ମରିଗଲା ମାନବିକତା, ମିଳିଲାନି କାନ୍ଧ: ଟ୍ରଲିରେ ଝିଅ ଶବକୁ ସ୍ବର୍ଗଦ୍ବାର ନେଲେ ବୃଦ୍ଧ ବାପା

ପୁରୀ: ମୃତ୍ୟୁ ପରେ ଶତ୍ରୁ ବି ତରଳି ଯାଏ। ଆପଣାର ଭଳି ଗୁଣଗାନ କରେ। ମାତ୍ର କିଛି ଲୋକ ଏମିତି ‌ହତଭାଗା ଯେ, ତାଙ୍କୁ ଶେଷ ଯାତ୍ରା ବେଳେ ଚାରି କାନ୍ଧ ବି ମିଳେ ନାହିଁ। ଉପାନ୍ତ ଅଞ୍ଚଳ କି ମଫସଲ ନୁହେଁ, ସଭ୍ୟ ସମାଜ ଯେଉଁଠି ଛାତି ପିଟି କହେ ମୁଁ ଆଧୁନିକ, ସେଇ ସହର ଛାତିରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। କାନ୍ଧ ତ ଦୂରେ ଥାଉ, ଶେଷରେ ମଲା ପଶୁଙ୍କ ଭଳି ଟ୍ରଲିରେ ବୁହା ହୋଇଛି ୪୬ ବର୍ଷୀୟ ମାମୁଲି ନାୟକଙ୍କ ମର ଶରୀର। ଜଳାଞ୍ଜଳି ନେଇଛି ମାନବିକତା। ବୁଢ଼ା ବାପାଟିଏ ଝିଅର ଶବ ସ୍ବର୍ଗଦ୍ବାରକୁ ନେଇଯିବା ପାଇଁ ଭାଇସାହିଙ୍କୁ ନେହୁରା ହେଲେ। ଅଥଚ ବୃଦ୍ଧ ବାପାର ଆକୁଳ ନିବେଦନ ସତ୍ତ୍ବେ କାହାର ହୃଦୟ ତରଳିଲା ନାହିଁ। ଦିନ ୧୨ଟାରୁ ଘରେ ଶବ ପକାଇ ସଂଘର୍ଷ କରି କରି ଶେଷରେ ସନ୍ଧ୍ୟା ୭ଟା ବେଳେ ଝିଅର ଶବକୁ ଏକ ଟ୍ରଲିରେ ନେଇ ଦାହ କରାଇଛନ୍ତି ବୁଢ଼ା ବାପା। ଶବଟି ବଡ଼ଦାଣ୍ଡ ଦେଇ ଯିବା ବେଳର ଏ ଦୃଶ୍ୟ କେବଳ ହୃଦୟ ବିଦାରି ଦେଉନଥିଲା, ବରଂ ଉନ୍ନତିର ଡିଣ୍ଡିମ ପିଟୁଥିବା ପ୍ରଶାସନର ନୀତି ବ୍ୟବସ୍ଥାକୁ ଉପହାସ କରୁଥିଲା। ସଂସ୍କୃତି ସମ୍ପନ୍ନ ଭାଇଚାରାର ସହରରେ ସଂସ୍କାରକୁ ଯେମିତି ତଣ୍ଟି ଚିପି ହତ୍ୟା କରାଯାଉଥିଲା।

ମୃତ ମହିଳା ଜଣକ ହେଉଛନ୍ତି, ନରେନ୍ଦ୍ର କୋଣ ମଙ୍ଗଳାସାହିର ମାମୁଲି ନାୟକ (କାଣ୍ଡେଇ)। ଗତ କିଛିଦିନ ଧରି ଶ୍ବାସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ୮ଦିନ ତଳେ ଘରକୁ ଫେରିଥିଲେ। ପୁଣି ସୁସ୍ଥ ହୋଇ ଜୀବନ ଜିଇଁବାକୁ ବାପାଙ୍କୁ ସ୍ବପ୍ନ ଦେଖାଉଥିଲେ। ମାତ୍ର ଶେଷରେ ରୋଗ ଯନ୍ତ୍ରଣାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଝିଅର ମୃତ୍ୟୁ ପରେ ବୃଦ୍ଧ ବାପା ଆଗରେ ଛିଡ଼ା ହୋଇଥିଲା ଦୁଃଖର ପାହାଡ଼। ଝିଅକୁ ହରାଇବା ଦୁଃଖରେ ଯେତିକି ମ୍ରିୟମାଣ ‌‌ହୋଇ ପଡ଼ୁଥିଲେ, ଝିଅର ଶବକୁ ସ୍ବର୍ଗଦ୍ବାର ଯାଏ ବୋହି ନେବା ପାଇଁ ସାହିଭାଇଙ୍କଠୁ ସହଯୋଗ ନ ପାଇବା କାରଣରୁ ତା’ଠୁ ଅଧିକ ଭାଙ୍ଗି ପଡ଼ୁଥିଲେ।

ଦିନ ୧୨ଟାରୁ ଘରେ ଶବ ପଡ଼ି ରହିଥିଲେ ହେଁ ୭ ଘଣ୍ଟା ପରେ ଘରୁ ଉଠିଥିଲା ଶବ। କିଛି ଉପାୟ ନପାଇବାରୁ ବୃଦ୍ଧ ଅନାଦି ଚରଣ ନାୟକ ସମ୍ପର୍କୀୟ ପୁତୁରା ପିଣ୍ଟୁ ପଟ୍ଟନାୟକଙ୍କ ସାହାରା ନେଇଥିଲେ। ଶେଷରେ ତାଙ୍କରି ସହଯୋଗରେ ଏକ ଟ୍ରଲି ଭଡ଼ା କରି ସେଇଥିରେ ଝିଅକୁ ପକାଇ ସ୍ବର୍ଗଦ୍ବାର ନେଇଥିଲେ। ପିଣ୍ଟୁ ଟ୍ରଲି ଚଳାଇଥିବା ବେଳେ ବୃଦ୍ଧ ବାପା ଝିଅର ଶବକୁ ଆଉଁସି ଆଉଁସି ସ୍ବର୍ଗଦ୍ବାର ଯାଏ ନେଇଥିଲେ। ନା ଖଇ କଉଡ଼ି ବିଞ୍ଚା ଯାଉଥିଲା, ନା ରାମ ନାମ ସତ୍ୟ ହୈ… ଶୁଭୁଥିଲା। ବୃଦ୍ଧ ଅନାଦି ଚରଣ ନାୟକ କଥା କହିବା ବେଳେ କୋହ ଚାଲି ଆସୁଥିଲା। ହେଲେ ଯେମିତି ଝିଅ କଥା କହୁକହୁ ନିର୍ବାକ ହୋଇ ଯାଉଥିଲେ। କ‌ାଣ୍ଡେଇ ବିବାହିତ ବୋଲି ତାଙ୍କ ପରିଚୟ ପତ୍ର କହୁଛି, କିନ୍ତୁ କୌଣସି ପରିଚିତ ବ୍ୟକ୍ତି ଶେଷ ସମୟରେ ତାଙ୍କ ପାଖରେ ନଥିଲେ। ଭାଇଚାରାର ସହର ବୋଲି ଚାରି ଆଡ଼େ ହୁରି ପଡ଼ୁଥିବା ଏ ସହରରେ ଯେ ଶେଷ ସମୟରେ ଲୋକେ କାନ୍ଧ ଦେବାକୁ ମନା କରିଦିଅନ୍ତି, ଏହା ସମ୍ଭବତଃ ପ୍ରଥମ ଘଟଣା ‌ବୋଲି ଚର୍ଚ୍ଚା ହେଉଛି। ‌ଏନେଇ ପ୍ରଶାସନର ବ୍ୟବସ୍ଥାକୁ ମଧ୍ୟ ଅଙ୍ଗୁଳି ଉଠାଯାଇଛି। ଶହଶହ ଯୋଜନା ହେଉଥିଲେ ହେଁ, ଶବଟିଏ ସ୍ବର୍ଗଦ୍ବାର ଯାଏ ନେବା ପାଇଁ ଅକ୍ଷମତା ପ୍ରକାଶ କରୁଥିବା ଲୋକଙ୍କ ପାଇଁ ନା ଶେଷ ସବାରୀ ଗାଡ଼ିଟିଏ ଅଛି ନା ଏନେଇ କୌଣସି ସଂଗଠନ ଆଗେଇ ଆସିଛି।

ସମ୍ବନ୍ଧିତ ଖବର