ସୌରଶକ୍ତି ପ୍ରକଳ୍ପ ପାଇଁ ବେଆଇନ ଗଛକଟା ଅଭିଯୋଗ, ବନ ବିଭାଗ ଓ କମ୍ପାନି କଥାରେ ତାଳମେଳ ନାହିଁ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଅଞ୍ଚଳରେ ସୌରଶକ୍ତି ପ୍ରକଳ୍ପ ବସାଇବା ପାଇଁ ବେଆଇନ ଭାବେ ମୂଲ୍ୟବାନ ଗଛ କଟାଯାଉଥିବା ଅଭିଯୋଗ ହୋଇଛି। ଏହି ବ୍ଲକ୍‌ ଅନ୍ତର୍ଗତ କଅଁସର ଓ ଘୁନସର ପଂଚାୟତର ଶହେ ଏକରରୁ ଅଧିକ ଜମିରେ ଘରୋଇ କମ୍ପାନି ଦ୍ଵାରା ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜୋରସୋର କାମ ଚାଲିଛି। ଏଥିପାଇଁ ସଂପୃକ୍ତ କମ୍ପାନି କିଛି ବର୍ଷ ପୂର୍ବରୁ ବିଭିନ୍ନ ଯୋଜନାରେ ରୋପଣ କରାଯାଇଥିବା ହଜାର ହଜାର ଗଛକୁ କାଟିଦେବା ସହିତ ଭଦ୍ରା ଓ ଡୁଙ୍ଗୁରିପାଲି ପଞ୍ଚାୟତର କିଛି ଅଂଶକୁ ମଧ୍ୟ ମାଡ଼ିବସିଛି ବୋଲି ଭଦ୍ରା ସରପଞ୍ଚ ସଂଯୁକ୍ତା ଭୋଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଓପିଟିସିଏଲ୍‌ ତରଫରୁ ଏକ ଘରୋଇ କମ୍ପାନି ପ୍ରଥମେ କଅଁସର ପଂଚାୟତ ଡୁମେରମୁଣ୍ଡା ଗାଁର ୮୦ ଏକର ଜମି ଏବଂ ଘୁନସର ପଞ୍ଚାୟତର ୨୦ରୁ ଅଧିକ ଏକର ଗୋଚର ଜମିରେ ସେରଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗତ କିଛିମାସ ହେଲା ଆରମ୍ଭ କରିଛି। ଏହି ସବୁ ଜମି ଉପରେ ଥିବା ବହୁ ମୂଲ୍ୟବାନ ଗଛକୁ କମ୍ପାନି କାଟିଦେଇ ଜେସିବି ଦ୍ଵାରା ଚେରରୁ ଓପାଡ଼ି ମାଟି ସମତୁଲ କରିଦେଇଛି। ଘଟଣାକୁ ନେଇ ସେତେବେଳେ ସ୍ଥାନୀୟ ଅଧିବାସୀ ଆନ୍ଦୋଳନକୁ ଓହ୍ଲାଇ ପ୍ରକଳ୍ପ ର୍ନିମାଣ କାର୍ଯ୍ୟ ବନ୍ଦ କରିଦେଇଥିଲେ। ପରେ ବଲାଙ୍ଗୀର ଡିଏଫ୍‌ଓ ଘଟଣାସ୍ଥଳ ପରିଦର୍ଶନ କରି ଗଛ କାଟିବାକୁ ଅନୁମତି ଦେଇଥିଲେ। କେତେ ସଂଖ୍ୟକ ଗଛ କଟାଯିବ ସେ ସମ୍ପର୍କରେ ବନ ବିଭାଗ ଓ କମ୍ପାନି କର୍ତ୍ତୃପକ୍ଷଙ୍କ କଥାରେ ତାଳମେଳ ରହୁନଥିବା ଜଣାପଡ଼ିଛି। ଟିଟିଲାଗଡ଼ ରେଂଜ ବେଲଗାଁ ଫରେଷ୍ଟରଙ୍କ ଅଧୀନରେ ଏହି ଅଂଚଳ ରହିଛି।

ଏ ସଂପର୍କରେ ବେଲଗାଁ ଫରେଷ୍ଟର ଜନାର୍ଦ୍ଦନ ଠାକୁରଙ୍କୁ ପଚାରିବାରୁ ୩୬୭ଟି ଗଛ କାଟିବା ପାଇଁ ନିର୍ଦେଶ ମିଳିଛି ବୋଲି କହିଥିଲେ। ଅନ୍ୟପକ୍ଷରେ କମ୍ପାନିର ଅଧିକାରୀ ଶୁଭାଶିଷ ଭଟ୍ଟାଚାର୍ଯ୍ୟ ୫୩୬ଟି ଗଛ କାଟିବା ପାଇଁ ଅନୁମତି ମିଳିଛି ଓ ସେତିକି ହିଁ କଟାଯାଉଛି ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ଉକ୍ତ ଗୋଚର ଜମିରେ ଥିବା ହଜାର ହଜାର ଗଛକୁ କମ୍ପାନି ଜେସିବି ଲଗାଇ ଚେରସହିତ ଗାୟବ କରି ଦେଲାଣି।

ଅନ୍ୟପକ୍ଷରେ ଭଦ୍ରା ପଂଚାୟତର ଚିତାମରା ଗ୍ରାମକୁ ଲାଗି ରହିଥିବା ଜାଏଫୁଲେନ ପାହାଡ଼ର ସୁରକ୍ଷା ପାଇଁ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ପ୍ରାୟ ୧୧ଲକ୍ଷ ୮୭ ହଜାର ଟଙ୍କା ବ୍ୟୟରେ ୩୨ ହଜାର ବିଭିନ୍ନ ଗଛ ବନ ବିଭାଗ ଲଗାଇଥିଲା। ବର୍ତମାନ କମ୍ପାନି ତରଫରୁ ସଂପୃକ୍ତ ପାହାଡ଼ର ପାଦଦେଶ ପର୍ଯ୍ୟନ୍ତ ଗଛଗୁଡ଼ିକ କାଟିଦେଇ ସଫାକରି ସୋଲାର ମୋଡ୍ୟୁଲର ମାନ ଲଗାଇ ସାରିଲାଣି। କମ୍ପାନିର ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଂଚଳରେ ବ୍ୟାପକ ଅସନ୍ତୋଷ ଦେଖାଦେଉଛିଯ ଭଦ୍ରା ପଂଚାୟତ ଅଂଚଳରେ ସୀମା ମାପ କରିବା ପାଇଁ ପଂଚାୟତ ତରଫରୁ ସଇନ୍ତଳା ତହସିଲ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇବେ ବୋଲି ସରପଂଚ ସଂଯୁକ୍ତା ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର