ଗଞ୍ଜାମରୁ ଝାରୁସୁଗୁଡା ଶ୍ରମିକଙ୍କୁ ନେଇ ବସ୍ ଗଲା କେମିତି?, ସୀମା ସିଲ୍ ସତ୍ତ୍ବେ ବସ୍ ପାର୍ 

ଭଞ୍ଜନଗର: କରୋନା ସଂକ୍ରମଣକୁ ନେଇ ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ସାରା ରାଜ୍ୟରେ ହଟ୍ସ୍ପଟ୍ ପାଲଟିଛି। ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାକୁ ଲକ୍ ଡାଉନ୍ କରିବା ସହ ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦେଇଛନ୍ତି। କେବଳ ଅତ୍ୟାବଶ୍ୟକ ଜିନିଷକୁ ବାଦ୍ଦେଲେ ବାକି ସମସ୍ତ ଯାତାୟତକୁ ବାରଣ କରାଯାଇଛି। ଜିଲ୍ଲାରୁ କହାରିକୁ ବାହାରକୁ ଛଡ଼ା ଯିବ ନାହିଁ କି ଜିଲ୍ଲା ଭିତରକୁ କାହାରିକୁ ପୁରାଇ ଦିଆଯିବ ନାହିଁ ବ‌ୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। କିନ୍ତୁ ଏତେ କଡ଼ା ନିୟମ ଭିତର ଗତକାଲି ଶେରଗଡ଼ ବ୍ଲକରୁ ଏକ ବସ୍ ଯୋଗ‌େ ୨୭ ଜଣ ଶ୍ରମିକ ସୁରଟ ଯାତ୍ରା କରିବା ପାଇଁ ବାହାରି ଝାରସୁଗୁଡ଼ା ଯାଇ ପହଞ୍ଚିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲକ୍ ଡାଉନ୍ ଯୋଗୁ ଫେରି ଆସିଥିବା ଶ୍ରମିକମାନେ ପୁଣି ସୁରଟ ଫେରିଯିବା ପାଇଁ ଝାରସୁଗୁଡା ଯାଇଥିବା ଝାରସୁଗୁଡା କୋଭିଡ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜ ସ୍ପଷ୍ଟ କରିଛନ୍ତି। ସେଠାରୁ ଆଜି ଏହି ଶ୍ରମିକ ମାନ‌େ ହାୱାଡ଼ା-ଅହମ୍ମଦାବାଦ ଟ୍ରେନ୍ ଯୋଗେ ସୁରଟ ଯାଇଛନ୍ତି। ଜିଲ୍ଲାରେ ସ୍ଥିତି ସଙ୍ଗିନ୍ ରହିଥିବା ବେଳେ ସୁରଟର ସ୍ଥିତି ସ୍ବାଭାବିକ ଆଡ଼କୁ ମୁହାଁଇଛି। ସେଠାରେ ବିଭିନ୍ନ କାରଖାନା ଆରମ୍ଭ ହୋଇଛି। ସେମାନେ କାମ କରୁଥିବା ସଂସ୍ଥା ତାଙ୍କୁ କାମରେ ଯୋଗ ଦେବାକୁ ପୁଣି ଅନୁରୋଧ କରି ଅଗ୍ରୀମ ଟଙ୍କା ମଧ୍ୟ ପଠାଇଥିବା ସେମାନେ କହିଥିଲେ। ଫଳରେ ଏହି ଶ୍ରମିକ ମାନେ ଶେରଗଡରୁ ଏକ ବସ୍ ଭଡ଼ା କରି ଗତକାଲି ସନ୍ଧ୍ୟା ୭ଟାରେ ସେଠାରେ ପହଞ୍ଚିଥିଲେ।

ତେବେ ଜିଲ୍ଲାର ସବୁ ଦିଗ ସିଲ୍ ହୋଇଥିବା ବେଳେ ଏତେ ସଂଖ୍ୟାରେ ଶ୍ରମିକ ବସ୍ ଭଡ଼ା କରି ଝାରସୁଗୁଡ଼ା ପର୍ଯ୍ୟନ୍ତ କେମିତି ଗଲେ ତାହା ସମସ୍ତଙ୍କୁ ଚକିତ କରିଛି। ଜିଲ୍ଲାରୁ ପଶ୍ଚିମ ଓଡିଶା ଯିବା ପାଇଁ କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ଓ ଗାଜଲବାଡି ଠାରେ ସୀମା ସିଲ୍ କରାଯାଇ ଯାଞ୍ଚ କରାଯାଉଥିବା ନୟାଗଡ ସୀମାନ୍ତ ତାରାସିଂ ଠାରେ ଚେକ୍ପୋଷ୍ଟ ନିର୍ମାଣ କରାଯାଇ ଯାଞ୍ଚ କଡାକଡି କରାଯାଉଛି। ଏସ୍ପି ବିଜ୍ରେଶ୍ ରାୟ ଗତ ୧୦ ତାରିଖ ଦିନ ନିଜେ ଏହି ସବୁ ଚେକ୍ ପୋଷ୍ଟ୍ର ତଦାରଖ କରିଥିଲେ। ଏହାପରେ ମଧ୍ୟ କିଭଳି ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏତେ ବଡ ବସ୍ ଶ୍ରମିକ ମାନଙ୍କୁ ନେଇ କିଭଳି ସୀମା ପାର କରିପାରିଲା ତାହାର ଉତ୍ତର କାହାରି ପାଖରେ ନାହିଁ। ଶ୍ରମିକଙ୍କ କହିବା ଅନୁଯାୟୀ ଏମାନଙ୍କ ବସ୍କୁ ଫୁଲବାଣି- ଚାରିଛକ ମଝିରେ ପୁଲିସ ଅଟକାଇ ପୁଣି ଛାଡ଼ି ଦେଇଥିଲା। ଲକ୍ ଡାଉନ୍ ପାଇଁ ପ୍ରଶାସନ କଠୋରତା ପ୍ରର୍ଦଶନ କରିଥିବା ବେଳେ ଅନେକ ଜରରୁୀ କାର୍ଯ୍ୟରେ ଯାତାୟତ କରୁଥିବା ଲୋକ ମାନେ ମଧ୍ୟ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଜିଲ୍ଲା ମଧ୍ୟରେ ବାଇକ ଓ କାର୍ ଚାଳକ ମାନଙ୍କ ଯାଞ୍ଚ କଡାକଡି ହେଉଥିବା ବ‌େଳେ ଶ୍ରମିକ ମାନଙ୍କୁ ନେଇ ଯାଇଥିବା ବସ୍ ଅନାୟସରେ ସୀମା ପାର କରିଥିବାରୁ ସୀମାରେ ଯାଞ୍ଚ କିଭଳି ରହିଛି ତାହା ସ୍ପଷ୍ଟ ଅନୁମେୟ।

ଏସଂର୍ପକରେ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ଦୁର୍ଗପ୍ରାସାଦ, ତାରସିଂ ଓ କରସିଂ ସୀମାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ କଡାକଡି ଯାଞ୍ଚ କରାଯାଉଛି। ତେବେ ବର୍ତ୍ତମାନ ରାଜ୍ୟ ସରକାର ଇ-ପାସ୍ ବ୍ୟବସ୍ଥା କରିଥିବାରୁ କିଛି ବସ୍ ଇ-ପାସ୍ ଦେଖାଇ ଯାଉଛନ୍ତି। ଇ-ପାସ୍ ଥିଲେ ମଧ୍ୟ କିଛି ବସ୍କୁ ଆମେ ଜିଲ୍ଲାରେ ଆବଶ୍ୟକତା ନଥିଲେ ପ୍ରବେଶ କରିବାକୁ ଦେଉନାହୁଁ। ତେବେ କେଉଁ ରାସ୍ତା ଦେଇ ସେହି ବସ୍ ଗଲା ତାହା ଜଣାପଡିବା ପରେ ବସ୍ କିଭଳି  ପାର ହେଲା ତାର ପ୍ରକୃତ କାରଣ ଜଣାପଡିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର