ଜୟପୁର: ସେ ନିଜର ନ ଥିଲା, କିନ୍ତୁ ଗାଁରେ ରହୁଥିଲା। କିନ୍ତୁ ଭାଇଚାରା ସହ ଅସମୟରେ ଭାଇ ହୋଇ ଅନ୍ୟ ସଦସ୍ୟଙ୍କ ନିକଟରେ ଠିଆ ହେଉଥିଲା। ଦୁଃଖସୁଖରେ ଅନ୍ୟ ଦୁଆରେ ସେ ଠିଆ ହୋଉଥିଲା। ତେଣୁ ତାର ଶେଷ ସମୟରେ କରୋନାର ନିୟମକୁ ମାନି ଆମେ ଠିଆ ହୋଇଛୁ ବୋଲି କହିଛନ୍ତି ଜୟପୁର ବ୍ଲକ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ମାଟିଖୋଲଗୁଡା ଗ୍ରାମବାସୀ। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ମାଟିଖୋଲଗୁଡା ଗାଁର ଜଣେ ବେସାହାରା ଅସହାୟ ଲୋକଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଆଜି ଗାଁ ଲୋକେ ଓ ଗାଗନାପୁର ଫାଣ୍ତି ପୋଲିସ ଶବସତ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି।
ଭାଇଚାରା ଯୋଗୁଁ ଆଜି ମାନବିକତାର ପରିଚୟ ଦେଖାଇଛନ୍ତି ଗାଁ ଲୋକେ। ଆଉ ତାଙ୍କୁ ସହାୟତା ଯୋଗାଇଲା ପୁଲିସ। କରୋନାକୁ ନେଇ ସାରା ଦେଶ ଏବେ ଚିନ୍ତାରେ ରହିଥିବା ବେଳେ କୌଣସି ବ୍ୟକ୍ତି ବାହାରକୁ ବାହାରୁ ନାହାନ୍ତି। ହେଲେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଏକ ଦୁଃସ୍ଥ ଲୋକର ମୃତ୍ୟୁକୁ ଗାଁ ଲୋକେ ଶୋକ ପ୍ରକାଶ କରିବା ସହ ସାମାଜିକ ଦୂରତା ବଜାୟ ରଖି ଶବସତ୍କାର କରିଥିଲେ, ଯେଉଁଥିରେ କି ଗାଗନାପୁର ଫାଣ୍ତି ଅଧିକାରୀ କବିରାଜ ସାହୁ, ସଦର ଥାନା ଅଧିକାରୀ ଶିବଶଙ୍କର ସାହୁଙ୍କ ସମେତ କିଛି ପୁଲିସ କର୍ମଚାରୀ ଶବସତ୍କାର କରିଛନ୍ତି।
ମିଳିଥିବା ସୂଳଚନା ମୁତାବକ ଦୀର୍ଘ ୧୫ବର୍ଷ ଧରି ନିତୁ ଗୌଡ ନାମକ ବ୍ୟକ୍ତି ସଦର ଥାନା ଅନ୍ତର୍ଗତ ମାଟିଖୋଲଗୁଡା ଗାଁରେ ଦିନ ମଜୁରିଆ ଭାବେ କାମ କରି ନିଜେ ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଗତକାଲି ରାତିରେ ଟିବି ରୋଗରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏନେଇ ତାଙ୍କର ପରିବାର ସମ୍ପର୍କରେ କାହାରି ପାଖରେ ସଠିକ ଖବର ନଥିବାବେଳେ ଗାଁ ଲୋକେ ନିତୁଙ୍କୁ ସହାୟତାର ହାତ ବଢାଉଥିଲେ। ତାଙ୍କୁ ମେଡିକାଲ ନେବାଠାରୁ ଆରମ୍ଭ କରି ସେବା ମଧ୍ୟ କରୁଥିଲେ। ହେଲେ ଗତ ସପ୍ତାହ ଧରି ନିତୁ ଗୌଡ ଅସୁସ୍ଥ ହେବା ପରେ ଗାଁ ଲୋକେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଡାକି ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେ ସୁସ୍ଥ ନ ହେବାରୁ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କୋରାପୁଟ ସହୀଦ ଲକ୍ଷ୍ଣଣନାୟକ ମେଡିକାଳ କଲେଜ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୀର୍ଘ ୪ଦିନ ରହିବା ପରେ ଗତକାଲି ନିତୁଙ୍କର ମୃତ୍ୟୁ ଘଟିଥିଲା। ଆଜି କୋରାପୁଟରୁ ଆମ୍ବୁଲାନସ ଯୋଗେଁ ନିତୁଙ୍କ ମୃତଦେହ ମାଟିଖୋଲଗୁଡା ଗାଁକୁ ଆଣିବା ପରେ ଶବସତ୍କାର କରାଯାଇଥିଲା। କରୋନାକୁ ନେଇ ପ୍ରଶାସନର କଟକଣାକୁ ମାନି ସାମାଜିକ ଦୂରତା ରକ୍ଷା କରି ନିଜ କାନ୍ଧରେ ବୋହି ପୁଲିସ ଓ ଗ୍ରାମବାସୀ ତାଙ୍କୁ ସତ୍କାର କରିଥିଲେ।
/sambad/media/post_attachments/wp-content/uploads/2020/04/Jeypore1.jpg)
ଏକମ୍ବା ଗ୍ରାମପଞ୍ଚାୟତର ସରପଞ୍ଚ ଟୁନା ମୁଦୁଲି କହିଛନ୍ତି ଯେ ଖାଲି ଏହି ଗାଁ ନୁହେଁ ଏହି ପଞ୍ଚାୟତରେ ଭାଇଚାରା ରହିଛି। ଏହି ଦିବଙ୍ଗତ ନିତୁର ଆଜି ସାଇଭାଇ ମିଶି ସତ୍କାର କରିଛୁ। ଏହାସହ ଆଜିଠାରୁ ୧୨ ଦିନ ଯାଏ ହିନ୍ଦୁ ଧର୍ମ ଅନୁସାରେ ଯାହା ନୀତିଧର୍ମ କରାଯିବ ତାହା କରିବୁ। ଗାଁରେ ଚାନ୍ଦା କରି ଏପରି କରିବୁ। ଏବେ କରୋନା ପାଇଁ ସମସ୍ତଙ୍କ ମନରେ ଭୟର ବାତାବରଣ ରହିଥିବାବେଳେ ଆମେ ଗାଁ ଲୋକ ମିଶିବା ସହ ପୁଲିସ ସହାୟତାରେ ଶବସତ୍କାର କରିଛୁ ବୋଲି ସେ କହିଛନ୍ତି। ଗାଗନାପୁର ଫାଣ୍ଡି ଅଧିକାରୀ କବିରାଜ ସାହୁ କହିଛନ୍ତି ଯେ ଗତକାଲି ରାତିରୁ ତାଙ୍କର ଦେହାନ୍ତ ହୋଇଥିବାନେଇ ଖବର ମିଳିଥିଲା। ତେବେ କଟକଣା ହେତୁ ତାଙ୍କର ଶବ କୋରାପୁଟରୁ କେହି ଆଣିବାକୁ ରାଜି ନ ଥିଲେ। ପରେ ସରପଞ୍ଚଙ୍କ ସହ ଗାଁର ରତି ମାଝି, ଅଭିମନ୍ୟୁ ପଟ୍ଟାନାୟକ, ରାମ ପରଜା, ବୃନ୍ଦାବନ ପରଜା, ରାମ ପରଜା, ପରଦେଶୀ ଡଙ୍ଗରୀ, ଦମୋଦର ପରଜା, ସହଦେବ ଖରା ପ୍ରମୁଖ ଆଗକୁ ଆସି ଏପରି ସମୟରେ ଭାଇ ଚାରା ଦେଖାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/IMG_20200410_140846.jpg)