ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ମହିଳାଙ୍କୁ ଛୁରା ମାଡ଼। ସ୍ୱାମୀର ଛୁରୀ ମାଡ଼ରେ ଗୁରୁତର ହୋଇ ସ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି | ଅଭିଯୁକ୍ତ ସ୍ୱାମୀ ଯୁଗଳ ଗ୍ରାମର ମନୁ ବେହେରାର ପୁଅ ଟୁନା ବେହେରା(୪୮)କୁ ଅଟକ ରଖି ପୁଲିସରେ ଜିମା ଦେଲେ ଗ୍ରାମବାସୀ | ଘଟଣାସ୍ଥଳରେ ପୁଲିସ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି | ସୂଚନା ଅନୁଯାୟୀ ଯୁଗଳ ଗ୍ରାମର ଟୁନା ବେହେରା ବିଗତ ୨୧ବର୍ଷ ପୂର୍ବରୁ ଜାମପଦା ଗ୍ରାମର ଅଜୟ ଦଳେଇର ଝିଅ ମମତାକୁ ବିବାହ କରିଥିଲା | ସେମାନଙ୍କର ୨ଟି ପୁଅ ଗୋଟିଏ ଝିଅ ଥିବାବେଳେ ବି ସ୍ତ୍ରୀର ଚରିତ୍ରକୁ ସବୁବେଳେ ସନ୍ଦେହ ଚକ୍ଷୁରେ ଦେଖୁଥିଲା ଟୁନା | ଯେଉଁଥିପାଇଁ ସ୍ତ୍ରୀର ପରକୀୟା ପ୍ରୀତିକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ପ୍ରାୟ ସମୟରେ ଝଗଡା ହୋଇଥାଏ |

Advertisment

ଟୁନା ମମତାକୁ ସନ୍ଦେହ କରୁଥିଲେ କି ତାଙ୍କ ସ୍ତ୍ରୀଙ୍କର ଯୁଗଳ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ରହିଛି | ଏମିତିକି ଟୁନା କହିବା ଅନୁଯାୟୀ ତା ସ୍ତ୍ରୀ ଉକ୍ତ ଯୁବକ ସହ ରାତିରେ ଘରୁ ବାହାରି ଆସି ବାଡ଼ିପଟେ କଥା ହୁଏ, ଯାହା ସେ ନିଜେ ବାରମ୍ବାର ଦେଖି ସେମିତି ନକରିବାକୁ ମମତାକୁ ବାରଣ କରିଛି | ସେହିଭଳି ବଡ଼ ଝିଅର ବାହାଘର ସମୟରେ ମଧ୍ୟ ତାକୁ ନପଚାରି ଉକ୍ତ ଯୁବକ ସହାୟତାରେ ବିବାହ କରାଇଥିବା ନେଇ କହିଛି ଟୁନା | ଯାହାପାଇଁ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଆହୁରି ତିକ୍ତତା ଆସିଥିଲା | ତେବେ ଗତକାଲି ରାତିରେ ହଠାତ ସ୍ୱାମୀ ଉତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ସ୍ତ୍ରୀଙ୍କ ବେକ, ପେଟ ଓ ଦୁଇ ହାତକୁ ଆକ୍ରମଣ କରିଥିଲା | ସ୍ବାମୀଙ୍କ ଆକ୍ରମଣରେ ପତ୍ନୀ ଲହୁଲୁହାଣ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକ ମିଶି ଟୁନାକୁ କାବୁ କରିବା ସହିତ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପାଖ ଯୁଗଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା | ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ପହଞ୍ଚି ଅଭିଯୁକ୍ତ ଟୁନାକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |