ଫୋନରେ କଥା ହେବାକୁ ନେଇ ସ୍ତ୍ରୀଙ୍କୁ କିରାସିନି ଢାଳି ମାରିବା ଉଦ୍ୟମରେ ସ୍ବାମୀ ଗିରଫ

ନୂଆପଡ଼ା: ଫୋନରେ କଥା ହେବାକୁ ନେଇ ସ୍ତ୍ରୀଙ୍କୁ କିରାସିନି ଢାଳି ହତ୍ୟା ଉଦ୍ୟମ କଲେ ସ୍ୱାମୀ | ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ଆମସେନା ଗ୍ରାମରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ଆଉ ଅଭିଯୋଗ ମିଳିବା ପରେ ଜୋଙ୍କ ପୁଲିସ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜୋଙ୍କ ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜୋଙ୍କ ଥାନା ଅନ୍ତର୍ଗତ ଆମସେନା ଗ୍ରାମର ଜିତେନ ସାହୁ (୨୩) ୮ ମାସ ହେବ ଲଖନା ଥାନା ଲିମଡିହୀ ଗ୍ରାମର ଲକ୍ଷେଶ୍ବରୀ ସାହୁଙ୍କୁ ବିବାହ କରିଥିଲେ।

ଜାନୁଆରୀ ୧ ତାରିଖ ନୂଆବର୍ଷ ଦିନ ଜିତେନ ସାହୁଙ୍କ ସ୍ତ୍ରୀ ଜଣେ ଯୁବକଙ୍କ ସହ ଫୋନରେ କଥା ହେଉଥିଲେ। ଏହା ଜାଣିବା ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍ବାମୀ ରାଗିଯାଇ ପାଖରେ ଥିବା କିରାସିନି ସ୍ତ୍ରୀ ଉପରେ ଢାଳି ଦେଇ ନିଆଁ ଲଗାଇ ଦେଇଥିଲେ।

ସ୍ତ୍ରୀଙ୍କ ଗୋଡ଼ ପୋଡି ଯାଇଥିବାବେଳେ ପରେ ଜିତେନଙ୍କ ମା ତୁରନ୍ତ ବୋହୂକୁ ଗୁରୁତର ଅବସ୍ଥାରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାକୁ ନେଇ ଖରିଆର ରୋଡ଼ ଥାନାରେ ଏକ ଅଭିଯୋଗ କଲା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ମଙ୍ଗଳବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି |

ସମ୍ବନ୍ଧିତ ଖବର