କଣ୍ଟାବାଞ୍ଝି: ନିଖୋଜ ନାବାଳକର ମୁଣ୍ଡବିହୀନ ମୃତଦେହ ମିଳିଲା, ବଳି ସନ୍ଦେହ

କଣ୍ଟାବାଞ୍ଝି: ତିନି ଦିନ ତଳୁ ନିଖୋଜ ଥିବା ଜଣେ ୧୦ ବର୍ଷର ନାବାଳକର ମୁଣ୍ଡବିହୀନ ମୃତଦେହ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ନିକଟସ୍ଥ ଉଣ୍ଡ୍ରେ ନଦୀର ସୁନିଆ ଘାଟ ନିକଟକୁ ଜବତ କରାଯାଇଛି। ସମ୍ପୃକ୍ତ ନାବାଳକଙ୍କୁ ବଳି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ତୁରେଇକେଲା ଥାନା ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମର ରଞ୍ଜନ ରଣାଙ୍କ ୧୦ ବର୍ଷର ପୁଅ ମିଥୁନ ରଣା ଗତ ୩ ଦିନ ତଳେ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଘର ଲୋକ ଓ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମିଥୁନଙ୍କର କୌଣସି ସନ୍ଧାନ ନ ପାଇ ଶେଷର ତୁରେଇକେଲା ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳେ ଜଣେ ନାବାଳକଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀପଠାରେ ପଡ଼ିଥିବା ସୂଚନା ପାଇ ପୁଲିସ ସହିତ ପରିବାର ଲୋକେ ସେଠରେ ପହଞ୍ଚିଥିଲେ। ମୃତଦେହରେ ଥିବା ପୋଷାକରୁ ଏହା ମିଥୁନଙ୍କର ବୋଲିି ପରିବାର ଲୋକେ ଚିହ୍ନଟ କରିଛନ୍ତି। ତେବେ ତଦନ୍ତ ପାଇଁ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟମ୍‌ ଆସି ପହଞ୍ଚିବା ପରେ ମୃତଦେହ ପଞ୍ଚନାମା ସହିତ ବ୍ୟବଛେଦ କରାଯିବ ବୋଲି ପୁଲିସ କହିଛି। ଅପରପକ୍ଷେ ମିଥୁନଙ୍କୁ ବଳି ପକାଇବା ପାଇଁ କୌଶଳ କ୍ରମେ ୩ ଦିନ ତଳେ ଅପହରଣ କରାଯାଇଥିଲା ପରେ ସେହି ଦିନ ହିଁ ତାଙ୍କୁ ବଳି ଦିଆଯାଇ ବାଲିରେ ପୋତି ଦିଆଯାଇଥିବା ନେଇ ଗାଁରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର