ମୟୂରଭଂଜ ଜିଲ୍ଲା ପରିଷଦ ଦଶମ ବୈଠକ: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ତାତିଲେ ପ୍ରତିନିଧି

ଶିମିଳିପାଳ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ

ବାରିପଦା: ମୟୂରଭଂଜ  ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ଦେଖାଦେଉଛି। ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ିରହୁଥିଲେ ମଧ୍ୟ ଧାନ କିଣା‌ ହୋଇପାରୁନି। ‌ମିଳିଥିବା ଟୋକନ୍‌ ଲ୍ୟାପ୍‌ସ ହୋଇଯାଉଛି। ଟାର୍ଗେଟ୍‌ ଆଳରେ ଚାଷୀଙ୍କୁ ‌ହଇରାଣ କରାଯାଉଛି। କଟ୍‌ନୀ ଛଟ୍‌ନୀ ଆଳରେ ଚାଷୀଙ୍କୁ ଶୋଷଣ କରାଯାଉଛି। ସରକାର ଏଥପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଦାବି ହୋଇଥିଲା। ଆଜି ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ପରିଷଦର ଦଶମ ବୈଠକରେ ଧାନ କିଣାକୁ ନେଇ ଏପରି ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳମତ ନିର୍ବିଶେଷର ଜନପ୍ରତିନିଧିମାନେ ଧାନ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କରିଥିଲେ।

ସେହିପରି ଜୀବନ ଜୀବିକା ମିସନ୍‌ ଅଧିକରେ ଏସ୍‌ଏଚଜି ଚୟନରେ ପାତର ଅନ୍ତର ହେଉଥିବା ଅଭିଯୋଗ କରି ବିଜେପି ସଦସ୍ୟ/ସଦସ୍ୟାମାନେ ଆରୋପ କରିଥିଲେ। ଶାସକ ଦଳ ସହିତ ସୁସମ୍ପର୍କ ଥିବା ଏସ୍‌ଏଚଜି ଗୁଡ଼ିକୁ ଚୟନ କରାଯାଉଛି। ଅଥଚ ଯୋଗ୍ୟ ସ୍ବୟଂସହାୟିକା ଗୋଷ୍ଠୀଗୁଡ଼ିକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଥିଲା।

କରେନା କାରଣରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ଭିଡିଓ କନ୍‌ଫରେନ୍‌ସିଂ ହଲ ବାରିପଦାରୁ ଜିଲ୍ଲା ସ୍ତରରୁ ଭିଡିଓ କନ୍‌ଫରେସିଂ ଜରିଆରେ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ୨୬ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନ୍‌ଫରେସିଂ କକ୍ଷରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପରିଷଦର ଦଶମ ବୈଠକରେ ଲୋକସଭା ସାଂସଦ ବିଶ୍ବଶ୍ୱର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ତଥା ପିଡି ଡିଆରଡିଏ ଭୂବେଶ କୁମାର ନାୟକ ପ୍ରମୁଖଙ୍କ ସମେତ ଜନପ୍ରତିନିଧି, ବିଭିନ୍ନ ସରକାରୀ ଅଧିକାରୀ ଯୋଗଦେଇଥିଲେ।

ତେବେ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ସାରସକଣା ୫୬ ନମ୍ବର ଜୋନ୍‌ର ସଦସ୍ୟ ସ୍ୱର୍ଗତ ଭୂବନେଶ୍ୱର ମହାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଉକ୍ତ ଜୋନ୍‌ରୁ ନବନିର୍ବାଚିତ ସଦସ୍ୟ ତୁଷାରେନ୍ଦୁ ଶେଖର ମହାନ୍ତଙ୍କୁ ସ୍ୱାଗତ ଜଣାଇ ସିଇଓ ଶ୍ରୀ ଭରଦ୍ବାଜ ଶପଥପାଠ କରାଇଥିଲେ ।

ଏହି ବୈଠକରେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ମଧ୍ୟ ଜନପ୍ରତିନିଧିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ତେବେ ଏହି ନିଆଁ ଆୟତରେ ଥିବା ସୂଚନା ଦେଇଥିଲେ ସିଇଓ ତଥା ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ। ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ଗୁରୁତ୍ୱ ଦେଇ ଓମ୍ବାଡ୍‌ସି, ଡିଏମ୍‌ଏଫ୍ ଅନୁଦାନ ପାଣ୍ଠି ସହାୟତାରେ ଅଂଗନୱାଡି ଓ ବିଦ୍ୟାଳୟ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ। ଏହି ଅବସରରେ ଓଡ଼ିଶା ଜୀବନ ଜିବିକା ମିଶନ୍ (ଓଏଲ୍‌ଏମ୍‌), ସାଧାଣର ବଣ୍ଟନ ବ୍ୟବସ୍ଥା, ଜିଲ୍ଲା ସମବାୟ ସମିତି ଓ ଜଳ ବିଭାଜିକା ଓ ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଏମ୍‌ଜିଏନ୍‌ଆରଇଜିଏସ୍‌, ଚତୁର୍ଥ ଓ ପଂଚମ ଡେଭୁଲେସନ ଓ ପଂଚଦଶ ଅର୍ଥ କମିସନ ପାଣ୍ଠି, ପଂଚମ ଅର୍ଥକମିଶନର ଡେଭୁଲେସନ ପାଣ୍ଠି ଓ ପଂଚଦଶ ଅର୍ଥ କମିଶନ (ଅନ୍‌ଟାଏଡ୍ ଓ ଟାଏଡ୍‌) ପାଣ୍ଠି ୨୦୨୦-୨୧ ଏବଂ ଜିଲ୍ଲା ପରିଷଦର ୨୦୨୧-୨୨ ପ୍ରଶାସନିକ ବ୍ୟୟ ଅଟକଳ ଆଦି ସଂପର୍କରେ ବିଶଦ ଭାବେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା ।

 

ସମ୍ବନ୍ଧିତ ଖବର