କୋଟପାଡ:ନିର୍ମାଣ ସରିଥିଲେ ହେଁ ସୀମାନ୍ତ ଚାନ୍ଦିଲି ବିଟ୍ହାଉସ ଲୋକଙ୍କ କାମରେ ଆସୁନି। ବ୍ୟବହାର ହୋଇ ନପାରି ପଡି ରହିଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି। ଏଣେ ପୁରୁଣା ଭଙ୍ଗାଘରେ ଏବେ ବିଟ୍ହାଉସ୍ ଚାଲୁଥିବାରୁ ଲୋକଙ୍କୁ ଠିକ୍ ସେବା ମିଳିପାରୁ ନଥିବା ଜଣାପଡିଛି। ଅନ୍ୟପକ୍ଷରେ, ଦଦରା ଘରେ ବିଟ୍ହାଉସ ଚାଲୁଥିବାରୁ ସୀମାନ୍ତରେ ପୁଲିସ ବ୍ୟବସ୍ଥା ସ୍ବାଭିମାନ ହରାଉଥିବା ଆଲୋଚନା ହେଉଛି।
ଚାନ୍ଦିଲିରେ ବିଟହାଉସ ୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଉଦ୍ୟମରେ ତତ୍କାଳୀନ ଏସପି ସନ୍ତୋଷ ଉପାଧ୍ୟାୟ ଉଦଘାଟନ କରିଥିଲେ। ସୀମାନ୍ତରେ ଥାନାର ଆବଶ୍ୟକତା ପୂରଣ କରିବା ଏହାର ଥିଲା ଉଦ୍ଦେଶ୍ୟ। ଦୀର୍ଘ ୩୧ ପରେ ମଧ୍ୟ ଏହା ସୀମାରେ ପୁଲିସର ସ୍ବାଭିମାନ ରଖିବାରେ ଏକପ୍ରକାର ବିଫଳ ହୋଇଛି। ଅନ୍ୟପଟେ ଛତିଶଗଡ ପୁଲିସ ନଗରନାର ସୀମାରେ ଉତ୍ତମ ବ୍ୟବସ୍ଥା କରି ଦବଦବା ଜାହିର କରୁଛି। ଏଠାରେ ଭଙ୍ଗା ଘରେ ବିଟହାଉସ ଚାଲିଥିବା ନେଇ ଅନେକ ଥର ସରକାର ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ବିଳମ୍ବରେ ହେଲେ ମଧ୍ୟ ଏକବର୍ଷ ତଳେ ନୂତନ ବିଟହାଉସ କୋଠା ନିର୍ମାଣ ହୋଇଛି। ତେବେ ଉଦଘାଟନ ହେଉ ନଥିବାରୁ ଏହା ବ୍ୟବହାର ହୋଇପାରୁନି। ପରିତ୍ୟକ୍ତ ଭାବେ ଏହା ପଡିବା ସହ ନଷ୍ଟ ହେବାକୁ ବସିଲାଣି। ଏଣେ ଏବେ ଭଙ୍ଗାଘରେ ବିଟ୍ହାଉସ ଚାଲୁଥିବାରୁ ରାତିରେ କର୍ମଚାରୀ ଠିକ୍ରେ କରିପାରୁ ନଥିବା ଓ ଲୋକଙ୍କୁ ଠିକ୍ ସେବା ମିଳୁ ନଥିବା ଜଣାପଡିଛି। ଛତିଶଗଡରେ ନକ୍ସଲଙ୍କ ଦବଦବା ଥିବାରୁ ଏଠାରେ କର୍ମଚାରୀ ସୁରକ୍ଷିତ ନଥିବା ଜଣାପଡିଛି। ଏପରିସ୍ଥଳେ ଜ଼ିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧୀକ୍ଷକ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।