ସରସ୍ବତୀ ପୂଜା ଭୋଜି ଖାଇ ଶତାଧିକ ଛାତ୍ରଛାତ୍ରୀ ଗୁରୁତର

ବ୍ୟାସନଗର: ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଖପୁରିଆପଦା ଶରତ ରାଉତ ଉଚ୍ଚବିଦ୍ୟାପୀଠର ଶତାଧିକ ଛାତ୍ରଛାତ୍ରୀ ସରସ୍ବତୀ ପୂଜା ଭୋଜି ଖାଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁରରୋଡର ଏକ ଘରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ କିଛି ପିଲାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ଘଟଣା ଅନୁଯାୟୀ, ଗତକାଲି ଶରତ ରାଉତ ଉଚ୍ଚବିଦ୍ୟାପୀଠରେ ସରସ୍ବତୀ ପୂଜା ପରେ ପିଲାମାନେ ବିଦ୍ୟାଳୟରେ ଭୋଜି ଖାଇଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ କିଛି ପିଲାଙ୍କର ଝାଡ଼ାବାନ୍ତି ହୋଇଥିଲା। ଅସୁସ୍ଥ ପିଲାମାନଙ୍କୁ ପରିବାର ଲୋକେ ତୁରନ୍ତ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ପ୍ରାୟ ୭୦ ଜଣ ପିଲାଙ୍କୁ ଡାକ୍ତରଖାନା‌ରେ ଭର୍ତ୍ତି କରାଯାଇଥିଲା। ଆଜି କିଛି ପିଲା ସୁସ୍ଥ ହୋଇଥିବା ବେଳେ ଅଧିକାଂଶଙ୍କ ଚିକିତ୍ସା ଜାରି ରହିଛି। ଆଜି ମଧ୍ୟ କିଛିପିଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଆସୁଛନ୍ତି। ଝାଡ଼ାବାନ୍ତି ସହ ପିଲାମାନଙ୍କ ମୁଣ୍ଡ ବୁଲାଉଥିବା ଅଭିଯୋଗ ହୋଇଛି।

ଏହି ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରାୟ ଅଢ଼େଇ ଶହ ପିଲା ଭୋଜି ଖାଇଥିଲେ। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଲୋକନାଥ ସ୍ବାଇଁ, ଦିବ୍ୟଲୋଚନ ସ୍ବାଇଁ, ଶ୍ରୀବତ୍ସ ଖୁଣ୍ଟିଆ, କଣ୍ଢେଇ ସେଠୀ, ଦୀପକ କୁମାର ବାରିକ, ପ୍ରୀତିପ୍ରିୟଦର୍ଶିନୀ ରାଉତ, ଶୁଭମ ରାଉତ, ବର୍ଷାରାଣୀ ମଲ୍ଲିକ, ଦେବାଶିଷ ବେଉରା ଓ ନବମ ଶ୍ରେଣୀର ସୋନାଲି ଧଳ, ପ୍ରିୟଙ୍କା ଖୁଣ୍ଟିଆ, ଶୁଭଶ୍ରୀ ରାଉତ, ରଞ୍ଜିତ ରଞ୍ଜନ ରାଉତ, ଶୁଭଶ୍ରୀ ଧଳ, ଅର୍ଚ୍ଚନା ଧଳ, ମଙ୍ଗୁଳି ପ୍ରସାଦ ଧଳ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବିଶ୍ବରଞ୍ଜନ ପୁରି, ଆଲୋକ ସାମଲ, ତୁଷାର ନାୟକ, ସ୍ମୃତିରେଖା ସାହୁ, ଓମ୍‌ ପ୍ରକାଶ ରାଉତ, ଆକାଶ ସେଠୀ, ବର୍ଷାରାଣୀ ପାଣି, ଦୀପା ସାମଲ ପ୍ରମୁଖ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅସୁସ୍ଥ ଶିକ୍ଷକ ନରୋତ୍ତମ ଜେନାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭୋଜି ପାଇଁ ପ୍ରସ୍ତୁତ ଖାଦ୍ୟରେ କୌଣସି ବିଷାକ୍ତ କୀଟ ପଡ଼ି ଯାଇ ଖାଦ୍ୟ ବିଷାକ୍ତ ହୋଇଯାଇଥିବା ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ. ସନ୍ତୋଷ କୁମାର ପୃଷ୍ଟି କହିଛନ୍ତି। ଡାକ୍ତର ଗୌତମ ସାହୁ, ‌ଡାକ୍ତର ସୌଭାଗ୍ୟ ରଞ୍ଜନ ସୁବୁଦ୍ଧି ପ୍ରମୁଖ ପିଲାମାନଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନାରେ ଶଯ୍ୟା ଅଭାବରୁ ୩ଜଣ ପିଲାଙ୍କୁ ଗୋଟିଏ ବେଡ୍‌ରେ ଶୁଆଇ ଚିକିତ୍ସା କରାଯାଉଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ କିଛି ଅସୁସ୍ଥ ପିଲାଙ୍କୁ କୋଭିଡ ପାଇଁ ସଂରକ୍ଷିତ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର