ପତ୍ନୀର ଶବ ମହାପ୍ରୟାଣ ଯାଏ ଏକୁଟିଆ ବୋହିଲେ ସ୍ବାମୀ, ଶୁଣିଲେନି ମେଡିକାଲ୍‌ କର୍ମଚାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ 

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅତ୍ୟନ୍ତ ଅମାନବିକ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ମେଡିକାଲ କର୍ମଚାରୀ ଶବକୁ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ଚାଲିଯିବା ଆଲୋଚନାରେ ବିଷୟ ହୋଇଛି। ଫଳରେ ଶବକୁ ମହାପ୍ରାୟାଣ ଗାଡ଼ି ନିକଟକୁ ବୋହି ନେବା ପାଇଁ ମୃତ ମହିଳାଙ୍କ ସ୍ବାମୀ କାହାରି ସହାୟତା ପାଇ ନଥିଲେ। ଶେଷରେ ଅନ୍ୟୋପାୟ ହୋଇ ନିଜେ ଏକୁଟିଆ କାନ୍ଧରେ ବୋହି ପତ୍ନୀଙ୍କୁ ମହାପ୍ରାୟାଣ ଗାଡ଼ି ନିକଟକୁ ନେଇଥିଲେ। ଏଭଳି ଏକ ଅମାନବିକ ଘଟଣାକୁ ନେଇ କନ୍ଧମାଳ ଜିଲ୍ଲାର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏଭଳି ଏକ ଘଟଣା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଯେଉଁ କର୍ମଚାରୀମାନେ ସାମିଲ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ଗତ ଜୁନ୍‌ ମାସ ୨୯ ତାରିଖରେ ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ମୋତିଙ୍ଗିଆ ଗ୍ରାମର ବାଳକୃଷ୍ଣ କହଁରଙ୍କ ପତ୍ନୀ ଋତୁମତୀ କହଁର (୪୦) ଅସୁସ୍ଥ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଋତୁମତୀଙ୍କର ମୃତ୍ୟୁ ହୋଇଥିଲା। ଋତୁମତୀ ମହିଳା ଭେଷଜ ୱାର୍ଡର ୧୬୫ ନମ୍ବର ଶଯ୍ୟାରେ ଆଡ୍‌ମିଟ୍‌ ହୋଇଥିଲେ। ହୃଦ୍‌ଘାତ ଯୋଗୁଁ ଗତକାଲି ଅପରାହ୍‌ଣରେ ଋତୁମତୀଙ୍କର ମୃତ୍ୟୁ ହୋଇଛି‌ ବୋଲି ମେଡିକାଲ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ବୋଲି ସ୍ବାମୀ ବାଳକୃଷ୍ଣ ଅଭିଯୋଗ କରିଛନ୍ତି।

ତେବେ ପତ୍ନୀ ଋତୁମତୀଙ୍କର ମୃତ୍ୟୁ ହୋଇଯିବା ପରେ ମେଡିକାଲ୍‌ କର୍ମଚାରୀମାନେ ମରଶରୀରକୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇ ଚାଲି ଯାଇଥିଲେ। ସ୍ବାମୀ ବାଳକୃଷ୍ଣ ନିଜ ପତ୍ନୀଙ୍କର ମର ଶରୀରକୁ କିଭଳି ନିଜ ଘରକୁ ନେବେ ସେଥିପାଇଁ ବ୍ୟସ୍ତ ହେଉଥିଲେ ମଧ୍ୟ ହସ୍ପିଟାଲର ଆଟେଣ୍ଡାଣ୍ଟ, ଷ୍ଟାଫ୍‌ ନର୍ସ, ସୁଇପର୍‌ କେହି ବି ଶୁଣି ନଥିଲେ। କେତେଜଣ ଷ୍ଟାଫ ନର୍ସ ସେତେବେଳେ ନିଜ ସ୍ମାର୍ଟ‌ଫୋନ୍‌ ଏବଂ ସୋସିଆଲ ମିଡିଆରେ ବ୍ୟସ୍ତ ଥିଲେ ବୋଲି ମୃତ ଋତୁମତୀଙ୍କ ସ୍ବାମୀ ବାଳକୃଷ୍ଣ ଅଭିଯୋଗ କରିଛନ୍ତି। ପାଖରେ କେହି ନଥିବାରୁ ବାଳକୃଷ୍ଣ ବହୁ କଷ୍ଟରେ ନିଜ ପତ୍ନୀଙ୍କର ମର ଶରୀରକୁ ଏକୁଟିଆ କାନ୍ଧରେ ଟେକି ଟେକି ନେଇ ମେଡିକାଲ ବାହାରେ ରାସ୍ତାରେ ଅ‌ପେକ୍ଷା କରିଥିବା ମହାପ୍ରାୟାଣ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ।

ତେବେ ମେଡିକାଲ କର୍ମଚାରୀଙ୍କ ଏଭଳି ଅମାନବୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଛି। ଏହି ଘଟଣାରେ ଯେଉଁ କର୍ମଚାରୀମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ଦାବି କରିଛନ୍ତି। ଅପରପକ୍ଷେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଯଦିଓ ହେଲ୍‌ପ ଡେସ୍କ ଖୋଲା ଯାଇଛି, ତାହା କ’ଣ କରୁଥିଲା ବୋଲି କଂଗ୍ରେସ ନେତା ଘନ କୁମାର ଶବର ପ୍ରଶ୍ନ କରିଛନ୍ତି। ଏଭଳି ଅମାନବୀୟ କାର୍ଯ୍ୟ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର