ଅବକାରୀ ଚଢ଼ଉ; ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଜବତରେ ୬୭୦୦ ପୋଚ ଓ ଦେଶୀମଦ ଏବଂ ୨୦୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ପୁରୁଣା ବସ୍‌ଷ୍ଟାଣ୍ତ ବାସେଳୀସାହି ଛକର ମା’ ବାସେଳୀ ଭେରାଇଟି ଷ୍ଟୋର ଚଢ଼ଉ କରାଯାଇ ବିଦେଶୀ ମଦ ଓ ବିୟର ଜବତ କରାଯାଇଥିଲା। ସେଠାରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା। କିନ୍ତୁ ଅବକାରୀ କିମ୍ବା ପୁଲିସ ଏନେଇ କୌଣସି ପଦକ୍ଷେପ ନେଉନଥିଲା। ଆଜିର ଚଢ଼ଉରେ ଭେରାଇଟି ଷ୍ଟୋରର ମାଲିକକୁ ଗିରଫ କରାଯାଇନାହିଁ, କିନ୍ତୁ ଦୋକାନରେ ବିକ୍ରି କରୁଥିବା ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେହିଭଳି ଖୋର୍ଦ୍ଧା ରାମଚନ୍ଦ୍ରପୁର ଉପର ସାହିରେ ମଧ୍ୟ ଚଢ଼ଉ କରାଯାଇ ଦେଶୀ ମଦ ଓ ବିୟର ଜବତ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍‌ସପେକ୍ଟର ଭୈରବ ସାହୁଙ୍କ ସୂଚନା ଅନୁସାରେ, ଏନେଇ ଦୁଇଟି ପୃଥକ ୬ ଓ ୭/୨୦୨୧ ରେ ଦୁଇଟି ମାମଲା ରୁଜୁ କରାଯାଇଛି।

ଦୁଇଟି ଘଟଣାରେ ୧୧୬.୨୮୦ ଲିଟର ବିଦେଶୀ ମଦ, ୧୦୦.୭୫୦ ଲିଟର ବିୟର ଜବତ କରାଯାଇଛି। ଦୁଇଟି ମାମଲାରେ ଡେଲାଙ୍ଗ ବେଗୁନିଆପଡ଼ାର ସିଲୁ କଦମସିଂହ (୨୫) ଏବଂ ରାମଚନ୍ଦ୍ରପୁରର ରଂଜୁ ବଢ଼େଇ(୫୨) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଖୋର୍ଦ୍ଧା ଉପରସାହି, ଓ ବେଗୁନିଆ ମଣିବନ୍ଧ ବଡ଼ପଦର ଠାରେ ଚଢ଼ଉ କରାଯାଇ ଏକ ଦେଶୀମଦ ଭାଟିକୁ ନଷ୍ଟ କରାଯାଇଥିବା ବେଳେ ଦେଶୀ ମଦ ଜବତ କରାଯାଇଛି। ଏନେଇ ୧୨ ଓ ୧୩/୨୦୨୧ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଦୁଇଟି ଘଟଣାରେ ୫୪୦୦ ଲିଟର ପୋଚକୁ ନଷ୍ଟ କରାଯାଇଥିବା ବେଳେ ୩୨୦ ଚୋରା ଦେଶୀମଦ ଜବତ କରାଯାଇଛି। ଏହି ଦୁଇଟି ଘଟଣାରେ କୁଅପୁଟର ଚନେନ୍ଦ୍ରଶ୍ବର ସାହୁ (୩୨) ଏବଂ ଖୋର୍ଦ୍ଧା ଉପରସାହିର ଯୁଗଳକିଶୋର ଦାସ (୩୦)ଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର