ଏଚ୍‌ପିସିଏ ଷ୍ଟାଡିୟମ୍‌ରୁ ପାକିସ୍ତାନୀ କ୍ରିକେଟର୍‌ଙ୍କ ୧୩ ଫଟୋ ହଟାଗଲା

ଧର୍ମଶାଳା,: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନଙ୍କ ସହିଦ ପରେ ସାରା ଭାରତରେ ପାକିସ୍ତାନ ବିରୋଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ପ୍ରତିବାଦ‌ରେ ପ୍ରଥମେ ମୁମ୍ବାଇର ସିସିଆଇ (କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ)ରୁ ପୂର୍ବତନ ପାକ୍‌ ଅଧିନାୟକ ତଥା‌ ଏବର ପାକିସ୍ତାନ ପ୍ରଧା‌ନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋଚିତ୍ର ଢାଙ୍କି ଦିଆଯାଇଥିଲା ବେଳେ ରବିବାର ମୋହାଲିସ୍ଥିତି ପଞ୍ଜାବ କ୍ରି‌କେଟ୍‌ ସଂଘ (ପିସିଏ)ରୁ ପାକ୍‌ ଖେଳାଳିଙ୍କ ଫଟୋଚିତ୍ର କାଢି ନିଆଯାଇଥିଲା। ପୁଣି ମଙ୍ଗଳବାର ହିମାଚଳ ପ୍ରଦେଶ କ୍ରିକେଟ୍‌ ସଂଘ (ଏଚ୍‌ପିସିଏ) ଷ୍ଟାଡିୟମ୍‌ରୁ ମଧ୍ୟ ୧୩ ପାକିସ୍ତାନୀ କ୍ରିକେଟର୍‌ଙ୍କ ଫଟୋ ହଟାଇ ନିଆଯାଇଛି। ଆମ ଷ୍ଟାଡିୟମ୍‌ରୁ ଆମେ ପାକିସ୍ତାନୀ ଖେଳାଳିଙ୍କ ସମସ୍ତ ଫଟୋ ହଟାଇଦେବାକୁ ନିଷ୍ପତ୍ତି ନେଇଛୁ ବୋଲି ଏଚ୍‌ପିସିଏ ଷ୍ଟାଡିୟମ୍‌ ପ୍ରବନ୍ଧକ କଲୋନେଲ୍‌ ଏଚ୍‌ଏସ୍‌ ମାନ୍‌ହସ୍‌ କହିଛନ୍ତି। ହଟାଇ ଦିଆଯାଇଥିବା ଏହି ଫଟୋଗୁଡ଼ିକ ମଧ୍ୟରେ ସାହିଦ ଆଫ୍ରିଦି, ସୋଏବ୍‌ ଅଖ୍‌ତର ଓ ଜାଭେଦ୍‌ ମିଆଁଦାଦ୍‌ଙ୍କ ଫଟୋ ରହିଛି। ୨୦୦୫ରେ ଭ୍ରମଣକାରୀ ପାକିସ୍ତାନ ଓ ଭାରତ ବୋର୍ଡ ଏକାଦଶ ମଧ୍ୟରେ ଆୟୋଜିତ ୱାର୍ମ ଅଫ୍‌ ମ୍ୟାଚ୍‌ ବେଳର ଖେଳାଳିଙ୍କ ଫଟୋକୁ ନେଇ ପ୍ରଥମ ଥର ଲାଗି ଏଚ୍‌ପିସିଏ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାପ୍‌ ପ୍ରସ୍ତୁତ କରିଥିଲା। ହେଲେ ପୁଲ୍‌ୱାମାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଆମେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନର ସମସ୍ତ ଖେଳାଳିଙ୍କ ଫଟୋ କାଢି ନେଇଛୁ ବୋଲି ମାନ୍‌ହସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର