ରାୟଗଡା: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଗୁରୁବାର ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲି ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଶତାଧିକ ଆଦିବାସୀ ଏହି ରାଲିରେ ଭାଗ ନେଇ କେନ୍ଦ୍ର ସରକାରଙ୍କର ନୀତି ଓ ଆଦର୍ଶ ଉପରେ ପ୍ରଶ୍ନ କରିବା ସହ ସରକାର ବିରୋଧୀ ନାରା ଦେଇଥିଲେ। ଦେଶରେ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଏହି ପ୍ରତିବାଦ କରାଯାଇଥିଲା। ୨୧ଗୋଟି ଆଦିବାସୀ ବିରୋଧୀ ନୀତି ତଥା ଆଦିବାସୀ କାର୍ଯ୍ୟକଳାପକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆସନ୍ତା ଅଗଷ୍ଟ ୭ ତାରିଖରେ ଭାରତ ବନ୍ଦ କରାଯିବ।ସମାନ ନାଗରିକ ସଂହିତା ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରଚାର ଚଲାଇଛନ୍ତି।

Advertisment

ଗତ ଜୁନ୍ ୧୪ତାରିଖରେ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରି ଦେଶର ସମସ୍ତ ସାମାଜିକ ସଂଗଠନ ମାନଙ୍କ ଠାରୁ ଏକ ମାସ ମଧ୍ୟରେ ମତାମତ ଦେବା ପାଇଁ ଉଲ୍ଳେଖ କରିଥିଲେ। ବିଜ୍ଞପ୍ତିର କିଛିଦିନ ପୂର୍ବରୁ ଜଙ୍ଗଲ ଜମି ଅଧିନିୟମକୁ ସଂଶୋଧନ କରିବା ପାଇଁ ଆଉ ଏକ ବିଜ୍ଞପ୍ତି ଜାରି କରିଥିଲେ। ଯଦି ଏ ଆଇନ ଗୁଡିକ ଦେଶରେ ଲାଗୁ ହୁଏ ତେବେ ଦେଶରେ ବସବାସ କରୁଥିବା ସମସ୍ତ ଆଦିବାସୀଙ୍କର ପରିଚୟ, କଳା, ସଭ୍ୟତା, ସଂସ୍କୃତି, ସାମାଜିକ ଐତିହ୍ୟ ହରାଇବେ। ସମ୍ବିଧାନର ୫ମ ଓ ୬ଷ୍ଠ ଅନୁସୂଚୀ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱାୟତ ଶାସନ ଭଳି ବିଶେଷାଧିକାର ସମାପ୍ତ ହୋଇଯିବା ସହ ଆଦିବାସୀ ମାନେ ନିଜର ଜଳ, ଜଙ୍ଗଲ, ଜମି ତଥା ଭିଟାମାଟିରୁ ବେଦଖଲ ହୋଇଯିବେ ବୋଲି କୁହାଯାଇଛି। ଏହି ଦୁଇଟି କାନୁନ ସହିତ ଅନ୍ୟାନ୍ୟ ୧୯ଟି ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରି ଆଦିବାସୀ ଏତକା ପରିଷଦ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।