ବ୍ରଜ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସପିଟାଲ୍‌ ପରିସରରେ ଏକ ଅଭାବନୀୟ ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି। କୌଣସି ଏକ କାରଣକୁ କେନ୍ଦ୍ର କରି ଜଣେ ହାଉସ୍‌ ସର୍ଜନ ମେଡିକାଲ୍ କଲେଜ ଏମ୍‌ବିବିଏସ୍‌ ଶେଷବର୍ଷର ଜଣେ ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଦେଇଛନ୍ତି। ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ମଧ୍ୟ ଦେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୁଲିସ ମାମଲା ରୁଜୁ କରି ତୁରନ୍ତ ଅଭିଯୁକ୍ତ ଡା. ସୁପର୍ଣ୍ଣ କୁମାର ପାଢ଼ୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍‌.ପି. ଶରବଣା ବିବେକ୍‌ ଏମ୍‌. ସୂଚନା ଦେଇଛନ୍ତି।

Advertisment

publive-image

ପୁଲିସ ସୂଚନା ଅନୁସାରେ, ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ହାଉସ୍‌ ସର୍ଜନ ଭାବେ କାମ କରୁଥିବା ଡା.ସୁପର୍ଣ୍ଣ ଓ ଏମ୍‌ବିବିଏସ୍‌ ଶେଷବର୍ଷ ଛାତ୍ରୀ ଗତକାଲି ଭୋର୍‌ରେ ଛାତ୍ରୀ ନିବାସ ହଷ୍ଟେଲ୍‌ ନିକଟରେ କଥା ହେଉଥିଲେ। ଏହି ସମୟରେ ହଠାତ୍‌ ଡା.ସୁପର୍ଣ୍ଣ ସମ୍ପୃକ୍ତ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ନାନା ଧମକ୍‌ ଦେଇଥିଲେ। ଏପରିକି ତାଙ୍କର ହାତ ଓ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣକ ଏହାର ପ୍ରତିବାଦ କରିଥିବା ବେଳେ ଡା. ସୁପର୍ଣ୍ଣ ତାଙ୍କୁ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ବଡ଼ କଷ୍ଟରେ ସେଠାରୁ ପ୍ରାଣବିକଳରେ ଧାଇଁ ହଷ୍ଟେଲ୍‌ ଭିତରକୁ ପଶି ଯାଇଥିଲେ। ଘଟଣା ପରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ଥିଲେ। ଜୀବନ ପ୍ରତି ବିପଦ ଥିବାରୁ ସେ ଘଟଣା ସମ୍ପର୍କରେ କାହାକୁ କିଛି କହିପାରି ନଥିଲେ। ପରେ ସାଙ୍ଗମାନଙ୍କୁ ସବୁ କଥା କହିଥିଲେ। ସାଙ୍ଗମାନଙ୍କ ସହିତ ଶେଷରେ ଆଜି ଛାତ୍ରୀ ଜଣକ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ପୁଲିସ ଡା.ସୁପର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି।

ଡା.ସୁପର୍ଣ୍ଣ କାହିଁକି ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଉଭୟଙ୍କ ମଧ୍ୟରେ ପୂର୍ବରୁ କିଛି ସମ୍ପର୍କ ରହିଥିବା ନେଇ ପୁଲିସ ଅନୁମାନ କରୁଛି। ସମ୍ପର୍କ ଖରାପ୍‌ ହେବା ପରେ ଡା.ସୁପର୍ଣ୍ଣ ଏଭଳି ଘଟଣା ଘଟାଇ ଥାଇପାରନ୍ତି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବ୍ରହ୍ମପୁର ଏସ୍.ପି. କହିଛନ୍ତି।