ପୌର ପରିଷଦ ପାଇଁ କେମିତି ଅଧ୍ୟକ୍ଷ ଚାହାଁନ୍ତି ଲୋକେ? ଜାଣନ୍ତୁ ମତଦାତାଙ୍କ ପ୍ରତିକ୍ରିୟା

ଖୋର୍ଦ୍ଧା: ଦୀର୍ଘ ୩ ଦଶନ୍ଧି ପରେ ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ସହରାଞ୍ଚଳର ଭୋଟର ସିଧାସଳଖ ଭାବେ ସେମାନଙ୍କ ଅଧ୍ୟକ୍ଷକୁ ଚୟନ କରିବେ। ସରକାର ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ବେଳେ ବିଶ୍ୱାସ ରଖିଛନ୍ତି ଯେ ଏହାଦ୍ୱାରା ଘୋଡ଼ା ବେପାର ବନ୍ଦ ହେବ, ନେତା ଲୋକଙ୍କ ସମସ୍ୟା ସହ ସିଧାସଳଖ ଜଡ଼ିତ ହେବ। ଖୋର୍ଦ୍ଧା ବିଜ୍ଞପିତ ଅଞ୍ଚଳ ପରିଷଦ ଥିବାବେଳେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା ଏହା ପୌର ପରିଷଦକୁ ଉନ୍ନୀତ ହେବା ପରେ ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନକୁ ସମ୍ମୁଖୀନ କରୁଛି। ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି। କେତେକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି।

ଏପରିସ୍ଥଳେ ‘ସମ୍ବାଦ’ ପକ୍ଷରୁ ଜିଲ୍ଲା ପ୍ରତିନିଧି ଲମ୍ବୋଦର ପ୍ରସାଦ ଦାଶ ରାଜ୍ୟ ରାଜଧାନୀର ଜିଲ୍ଲା ସଦର ମହକୁମାର ଅଧ୍ୟକ୍ଷ କିଭଳି ହେବା ଆବଶ୍ୟକ ଓ ସହରର କେଉଁ ସମସ୍ୟା ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ସେନେଇ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମତାମତ ସଂଗ୍ରହ କରିଛନ୍ତି। ୫ ନମ୍ବର ୱାର୍ଡର ଆଇନଜୀବୀ, ସୁବାସିନୀ ସାମନ୍ତରାୟ କହିଛନ୍ତି ଯେ, ଖୋର୍ଦ୍ଧା ପୌର ପରିଷଦରେ ଉନ୍ନୟନ କାମ ହେଉନାହିଁ ବୋଲି ତ କହିହେବନି, ହେଉଛି, କିନ୍ତୁ ଯାହା ହେଉଛି ତାହା ବ୍ୟବସ୍ଥିତ ଢଙ୍ଗରେ ହେଉନାହିଁ। ଫଳରେ ଉନ୍ନୟନ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସାଧାରଣ ଲୋକଙ୍କ ଉପକାରରେ ଲାଗି ପାରୁନାହିଁ। ତାଙ୍କର ନିଜ ୱାର୍ଡ଼ରେ ଡମ ସାହି ଓ ତଳିଆ ବସ୍ତି ଗୁଡ଼ିକରେ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଏଯାଏଁ ପହଞ୍ଚି ନାହିଁ। ସହରର ଅନେକ ଗରିବ ଓ ଅସହାୟ ଏଭଳି ଅଛନ୍ତି ଯେଉଁ ମାନେ ସରକାରୀ ସହାୟତା ପାଇବାରେ ଯୋଗ୍ୟ କିନ୍ତୁ ସେମାନଙ୍କୁ ମିଳୁନାହିଁ। ଅନେକ ଥିଲାବାଲା ଏହାର ଫାଇଦା ଉଠାଉଛନ୍ତି। ଯଦିଏ ଅଧ୍ୟକ୍ଷ ହେବ ସେ ଏହି ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ।

୬ ନଂ ୱାର୍ଡର ଜଣେ ଗୃହିଣୀ ସସ୍ମିତା ମହାପାତ୍ର କହିଛନ୍ତି ଯେ, ଖୋର୍ଦ୍ଧା ସହର ନିଶା ବେପାରର ପେଣ୍ଠ ପାଲଟିଯାଇଛି। ଅନେକ ସ୍ଥାନରେ ଏପରି ହୋଇଛି, ସଂଧ୍ୟା ହେଲେ ଘରୁ ଝିଅ-ବୋହୁ ମାନେ ବାହାରକୁ ବାହାରି ପାରୁନାହାଁନ୍ତି। ଯିଏ ପୌରଅଧ୍ୟକ୍ଷ ହେବ ସେ ଏହି ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦେବା ଆବଶ୍ୟକ। ପୁଲିସ, ଅବକାରୀ ବିଭାଗ ଉପରେ ଚାପ ପକାଇ ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଆଉ ରହିଲା, ପାଣି, ସଡ଼କ ଆଦିର ସମସ୍ୟା ଏହା ଗତ ୩-୪ଦଶନ୍ଧୀ ହେଲା ଦେଖିଆସୁଛୁ, ଯିଏ ନେତା ଭୋଟ ମାଗିବାକୁ ଆସୁଛି ତାଙ୍କ ଆଗରେ ଏନେଇ ଦାବି ରଖୁଛୁ, କିନ୍ତୁ ଏଯାଏଁ ସମାଧାନ ହୋଇ ପାରିନାହିଁ। ଏହି ଦିଗପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ୱାର୍ଡ଼ ନଂ ୨୦ ଖୋର୍ଦ୍ଧା ଓକିଲ ସଂଘର ସଭାପତି ଅଜିତ ପଟ୍ଟନାୟକ କହିଛନ୍ତି ଯେ, ଖୋର୍ଦ୍ଧା ସହରର ଅବସ୍ଥା ସହ ପଡ଼ୋଶୀ ଜିଲ୍ଳା ନୟାଗଡ଼ ସଦର ମହକୁମାକୁ ତୁଳନା କରନ୍ତୁ ଫରକ ଜାଣିପାରିବେ, ଏଠାରେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନ କିଭଳି ବିଫଳ ହୋଇଛନ୍ତି। ସହରର ସର୍ବନିମ୍ନ ଆବଶ୍ୟକତା- ପାଣି, ସଡ଼କ, ବିଜୁଳି, ପରିମଳ ସମସ୍ୟାର ଏଯାଏଁ ସମାଧାନ ହୋଇ ପାରିଲାନାହିଁ। ଜବରଦଖଲକୁ ପୌର ପରିଷଦର ପୂର୍ବ ନେତା ମାନେ ହିଁ ପ୍ରୋତ୍ସାହନ ଦେଉଥିଲେ, ବର୍ତମାନ ଯିଏ ଅଧ୍ୟକ୍ଷ ହେବ ସେ ଦଳମତ ନିର୍ବିଶେଷରେ ସହରକୁ ନିଜର ବୋଲି ଭାବି ସମାଧାନ କରିବା ଆବଶ୍ୟକ।

ୱାର୍ଡ ନଂ ୧୧ର କର୍ମଜୀବୀ ମହିଳା ମମତାଂଜଳି ପଟ୍ଟନାୟକ କହିଛନ୍ତି ଯେ, ଯଦିଓ  ତାଙ୍କ ୱାର୍ଡ଼ରେ ପାନୀୟ ଜଳର ସମସ୍ୟା ନାହିଁ, କିନ୍ତୁ ନିକଟ ୱାର୍ଡ଼ ଗୁଡ଼ିକରେ ପାନୀୟ ଜଳର ସମସ୍ୟା ରହିଛି। ଖୋର୍ଦ୍ଧା ଏକ ପୁରୁଣା ସହର ହେଲେ ହେଁ ଏହାର ରାସ୍ତାଘାଟ, ନାଳ ଇତ୍ୟାଦି ଏଯାଏଁ ବ୍ୟବସ୍ଥିତ ଭାବେ ନିର୍ମାଣ ହୋଇନାହିଁ। ବୁଲା କୁକୁର ଓ ଗାଈଗୋରୁଙ୍କ ସମସ୍ୟା ସମାଧାନ କରିବାରେ ପୌର ପରିଷଦ ବିଫଳ ହୋଇଛି। ସବୁଠାରୁ ବଡ଼ ସମସ୍ୟା ସହର ବର୍ତ୍ତମାନ ନିଶାଡି ଓ ନିଶା ବେପାରୀଙ୍କ କବଳରେ ପଡ଼ିଛି। ଯିଏ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନରେ ଲଢ଼ୁଛନ୍ତି ଓ ନିର୍ବାଚନରେ ଜିତି ଆସିବେ ଉଭୟ କେବଳ ନିର୍ବାଚନ ସମୟରେ ଖାଲି ଏନେଇ କଥା କହିଲେ ହେବ ନାହିଁ ଏହାର
ସମାଧାନ ପାଇଁ ପ୍ରକୃତ ଚେଷ୍ଟା କରିବା ଉଚିତ। ୧୪ ନଂ ୱାର୍ଡ଼ର ଗୃହିଣୀ ରୀତା ଅଗ୍ରୱାଲ୍ କହିଛନ୍ତି ଯେ, ସହରର ବର୍ତ୍ତମାନ ପ୍ରମୁଖ ସମସ୍ୟା ହେଉଛି ସାମାଜିକ ସମସ୍ୟା। ଏଠାରେ ନିଶାଡ଼ି ମାନଙ୍କ ଦୌରାତ୍ମ୍ୟ ଯେଭଳି ବଢ଼ିଛି, ଦିନ ଦିପହରେ ମହିଳା କ’ଣ ପୁରୁଷ ଲୋକ ମଧ୍ୟ ଯଦି ଏକୁଟିଆ ଯାଉଥିବ ତେବେ ବ୍ୟାଗ୍, ପିନ୍ଧା ଅଳଙ୍କାର,
ମୋବାଇଲ୍ ଆଦି ଲୁଟି ନେଉଛନ୍ତି। ସହରର ଅଧ୍ୟକ୍ଷ ଜଣେ ମହିଳା ହେଉଛି, ଏଣୁ ଜଣେ ମହିଳା ହିସାବରେ ସହରରେ ମହିଳାଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ସହରକୁ ନିଶାମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ସହରର କାର୍ଯ୍ୟାଳୟଗୁଡ଼ିକରେ ବିଶେଷତଃ ପୌର ପରିଷଦ କାର୍ଯ୍ୟାଳୟରେ ଯେଉଁ ମହିଳା ପ୍ରମାଣପତ୍ର, ଭତ୍ତା ଆଦି ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର କରିଡର, ଶୌଚାଳୟର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର