ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ-ଶ୍ବଶୁର ଅଟକ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ‌ଅଧିକ ‌ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତକଙ୍କ ନାମ ଏ. ଇତିସ୍ମିତା ପାତ୍ର(୨୭)।  ଏହି ଘଟଣାରେ ପୁଲିସ କେସ୍ ନମ୍ବର ୫୪/୨୧ରେ ଏକ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମୃତ ଇତିସ୍ମିତାଙ୍କ ସ୍ବାମୀ ଏ. ସରୋଜ କୁମାର ପାତ୍ର ଓ ଶ୍ବଶୁର ଏ. ପ୍ରମୋଦ କୁମାର ପାତ୍ରଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

ଲଷ୍ମୀନୃସିଂହ ସାହିରେ ରହୁଥିବା ସରୋଜ ଜଣେ ବ୍ୟବସାୟୀ। ସେ ୨୦୧୯ ଜୁଲାଇ ୭ ତାରିଖରେ ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ମହାରଣା ସାହିରେ ରହୁଥିବା ଏ. ବିଜୟ କୁମାର ପାତ୍ରଙ୍କ ଝିଅ ଇତିସ୍ମିତାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଏକ ୭ମାସର ଶିଶୁକନ୍ୟା ଅଛି। ଝିଅ ଜନ୍ମ ହେବା ପରେ ବିଭିନ୍ନ କାରଣକୁ ନେଇ ଏବଂ  ଅଧିକ ଯୌତୁକ ଦାବି କରି ଶ୍ବଶୁର ଘର ଲୋକେ ଇତିସ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏପରିକି ନିର୍ଯାତନା ଅସହ୍ୟ ହେବାରୁ ଗତବର୍ଷ ବିଜୟ ତାଙ୍କ ଝିଅକୁ ନିଜ ଘରକୁ ନେଇ ଯାଇଥିଲେ। ପରେ କୁଳ ବୈଠକରେ ଶ୍ବଶୁର ଘର ଲୋକ ଓ ଝିଅ ଘର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ମାମଲା ସମାଧାନ କରାଯାଇଥିଲା। ଏହାପରେ ଇତିସ୍ମିତା ଶ୍ବଶୁର ଘରକୁ ଯାଇଥିଲେ।

ଆଜି ମଧ୍ୟାହ୍ନରେ ଇତିସ୍ମିତାଙ୍କ ଶ୍ବଶୁର ଘରେ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା। ଖବର ପାଇ ବାପା ବିଜୟ ଓ ଭାଇ ଏ. ବିଶ୍ୱରଞ୍ଜନ ପାତ୍ର ଲଷ୍ମୀନୃସିଂହ ସାହିରେ ପହଞ୍ଚିଥିଲେ। ଘର ଭିତରକୁ ଯାଇ ଦେଖିବା ବେଳେ ଝିଅ ଇତିସ୍ମିତାଙ୍କ ମର ଶରୀର ଏକ ଖଟ ଉପରେ ପଡ଼ି ରହିଥିଲା। ଏଥିନେଇ ବାପା ବିଜୟ ତୁରନ୍ତ ପୁଲିସକୁ ଖବର କରିଥିଲେ। ସେପଟେ ହୃଦ୍‌ଘାତରୁ ଇତିସ୍ମିତାଙ୍କ ମୃତ୍ୟୁ ଘଟିଥିବା ନେଇ ଶ୍ବଶୁର ଘର ଲୋକ ପୁଲିସ ନିକଟରେ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର