ବାସ୍ତବରେ କେତେ ବ୍ୟବହାର ହୁଏ ଓଡ଼ିଆ ଭାଷା? ଉତ୍କଳ ଦିବସରେ ହିଁ ଓଡ଼ିଆ ଭାଷା ପ୍ରତି ସୃଷ୍ଟି ହୁଏ ଭାବପ୍ରବଣତା

ଭଞ୍ଜନଗର: ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ, ଏଭଳି ପଦେ ଶୁଣିଦେଲେ ପ୍ରତିଟି ଓଡ଼ିଆ ପ୍ରାଣରେ ସୃଷ୍ଟି ହୁଏ ଅବ୍ୟକ୍ତ ଅନୁଭବ। ସମୟ ସହିତ ଚଳଣିରେ ବହୁ ପରିବର୍ତ୍ତନ ଘଟିଛି। କଥା କହିବାର ଶୈଳୀ ଓ ମାନସିକତା ମଧ୍ୟ ବଦଳିବାରେ ଲାଗିଛି। ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ଅଧିସୂଚନା ଜାରି ହୋଇଛି। ସରକାରୀ କାର୍ଯ୍ୟାଳୟରେ ଫଳକ ଠାରୁ ଆରମ୍ଭ କରି ନଥିପତ୍ରରେ ଓଡ଼ିଆ ଭାଷାର ବ୍ୟବହାର ସରକାରୀ ସ୍ତରରେ ଆଇନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶତପ୍ରତିଶତ ସଫଳ ରୂପାୟନ ହୋଇପାରିନି।

ଆଇନ କାର୍ଯ୍ୟକାରୀ ହେବାପରେ ସରକାରୀ ନଥିପତ୍ର, ଚିଠି ଆଦି ଓଡ଼ିଆରେ ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ ବ୍ୟକ୍ତି ଏହି ଆଇନକୁ ଉଲଂଘନ ତଥା ଅବମାନନା କରିବ ତା ନେଇ ଦଣ୍ଡଦେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିସହ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକର ନାମଫଳ‌କ ଓଡିଆରେ ଲେଖିବା ପାଇଁ ପ୍ରଥମରୁ ହିଁ ନିର୍ଦ୍ଦେଶ ଜାରି କରିଛନ୍ତି। କିଛି ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟକ୍ତି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଥିବା ବେଳେ ସରକାରୀ କର୍ମଚାରୀ ମଧ୍ୟ ଅବମାନନା କରିବାକୁ ପଛାଉନାହାନ୍ତି। କିଛି କାର୍ଯ୍ୟାଳୟର ଫଳକ ବଦଳିଥିବା ବେଳେ ବାକି ସବୁ ଫଳକ ଇଂରାଜୀ ଲେଖା ରହିଛି। ଆଉ କିଛି କାର୍ଯ୍ୟାଳୟରେ ଇଂରାଜୀ ଭାଷାରେ ଲେଖା ଫଳକକୁ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମଳିଛି। ଘୋଷଣାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ତ କ୍ଷେତ୍ରରେ ସୁଧାର ଆସିପାରିନି। ଆସନ୍ତାକାଲି ସକାଳୁ ବିଭିନ୍ନ ବିଦ୍ୟାଳୟ ଠାରୁ ଆରମ୍ଭ ସରକାରୀ ଓ ବେସରକାରୀ କରି ଉପଖଣ୍ଡ ସ୍ତରରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ମାତୃଭାଷା ଓଡ଼ିଆକୁ ସବୁ ସ୍ଥାନରେ କାର୍ଯ୍ୟକାରୀ ପାଇଁ ଗୁରୁତ୍ବ ଦିଆଯାଉ ନଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି।

୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ୨୦୧୬ ମସିହାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହ ଏହାକୁ ସବୁ ସରକାରୀ କାର୍ଯ୍ୟାଳୟରେ ପାଳନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ଏଥିସହ ସହରର ଶିକ୍ଷାନୁଷ୍ଠାନ, ପ୍ରଶାସନିକ କାର୍ଯ୍ୟାଳୟ ଓ ବ୍ୟବସାୟୀକ ପ୍ରତିଷ୍ଠାନର ନାମଫଳକରେ ଓଡିଆ ଲେଖିବାପାଇଁ ବାଧ୍ୟତା ମୂଳକ କରାଯାଇଛି। ଭାଷାକୁ ନେଇ ବହୁ ଆନ୍ଦୋଳନ ହୋଇଥିବା ବେଳେ ତାହାର ମଧ୍ୟ ସୁଫଳ ମିଳିପାରି ନାହିଁ। ଭାଷା ଆଇନକୁ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରେ ବେଖାତିର କଲେ ଜୋରମାନା ଦେବା ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ଏହାକୁ କିଏ କାର୍ଯ୍ୟକାରୀ କରୁଛି କି ନାହିଁ ସେ ନେଇ ଠିକ୍‌ ଭାବେ ତଦାରଖ କରିବାକୁ କେହି ଥିବା ଭଳି ମଧ୍ୟ ଜଣାପଡୁନି। ଏଥିପ୍ରତି ଅବମାନନା କରୁଥିବା ପ୍ରତିଷ୍ଠାନ କିମ୍ବା ଅଧିକାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ମଧ୍ୟ ନଜିର ନାହିଁ।
କାଗଜପତ୍ର କାମରେ ଓଡ଼ିଆ ଭାଷାକୁ କିଭଳି ଗୁରୁତ୍ବ ଦିଆଯାଉଛି ତାହ ସହଜରେ ଅନୁମେୟ। ଓଡ଼ିଆ ଭା‌ଷା ବର୍ତ୍ତମାନ ବିଶ୍ବବ୍ୟାପୀ ହୋଇପାରିଛି। ଓଡ଼ିଆମାନେ ବିଦେଶରେ ନିଜର ଗୌରବ ବଢାଇପାରିଛନ୍ତି। ଏଭଳି କ୍ଷେତ୍ରରେ ଓଡ଼ିଆ ଭାଷାକୁ ଉପଯୁକ୍ତ ଶୈଳୀରେ ବ୍ୟବହାର କରିବା ସହ ଏହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ପ୍ରତିଫଳିତ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର