ପଞ୍ଚମା ରେଳଲାଇନ୍‌‌ କଡ଼ରେ ୧୨ଟିକିଆ ହାତୀ ପଲ

ବ୍ରହ୍ମପୁର: ଦକ୍ଷିଣ ଘୁମୁସର ବନମଣ୍ଡଳକୁ ଆସିଥିବା ଏକ ୧୨ଟିକିଆ ହାତୀପଲ ଗତକିଛି ଦିନ ହେଲା ବ୍ରହ୍ମପୁର ବନମଣ୍ଡଳ ଅର୍ନ୍ତଗତ ଦିଗପହଣ୍ଡି ବନାଞ୍ଚଳ ଇଲକାକୁ ଆସି ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ଏବେ ରଙ୍ଗେଇଲୁଣ୍ଡା ବ୍ଲକର ପଞ୍ଚମା ରେଳଲାଇନ୍ ଠାରୁ ୨କିମି ଦୂର ଚନ୍ଦନପୁର-ଚିକଟପଦର ଅଞ୍ଚଳରେ ରହିଛନ୍ତି। ସେହି ଅଞ୍ଚଳରେ ପାଚିଲା ଧାନ ନଷ୍ଟ କରିବା ସହ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ରେଳଲାଇନ୍ କଡ଼ରେ ରହିଥିବାରୁ ବନବିଭାଗର ନିଦ ହଜିଯାଇଛି। ଏଲିଫ୍ୟାଣ୍ଟ୍‌ ଟ୍ରାକ୍‌ର ଓ ବନବିଭାଗ ଟିମ୍‌ ହାତୀପଲର ଗତିବଧି ଉପରେ ନଜର ରଖିଛନ୍ତି। ହାତୀ ଚଳପ୍ରଚଳ କରୁଥିବା ଇଲାକରେ ବିଦ୍ୟୁତ ସଂଯୋଗ ଛିନ୍ନ କରିବା ଲାଗି ସାଉଥ୍‌ କୋକୁ ପରାମର୍ଶ ଦିଆଯାଉଛି। ଏଥିସହ ଯାତାୟାତ କରୁଥିବା ଟ୍ରେନ ଗୁଡ଼ିକର ବେଗ କମାଇବା ଲାଗି ଖୋର୍ଦ୍ଧା ରୋଡ଼ ପୂର୍ବତଟ ରେଳ ବିଭାଗକୁ ଅନୁରୋଧ କରାଯାଇଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ କୁମାର ନାଏକ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବନାଞ୍ଚଳ ଇଲକାରେ ୧୨ଟିକିଆ ଏବଂ ବ୍ରହ୍ମପୁର ବନାଞ୍ଚଳ ଅର୍ନ୍ତଗତ ରାମଗୁଡ଼ା ଜଙ୍ଗଲରେ ୧୦ଟିକିଆ ହାତୀ ପଲ ରହିଛନ୍ତି। ୨୦୧୨ ଡିସେମ୍ବର ୩୦ତାରିଖରେ ରମ୍ଭା-ହୁମ୍ମା ରେଳଷ୍ଟେସନ ମଧ୍ୟବର୍ତ୍ତୀ ସୁବଳୟା ନିକଟରେ ଏକ ହାତୀ ପଲ ରେଳଧାରଣା ପାର ହେଉଥିବା ବେଳେ ବିଳମ୍ବିତ ରାତିରେ କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୋଟିଏ ଦନ୍ତା ଓ ୩ ମାଈ ହାତୀ ସମେତ ୬ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଜ୍ୟ ସରକାର-ରେଳ ବିଭାଗ ମୁହାଁମୁହିଁ ହୋଇଥିଲେ। ଏହାପର ଠାରୁ ହାତୀ ରେଳଧାରଣା ନିକଟବର୍ତ୍ତୀ ଅଞ୍ଚଳକୁ ଆସିବା କ୍ଷଣି ବନବିଭାଗ ସତର୍କ ଦୃଷ୍ଟି ରଖିଛି। ରେଳର ଗତି କମାଇବା ଲାଗି ସଙ୍ଗେ ସଙ୍ଗେ ଖୋର୍ଦ୍ଧା ରୋଡ଼୍‌ ଡିଭିଜନକୁ ଅବଗତ କରାଯାଉଛି। ଏହାପର ଠାରୁ ଗଞ୍ଜାମ ଜିଲ୍ଲାରେ ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣା ଘଟିନାହିଁ।

ସମ୍ବନ୍ଧିତ ଖବର