ମରିଗଲା ମାନବିକତା: ଅସୁସ୍ଥ ହୋଇ ଛଟପଟ ହେଉଥିଲେ ବି ଛିଡା ହୋଇ ଦେଖି ରହିଲେ ଲୋକ

ଜୟପୁର: ଲୋକଙ୍କ ମଧ୍ୟରେ ମାନବିକତା ମରିଯାଇଛି। ଜଣେ ବ୍ୟକ୍ତି ଜୀବନ ମରଣ ସହ ସଂଘର୍ଷ କରୁଥିବା ଦୃଶ୍ୟକୁ ଉପଭୋଗ କରିଥିଲେ ହେଁ ସହଯୋଗର ହାତ ବଢ଼ାଇବାକୁ କେହି ଆଗେଇ ଆସି ନଥିଲେ। ଏଭଳି ସ୍ଥିତିରେ ସ୍ଥାନୀୟ ଗାନ୍ଧୀଛକରେ ଥିବା ଶିବମନ୍ଦିର ପାର୍ଶ୍ବ ପିଣ୍ଡାରେ ଜଣେ ମେକାନିକଙ୍କର ମୃତ୍ୟୁ ହୋଇଛି। ମୃତ ମେକାନିକଙ୍କ ଘର ଆନ୍ଧ୍ରପ୍ରଦେଶରେ। ସେ ଜୟପୁରରେ ରହି ଗାନ୍ଧୀଛକ ଅଂଚଳରେ ଥିବା ଏକ ଗ୍ୟାରେଜରେ ଡେଣ୍ଟିଂ ମେକାନିକ ଭାବେ କାମ କରୁଥିଲେ। ତାଙ୍କ ନାଁ ମନ୍ମଥ ରାଓ ବୋଲି ସୂଚନା ମିଳିଛି। ଆଜି ଅପରାହ୍ନ ୫ଟା ବେଳେ ସେ କାମ କରିବା ଗ୍ୟାରେଜରୁ ଅସୁସ୍ଥ ଅନୁଭବ କରିବା ପରେ ବାହାରକୁ ଚାଲି ଆସିଥିଲେ।

ଗାନ୍ଧିଛକରେ ଥିବା ବସଷ୍ଟପ ନିକଟସ୍ଥ ବିଶ୍ରାମଗାର ନିକଟରେ ଆସି ବସିଥିଲେ। ସେ ଖାଇଥିବା ଖାଦ୍ୟ ସବୁ ବାନ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ସହ ଛାଟି ପିଟି ହୋଇ ପିଣ୍ଡାରେ ଶୋଇ ପଡ଼ିଥିଲେ। ଏପରିକି ଲୋକେ ଏହା ଯାତ୍ରା ଦେଖିବା ଭଳି ଜମା ହୋଇଥିଲେ ସତ କିନ୍ତୁ କେହି ବି ତାଙ୍କୁ ସହଯୋଗର ହାତ ବଢ଼ାଇ ନଥିଲେ। ଲୋକଙ୍କର ମାନବିକତା ବି ସାମାନ୍ୟତମ ଜାଗ୍ରତ ହୋଇ ନଥିଲା। ଦୀର୍ଘ ସମୟ ଧରି ସେଭଳି ସେ ପଡ଼ି ରହିଥିଲେ। ତାଙ୍କୁ ସେଠାରୁ ଡାକ୍ତରଖାନାକୁ ନେବା ପାଇଁ କୌଣସି ଅଟୋ ଚାଳକ ବି ରାଜି ହୋଇନଥିବା ବେଳେ ଜୟପୁରରେ ୧୦୮ଆମ୍ବୁଲାନସ୍ ବି ମିଳି ପାରି ନଥିଲା।

ପରବର୍ତ୍ତୀ ସମୟରେ ସେ କାମ କରୁଥିବା ଗ୍ୟାରେଜର ଗୋଟିଏ ଗାଡିରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏସଂପର୍କରେ ଖବର ପାଇ ଜୟପୁର ଟାଉନଥାନା ଗାଡ଼ି ଯିବା ପୂର୍ବରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଇଛନ୍ତି ଏଏସଆଇ ଟିକେ ଅହମ୍ମଦ। ତେବେ ପୁଲିସକୁ ଏ ନେଇ କିଛି ସୂଚନା ମିଳି ନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର