ଉତ୍ପାଦନ ଠାରୁ ୪ ଗୁଣ ଅଧିକ ଧାନ ମଣ୍ଡିକୁ ଆସୁଛି କୁଆଡ଼ୁ?

ଖୋର୍ଦ୍ଧା: ଚାଷୀମାନଙ୍କ ଅଭିଯୋଗ ମଣ୍ଡିରେ ସେମାନଙ୍କ ଧାନ କିଣାଯାଉନାହିଁ। ଅପରପକ୍ଷରେ ଯୋଗାଣ ବିଭାଗର ସ୍ପଷ୍ଟୀକରଣ ହେଲା ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ଲକ୍ଷ୍ୟକୁ ବାରମ୍ବାର ବୃଦ୍ଧି କରାଯାଉଛି। କିନ୍ତୁ ବାସ୍ତବ ତଥ୍ୟ ଆଉ କିଛି କହୁଛି, ଜିଲ୍ଲାରେ ଯେତିକି ଚାଷ ଜମି, ପ୍ରତି ଚାଷ ଜମିରୁ ଯେତିକି ଉତ୍ପାଦନ ହେଉଛି, ତା ଠାରୁ ଅଧିକ ପରିମାଣରେ ଧାନ ମଣ୍ଡିରେ ବିକ୍ରି କରାଯାଉଛି। ୨୦୨୧-୨୨ ଖରିଫ ଓ ୨୦୨୨-୨୩ ରବି ଋତୁରେ ଏଭଳି ଅତିରିକ୍ତ ୧୦ଲକ୍ଷ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରାଯାଇଛି। ଏହି ଧାନ ଆସୁଛି କୁଆଡ଼ୁ, ଚାଷୀଙ୍କୁ ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ସବସିଡି, ସର୍ବନିମ୍ନ ସହାୟକ ମୂଲ୍ୟର ଫାଇଦା କିଏ ପାଉଛି, ସେନେେଇ କେହି ଏଯାଏଁ ଅଙ୍ଗୁଳି ଉଠାଇ ନାହାଁନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଉଭୟ ଜଳସେଚିତ ଓ ଅଣଜଳସେଚିତ ୯୯ହଜାର ୯୩୨ ହେକ୍ଟର ଚାଷ ଜମି ରହିଛି। ଖରିଫରେ ୮୮ହଜାର ୮୫୨ ହେକ୍ଟର ଚାଷ ଜମିରେ ଓ ରବି ଋତୁରେ ୧୧ ହଜାର ୪୨ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥାଏ। କୃଷି ବିଭାଗର ୨୦୨୦-୨୧ ରିପୋର୍ଟ ଅନୁସାରେ, ଜିଲ୍ଲାରେ ଖରିଫ ଋତୁରେ ପ୍ରତି ହେକ୍ଟର ପିଛା ଅଧିକ ଅମଳକ୍ଷମ ଧାନ ୩୯.୭୦ କ୍ୱିଣ୍ଟାଲ ଓ ଚାଷୀଙ୍କ ସଂଚିତ ବିହନରୁ ୩୧.୩୭ କ୍ୱିଣ୍ଟାଲ ଉତ୍ପାଦିତ ହୋଇଥାଏ। ରବି ଋତୁରେ କେବଳ ଅଧିକ ଅମଳକ୍ଷମ ଧାନ ହିଁ ଚାଷ ହୋଇଥାଏ ଓ ଏହାର ଉତ୍ପାଦନ ପରିମାଣ ହେକ୍ଟର ପିଛା ୫୦.୫୪ କ୍ୱିଣ୍ଟାଲ। ଅର୍ଥାତ୍ ପ୍ରତି ହେକ୍ଟର ପିଛା ଖରିଫ ଋତୁରେ ହାରାହାରି ହେକ୍ଟର ପିଛା ୪୦ରୁ ୪୨କ୍ୱିଣ୍ଟାଲ ଧାନ ଉତ୍ପାଦିତ ହୋଇଥାଏ। ତେବେ ଆକଳନର ୭.୧୫ ପ୍ରତିଶତ (ଖରିଫ) ଓ ୬.୧୫% (ରବି) ତ୍ରୁଟିବିଚ୍ୟୁତି ପରେ ରବି ଋତୁରେ ୩୪ହଜାର ୯ଶହ କ୍ୱିଣ୍ଟାଲ ଧାନ ଓ ଖରିଫ ଋତୁରେ ୩ଲକ୍ଷ ୫୨ହଜାର କ୍ୱିଣ୍ଟାଲ ଧାନ ଉତ୍ପାଦିତ ହୋଇଥାଏ। ଅର୍ଥାତ୍ କୃଷି ବିଭାଗର ଆକଳନ ଅନୁସାରେ, ଜିଲ୍ଲାରୁ ଉଭୟ ଖରିଫ ଓ ରବି ଋତୁରେ ପ୍ରାୟ ୩ଲକ୍ଷ ୮୭ ହଜାର କିଣ୍ଟାଲ ଧାନ ଉତ୍ପାଦିତ ହୁଏ। ସାଧାରଣତଃ ଚାଷୀ ନିଜର ପରିବାରର ବର୍ଷକ ଖାଇବା ପାଇଁ ଧାନ ରଖି ବଳକା ବିକ୍ରି କରିଥାଏ।

Sambad

ଅପରପକ୍ଷରେ ମୋଟ ଚାଷୀଙ୍କ ମଧ୍ୟରୁ ଧାନ ମଣ୍ଡିରେ ମାତ୍ର ୪୦ରୁ ୪୫ ପ୍ରତିଶତ ଚାଷୀ ହିଁ ଧାନ ବିକ୍ରି କରିଥାନ୍ତି ଓ ଅନେକ ଖୋଲା ବଜାରରେ ବିକ୍ରି କରିଥାନ୍ତି। ଯଦି ଏହି ଦୁଇଟି କଥାକୁ ଅନୁଶୀଳନ କରାଯିବ ତେବେ ମଣ୍ଡିରେ ୧ଲକ୍ଷ କିମ୍ବା ଦେଢ଼ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ହେବା କଥା। ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାରେ ଚଳିତବର୍ଷ ଉଭୟ ଖରିଫ ଓ ରବି ଋତୁରେ ୧୩ ଲକ୍ଷ ୪୯୮ ହଜାର ୩୮୧ କ୍ୱିଣ୍ଟାଲ ଧାନ ବିକ୍ରି ହୋଇଛି। ଅର୍ଥାତ୍ କୃଷି ବିଭାଗର ଆକଳନ ଓ ଚାଷ ଜମିରେ ଯେତିକି ଧାନ ଉତ୍ପାଦିତ ହୋଇଛି ତା ଠାରୁ ୧୦ଲକ୍ଷ କ୍ୱିଣ୍ଟାଲ ଅଧିକ ଧାନ ବିକ୍ରି ହୋଇଛି।

ସୂଚନାଯୋଗ୍ୟ ୨୦୨୨-୨୩ ରବି ଋତୁରେ ୨୧ ପ୍ରାଥମିକ କୃଷି ସମବାୟ ସମିତିରେ ୧୯୭୬ ଜଣ ଚାଷୀ ଧାନ ବିକ୍ରି କରିବାକୁ ସ୍ୱୀକୃତି ପାଇଥିଲେ। ସରକାରଙ୍କ ପକ୍ଷରୁ ୪୫ ହଜାର ୫୦୦ କ୍ୱିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ରବି ଧାନ ସଂଗ୍ରହ ଶେଷ ହୋଇଛି ଜୁନ୍ ଶେଷ ସୁଦ୍ଧା ୧୭୬୮ ଜଣ ଚାଷୀଙ୍କ ଠାରୁ ୫୫ହଜାର ୩୮୧ କିଣ୍ଟାଲ ଧାନ କିଣାଯାଇଛି। ୨୦୨୧-୨୨ ଖରିଫ ଋତୁରେ ପ୍ରଥମ ଚରଣରେ ୭ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ୧୧ ଲକ୍ଷ କ୍ୱିଣ୍ଟାଲ ବୃଦ୍ଧି କରାଯାଇଥିଲା। ତେବେ ଅନେକ ଚାଷୀ ଧାନ ବିକ୍ରି କରିପାରିନଥବା ନେଇ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଧାନ ସଂଗ୍ରହ ଲକ୍ଷ ୧୧ରୁ ୧୪ଲକ୍ଷ କ୍ୱିଣ୍ଟାଲ ବୃଦ୍ଧି କରାଯାଇଥିଲା। ତେବେ ଖରିଫ ଧାନ ସଂଗ୍ରହ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବା ବେଳକୁ ୪୦୦୮୮ ଚାଷୀଙ୍କ ଠାରୁ ୧୨ଲକ୍ଷ ୯୩ହଜାର ୭୦୦ କ୍ୱିଣ୍ଟାଲ ଧାନ କିଣାଯାଇଥିଲା। ଏହାସତ୍ୱେ ଧାନ ସଂଗ୍ରହରେ ଭାଗ ନେଇଥିବା ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ମୋଟ ୪୬ ହଜାର ୩୬୯ ଜଣ ଚାଷୀଙ୍କ ମଧ୍ୟରୁ ୬ ହଜାର ଚାଷୀ ଧାନ ବିକି୍ର କରି ପାରିନଥିଲେ।

ସମ୍ବନ୍ଧିତ ଖବର