ଅର୍ଜନ ବିଭାଗକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ରାଜ୍ୟ ଯୋଜନାର ୨୬ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨.୯୨୦ କିଲୋମିଟର ବିଶିଷ୍ଟ ଦ୍ବିତୀୟ ସେତୁ ନିର୍ମାଣ ଆରମ୍ଭ ହୋଇଛି। ନିର୍ମାଣ ଦାୟିତ୍ବ ନେଇଥିବା ଠିକା ସଂସ୍ଥା ବାଲାଜୀ କନଷ୍ଟ୍ରକ୍ସନକୁ ୨ ବର୍ଷ ସମୟ ଦିଆଯାଇଛି। ସେତୁ ସଂଯୋଗ ରାସ୍ତା ପାଇଁ ବନ୍ଧପାଲି ମୌଜାର ୧୦ ଜଣଙ୍କ ୨.୫୯ ଏକର ଓ ଚିତାଭଙ୍ଗା ମୌଜାର ୩୭ ଜଣଙ୍କ ୩.୪୮୭ ଏକର ଜମି ଅଧିଗ୍ରହଣ ହେବ। ଏହାର ଅନୁଚିତ ଫାଇଦା ନେବାକୁ ଜିଲ୍ଲା ମୁଖ୍ୟାଳୟର କିଛି ସରକାରୀ କର୍ମଚାରୀ ଯୋଜନା କରିଛନ୍ତି। କାହାର କେଉଁଠି, କେତେ ଜମି ଯିବ ତାହା ବିଭାଗରୁ ଜାଣିବା ପରେ ସରକାରୀବାବୁମାନେ ସରକାରୀ ଟଙ୍କା ଲୁଟିବାର ନୀଳନକ୍ସା ପ୍ରସ୍ତୁତ କରିଥିଲେ। ଅତି ଚତୁରତାର ସହ ରୟତି ଜମିର ମାଲିକଙ୍କୁ କୋଠା କ୍ଷତିପୂରଣର କିଛି ଭାଗ ଦେବାର ଚୁକ୍ତି କରି ମନାଇବା ପରେ ଅବ୍ୟବହୃତ ଓ ଅପରିଚ୍ଛନ୍ନ ହୋଇ ପଡ଼ିଥିବା ନଦୀକୂଳ ସଂଲଗ୍ନ ଅଧିଗ୍ରହଣ ହେବାକୁ ଥିବା ଖାଲି ଜମିରେ ଜୋରସୋରରେ କୋଠା ପରେ କୋଠା ନିର୍ମାଣ କରୁଛନ୍ତି। ଜମି ଓ ଘରର କ୍ଷତିପୂରଣ ହାତେଇବାକୁ ଏ କାରସାଦି କରାଯାଇଥିବା ଜଣାପଡ଼ିଛି। ସେତୁ ସଂଯୋଗ ରାସ୍ତା ପାଇଁ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ତାର ସୁଯୋଗ ନେଇ ସରକାରୀବାବୁମାନେ କୋଠା ତିଆରି କରୁଛନ୍ତି। ଏବେ କିଛି କୋଠା ସମ୍ପୂର୍ଣ୍ଣ ହୋଇଥିବା ବେଳେ କିଛି କୋଠାର ଛାତ ପଡ଼ିଛି। ଦିନରାତି କାମ ଚାଲିଛି। ଯେମିତି ହେଉ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ କୋଠା କାମ ଶେଷ ହେବା କଥା। ତେଣିକି ବର୍ଗଫୁଟ୍ ହିସାବରେ କ୍ଷତିପୂରଣ ଟଙ୍କା ପକେଟରେ ପଶିବ। ସରକାରୀବାବୁ ହୋଇ ସରକାରୀ ଟଙ୍କା ଲୁଟିବାର ଏ ଅଭିନବ ଉପାୟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା।
ଦ୍ବିତୀୟ ଇବ୍ ସେତୁ ସଂଯୋଗ ରାସ୍ତାରେ ରାତିଅଧିଆ ଘର
/sambad/media/post_attachments/wp-content/uploads/2024/05/57d5edf4-7ebd-4f5e-bc32-b09eaef18eb6.jpg)