ବାଲିଅନ୍ତା ଓ ମଞ୍ଚେଶ୍ବରରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ , ୩ ବେପାରୀ ଗିରଫ

ବାଲିଅନ୍ତା: ଭୁବନନେଶ୍ବର ଅବକାରୀ ବିଭାଗ ଓ ମୋବାଇଲ ଟିମ ମିଳିତ ଭାବେ ଆଜି ବାଲିଅନ୍ତା ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଅତର୍କିତ ଚଢ଼ଉ କରି ୩ ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋରା ବ୍ୟବସାୟୀମାନେ ହେଲେ ବାଲିଅନ୍ତା ଥାନା ବଇଁଚୁଆ ପଞ୍ଚାୟତ ବଢ଼େଇ ସାହିର ଚନ୍ଦନ କୁମାର ସାହୁ(୩୦), ମଞ୍ଚେଶ୍ବର ଥାନା ଅଧୀନ ଧିରିକୁଟି ବସ୍ତିର ମନୋରଞ୍ଜନ ହେମ୍ବ୍ରମ୍(୩୩) ଏବଂ ଉକ୍ତ ବସ୍ତିର ଶାଙ୍ଖ ଟୁଡ଼ୁ(୨୮)।

କୋର୍ଟରେ ଜାମିନ ନାମଂଜୁର ହେବାରୁ ୩ବେପାରୀଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଚନ୍ଦନ ନିକଟରୁ ଅବକାରୀ ଟିମ ୧୦୦ ବୋତଲ ଆସ୍କାଫଟି ସମେତ ୯୬ ବୋତଲ ବିଦେଶୀ ମଦ ଜବତ କରିଥିବା ବେଳେ ଉଭୟ ମନୋରଞ୍ଜନ ଓ ଶାଙ୍ଖଠାରୁ ୨୦ ଲିଟର ଲେଖାଏଁ ଦେଶୀମଦ ଜବତ କରିଥିଲା। ଏସଆଇ ଅଂଶୁମାନ ଜେନାଙ୍କ ତତ୍ବାବଧାନରେ ଏସଆଇ ମାନସୀ ନାୟକ ଏବଂ ଏଏସଆଇ ସୁଜିତ କୁମାର ମୁଦୁଲି ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।

ସୂଚନା ମୁତାବକ ବଇଁଚୁଆର ଚନ୍ଦନ ଦୀର୍ଘଦିନ ଧରି ଚୋରାମଦ କାରବାର ଚଳାଇ ଆସୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏକାଧିକ ଥର ଚନ୍ଦନକୁ ଅବକାରୀ ବିଭାଗ ଓ ବାଲିଅନ୍ତା ଥାନା ପୁଲିସ ଚୋରାମଦ ବିକ୍ରି ମାମଲାରେ ଗିରଫ କରି ଜେଲ ପଠାଇଥିଲା। ହେଲେ ଚନ୍ଦନ ପୁଣି ଜାମିନରେ ଆସି ଚୋରାମଦ କାରବାର ଚଳାଇ ଆସୁଥିବା ଜଣାପଡ଼ିଛି। ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଦୃଢ଼ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଚନ୍ଦନ ବେଧଡ଼କ ଭାବେ ଚୋରାମଦ କାରବାର ଚଳାଉଥିବା ଅଭିଯୋଗ ହେଉଛି।

 

ସମ୍ବନ୍ଧିତ ଖବର