ଉମରବିଲିରେ ଅଜଣା ରୋଗ: ଆଗ ପଛ ହୋଇ ଚାଲିଗଲେ ସ୍ବାମୀ, ସ୍ତ୍ରୀ

ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ, ତଥ୍ୟ ଲୁଚାଉଛି ସ୍ବାସ୍ଥ୍ୟ ବିଭାଗ

ରାୟଗଡ଼ା: ରାୟଗଡ଼ା ବ୍ଲକର ଉମରବିଲି ଗ୍ରାମରେ ଅଜଣା ରୋଗ ଆତଙ୍କ ଦେଖା ଦେଇଛି। ୧୨ ଘଣ୍ଟା ମଧ୍ୟରେ ଆଗ ପଛ ହୋଇ ସ୍ବାମୀ, ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ଭୟଭୀତ ହୋଇ ପଡିଛନ୍ତି ଗ୍ରାମବାସୀ। ସ୍ବାସ୍ଥ୍ୟ ବିଭାଗ ଟିମ୍ ଗ୍ରାମରେ ପହଞ୍ଚି ଅସୁସ୍ଥ ଥିବା ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ଚିକିତ୍ସା କରିଛି। ଗୁରୁତର ୨ ଶିଶୁ ଚିକିତ୍ସା ପରେ ସୁସ୍ଥ ଥିବା ଜଣା ପଡିଛନ୍ତି। ତେବେ ମୃତକ ଓ ଗୁରୁତରଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ କୌଣସି ତଥ୍ୟ ଦେଉନଥିବାରୁ ପରିଚୟ ମିଳିପାରିନି।

ସୋମବାର ଅପରାହଣରେ ଗ୍ରାମର ଜଣେ ବୃଦ୍ଧ ଗୁରୁତର ହୋଇ ପଡିଥିଲେ। ଝାଡା ସହ ବାନ୍ତି କରିବା ଯୋଗୁ ପରିବାର ଲୋକ ଚିକିତ୍ସା ପାଇଁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୃଦ୍ଧଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମେଡ଼ିକାଲ୍ କର୍ତ୍ତୃପକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସଂଧ୍ୟାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ମୃତ ପରେ ପରିବାର ଲୋକ ଗାଁରେ ଶବ ସତ୍କାର କରିଥିବା ବେଳେ ମଙ୍ଗଳବାର ସକାଳେ ବୃଦ୍ଧଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଥିଲା। ୧୨ ଘଣ୍ଟା ବ୍ୟବଧାନରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ହଠାତ୍ ଗ୍ରାମର କିଛି ବ୍ୟକ୍ତି ଏବଂ ୨ ଶିଶୁ ଗୁରୁତର ହୋଇ ପଡିଥିଲେ। କିଛି ଲୋକଙ୍କ ହାତ ଗୋଡ଼ ବଙ୍କା ହୋଇଯିବା ପରେ ଗ୍ରାମବାସୀ ଭୟଭୀତ ହୋଇ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୋବାଇଲ୍ ହେଲଥ୍ ଟିମ୍ ଗ୍ରାମରେ ପହଞ୍ଚି ୨୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମେଡ଼ିସିନ୍ ପ୍ରଦାନ କରିଥିଲେ। ଝାଡାବାନ୍ତି ବ୍ୟାପିବା ଆଶଙ୍କାରେ ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମେଡ଼ିକାଲ୍ ଟିମ୍ ସଚେତନ କରିବା ସହ ଏକ ସପ୍ତାହ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ଆଶା ଓ ସ୍ବାସ୍ଥ୍ୟକର୍ମୀଙ୍କୁ  ନିର୍ଦେଶ ହୋଇଥିବା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି କହିଛନ୍ତି।

ସମ୍ବନ୍ଧିତ ଖବର