ରାୟଗଡା: କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଓ ସିନ୍ଦୁରଘାଟି ପଞ୍ଚାୟତ ତଥା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ, ତଳଆମପଦର ଓ ନାକରୁଣ୍ତି ପଞ୍ଚାୟତର ଗ୍ରାମ ମୁଖ୍ୟ ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସମେତ ସହସ୍ରାଧିକ ମହିଳା ଓ ପୁରୁଷଙ୍କ ଏକ ବିଶାଳ ସମାବେଶ ଲାଇ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜୀବନଜୀବିକା ତଥା ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ସିଜିମାଳି ଓ କୁଟ୍ରମାଳି ଖଣି ପ୍ରସଙ୍ଗ ଆଲୋଚନା ହୋଇ ଜାନ୍ ଯାଉ-ଜୀବନ ଯାଉ: କୁଟ୍ରୁମାଳି ଓ ସିଜିମାଳି ବଞ୍ଚିଥାଉ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଜୀବନ-ଜୀବିକା ଓ ପରିବେଶ ସୁରକ୍ଷା ପାଇଁ ଏକ ସାର୍ବଜନୀନ ସଂକଳ୍ପ ପତ୍ର ଘୋଷଣା କରାଯାଇଛି। ଏହି ସଂକଳ୍ପ ନାମାରେ କାଶୀପୁର ଓ ଥୁଆମୂଳ ରାମପୁର ଭଳି ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ବିନା ଅନୁମତିରେ ସିଜିମାଳି ଓ କୁଟ୍ରୁମାଳିକୁ ବେଆଇନ ଭାବେ କମ୍ପାନୀମାନଙ୍କୁ ଲିଜ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ଆବେଦନ ଓ ପ୍ରଦାନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ପ୍ରଥମେ ଆଇନକୁ ଉଲ୍ଲଂଘନ କରି ଦିଆଯାଇଥିବା ଖଣି ଲିଜକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଏହା ପରେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ସମାବେଶରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।
ସେହିପରି ସୁଙ୍ଗେର ଓ କେରପାଇରେ ଯଥାକ୍ରମେ ଅକ୍ଟୋବର ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ଜନଶୁଣାଣିକୁ ଅଧାରୁ ବନ୍ଦ କରିଦିଆଯାଇଥିଲା, ଯଦିଓ ଏହା ସମ୍ପୂର୍ଣ୍ଣ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ବୋଲି କୁହୟାଇଛି। ପ୍ରତିଟି ଜନଶୁଣାଣିରେ ପ୍ରଭାବିତ ଗ୍ରାମମାନଙ୍କର ହଜାର ହଜାର ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଜନଶୁଣାଣିରେ କହିବାକୁ ସୁଯୋଗ ପାଇଥିବା ପ୍ରତ୍ୟେକଟି ବ୍ୟକ୍ତି ପ୍ରସ୍ତାବିତ ଖଣି ପ୍ରକଳ୍ପ ଦ୍ୱାରା ଜୀବନଜୀବିକା ନଷ୍ଟଭ୍ରଷ୍ଟ ହେବା ସହ ସ୍ଥାନୀୟ ଜଳସ୍ରୋତ, ଜଙ୍ଗଲ ଓ ପରିବେଶର ଅପୂରଣୀୟ କ୍ଷତି ହେବା ବିଷୟ ଉଲ୍ଲେଖ କରି ପରିବେଶ ମଞ୍ଜୁରୀ ନଦେବା ସମ୍ୱନ୍ଧରେ ମତ ଦେଇଥିଲେ।ଖଣି ଲିଜକୁ ବାତିଲ କରିବା ପାଇଁ ଦାବି କରିଥିଲେ।ବିଗତ ଚାରି ମାସ ଧରି ସ୍ଥାନୀୟ ଜନସାଧାରଣ ସେମାନଙ୍କର ଜୀବନଜୀବିକା, ପୂର୍ବପୁରଷଙ୍କ ଭିଟାମାଟି, ଦେବାଦେବୀଙ୍କ ଆସ୍ଥାନ ଓ ସର୍ବୋପରି ପରିବେଶର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ରାସ୍ତାରେ ଲଢ଼ିଆସୁଛନ୍ତି ବୋଲି କୁହାଯାଇଛି। କିନ୍ତୁ ସରକାର ଓ ପ୍ରଶାସନ ନାନା ମିଥ୍ୟା ଆରୋପରେ ସ୍ଥାନୀୟ ଲୋକମାନଙ୍କ ଉପରେ ମାମଲା ଦାୟର କରିବା ସହ ଗିରଫ କରି ଜେଲରେ ରଖିଛନ୍ତି। ତେଣୁ ସରକାର ଓ ପ୍ରଶାସନ ଗିରଫ କରିଥିବା ସମସ୍ତ ଲୋକମାନଙ୍କୁ ନିଃସର୍ତ୍ତ ଜେଲରୁ ଖଲାସ କରିବା ସହ ସମସ୍ତ ମାମଲା ତୁରନ୍ତ ପ୍ରତ୍ୟାହାର କରିବାକୁ ସମାବେଶରେ ଦାବି କରାଯାଇଛି।
ସର୍ବୋପରି ଏହି ବିଶାଳ ସାଧାରଣ ସଭାରେ ଉପସ୍ଥିତ ସଭ୍ୟମାନେ ପୁଣି ଥରେ ଜନଶୁଣାଣିରେ ଉପସ୍ଥାପିତ କରିଥିବା ମତ ଓ ଦାବିକୁ ଦୋହରେଇଥିଲେ। ଖଣି ଖନନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହ ପ୍ରସ୍ତାବିତ ପ୍ରକଳ୍ପକୁ ଇଞ୍ଚେ ଜମି ଛାଡ଼ିବେ ନାହିଁ ବୋଲି ସଂକଳ୍ପ ଗ୍ରହଣ କରିଥିଲେ। ଗନ୍ଧମାର୍ଦ୍ଦନ ଓ ନିୟମଗିରି ଆନ୍ଦୋଳନର ପୁରୁଖା କର୍ମୀ, ବାମପନ୍ଥୀ ଟ୍ରେଡ ୟୁନିୟନ ନେତା ତଥା ବିଭିନ୍ନ ଗଣତାନ୍ତ୍ରିକ ସଂଗଠନର କର୍ମକର୍ତ୍ତାମାନେ ସଭାରେ ଉପସ୍ଥିତ ରହି ସିଜିମାଳି ଜନ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଓ ସଂହତି ଜଣାଇଥିଲେ ।