ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବେହେରାମୁଣ୍ଡା ମୁସଲିମ ସାହିର ନଜିମ ଖାନ (୪୦) ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଅନିସା ବାନୋ ସହ ଘରୋଇ କଳିକୁ କେନ୍ଦ୍ର କରି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗ୍ରାମ ନିକଟସ୍ଥ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣକ ଗ୍ରାମ ନିକଟସ୍ଥ ପୋଖରୀରେ ବୁଡି ଯାଇଥିବା ଜାଣି ଗ୍ରାମବାସୀ ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପୋଖରୀ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏନେଇ ମୃତକଙ୍କ ପୁଅ ଜାଏଦ ଖାନ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେବାପରେ ଚନ୍ଦାହାଣ୍ଡି ଆଇଆଇସି ଉମେଶ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଚନ୍ଦାହାଣ୍ଡି ଥାନା ଅପମୃତ୍ୟୁ ମାମଲା ୧୧/୨୨ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଆଣିବା ସହ ଘଟଣାର ତଦନ୍ତ ଏସଆଇ ଶିବ ପ୍ରସାଦ ମହାନ୍ତିଙ୍କୁ ଦିଆଯାଇଛି। ଡାକ୍ତର ସନ୍ଦୀପ ଶତପଥୀ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପ୍ରକାଶ ଥାଉକି ବେହେରାମୁଣ୍ଡା ମୁସଲିମ ସାହିର ନଜିମ ଖାଁନ ଏକ ଶାନ୍ତ ଶିଷ୍ଟ ମିଷ୍ଟଭାସି ଯୁବକ ହୋଇଥିବା ସହ ଗ୍ରାମରେ ଏକ କିରାନା ଦୋକାନ କରିବା ସହ ନିଜ ଜମିରେ ଚାଷ ବାସ କରି ପରିବାର ପ୍ରତିପୋଷଣ କରୁଥିଲେ।
ତେବେ ଆଜି ଭୋର ସକାଳ ସମୟରେ ପତ୍ନୀ ଅନିସା ବାନୋ ସହ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏହା ଏତେ ଉଗ୍ର ରୂପ ନେଇଥିଲା ଯେ ନଜିମ ଏକ ଛୁରୀରେ ଅସିନା ବାନୋକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ। ପୁଅ ଓ ବାପା ଅସିନା ବାନୋକୁ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନିସାଙ୍କ ଡାହାଣ ହାତ କହୁଣୀ, ଛାତି ଓ ପିଠିରେ କଟାଦାଗ ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ଅନିସା ବାନୋଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ପୀରପ୍ରସାଦ କବି ଶତପଥୀ ପ୍ରକାଶ କରିଛନ୍ତି। ତାଙ୍କ ଛାତି ପାଖରେ ତିନୋଟି ସିଲେଇ ପଡ଼ିଥିବା ସେ ସୂଚନା ଦେଇଛନ୍ତି। ଏପଟେ ସ୍ତ୍ରୀକୁ ଆକ୍ରମଣ କରି ନଜିମ ନିକଟସ୍ଥ ପୋଖରୀକୁ ଡେଇଁ ପଡ଼ିଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। ତେବେ ମୃତକଙ୍କର ବାମ ହାତ ପାପୁଲିରେ କୌଣସି ଧାରୁଆ ଅସ୍ତ୍ରରେ କଟା ଦାଗ ରହିଥିବା ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସନ୍ଦୀପ କୁମାର ଶତପଥି ସୂଚନା ଦେଇଛନ୍ତି। ସ୍ବାମୀ ସ୍ତ୍ରୀଙ୍କ ଝଗଡାର କାରଣ କଣଥାଇପାରେ ତାହା ତଦନ୍ତ ପରେ ଜଣାପଡିବ। ଅନ୍ୟପଟେ ଗ୍ରାମବାସୀ ଘଟଣାର ଉଚିତ ତଦନ୍ତ କରି ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)